ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୁପ୍ରିମ୍କୋର୍ଟରେ ବଡ଼ ଝଟ୍କା ଲାଗିଛି। ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇକୁ ଆର୍ଥିକ ତଦନ୍ତ ଦାୟିତ୍ୱ ଦେବାରେ ଅଦାଲତ ଭୁଲ୍ କରିଛନ୍ତି ବୋଲି ସେ ଘୋଷଙ୍କ ଓକିଲ ଯୁକ୍ତି କରିଥିଲେ। କିନ୍ତୁ ଖଣ୍ଡପୀଠ କହିଛନ୍ତି ଯେ ଘୋଷଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସହ ଯୋଡ଼ାଯାଇପାରିବ କି ନାହିଁ ତାହା ନିଜେ ଏହି ପର୍ଯ୍ୟାୟରେ ତଦନ୍ତର ବିଷୟ। ଆମେ ପୂରା ଘଟଣାକୁ ଅନୁଧ୍ୟାନ କରୁଛୁ ଏବଂ ଦୁଷ୍କର୍ମ ଓ ହତ୍ୟା ମାମଲା ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କହିଛୁ। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ ଅରୋଡ଼ାଙ୍କ ଆବେଦନକୁ ଦୃଢ଼ ବିରୋଧ କରିଥିଲେ। ଘୋଷ ଚାହୁଁଛନ୍ତି ତାଙ୍କୁ ଅଯଥାରେ ଏହି ମାମଲାରେ ଫସାଇ ଦିଆଯାଇଛି । କିନ୍ତୁ କୋର୍ଟ ତାହା ଗ୍ରହଣ କରିନାହାଁନ୍ତି । ଘୋଷ କହିଛନ୍ତି ସିବିଆଇ ତାଙ୍କ ମାମଲାକୁ ନେଇପାରିବ ନାହିଁ । ଇଡି ତଦନ୍ତ କରିବାର କିଛି କାରଣ ନାହିଁ । ତେବେ କୋର୍ଟ ଏସବୁକୁ ଶୁଣିନାହାଁନ୍ତି । ମାମଲାରେ ତଦନ୍ତ ଆଗକୁ ବଢ଼ିବାକୁ କୋର୍ଟ କହିଛନ୍ତି ।
ବୋଷଙ୍କ କାର୍ଯ୍ୟକାଳରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ ସିବିଆଇକୁ ହସ୍ତାନ୍ତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଘୋଷ । ସେ କରିଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ହସ୍ପିଟାଲରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି କରୁଥିବା ଜନସ୍ୱାର୍ଥ ମାମଲାରେ ଘୋଷଙ୍କର କୌଣସି ଅଧିକାର (ଆଇନଗତ ସ୍ଥିତି) ରହିପାରିବ ନାହିଁ ଏବଂ ଘୋଷ ଜଣେ ଅଭିଯୁକ୍ତ ଭାବରେ ଆପରାଧିକ ଆଇନ ଅନୁଯାୟୀ ତାଙ୍କର ସମସ୍ତ ଅଧିକାର ବ୍ୟବହାର କରିପାରିବେ। କୋର୍ଟ କହିଛନ୍ତି, ଏହାକୁ ନେଇ କୌଣସି ବିବାଦ ନାହିଁ ଯେ ଯେତେବେଳେ ଏହି ଅପରାଧ ଘଟିଥିଲା ସେତେବେଳେ ଘୋଷ କଲେଜର ପ୍ରିନ୍ସିପାଲ ଥିଲେ।
ହାଇକୋର୍ଟ ତଦନ୍ତ ଉପରେ ନଜର ରଖିଥିବା ବେଳେ ଅଭିଯୁକ୍ତ ହିସାବରେ ଆପଣଙ୍କର କୌଣସି ଅଧିକାର ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଅଗଷ୍ଟ ୨୭ ତାରିଖରେ ଆବେଦନ କରିଥିବା ଘୋଷଙ୍କୁ ସେପ୍ଟେମ୍ବର ୨ରେ ସିବିଆଇ ଗିରଫ କରିଥିଲା। ସର୍ବୋଚ୍ଚ ନ୍ୟାୟାଳୟରେ ଘୋଷଙ୍କ ପ୍ରତିନିଧିତ୍ୱ କରି ବରିଷ୍ଠ ଓକିଲ ମୀନାକ୍ଷୀ ଅରୋଡ଼ା ଯୁକ୍ତି ବାଢ଼ିଥିଲେ ଯେ କୋଲକାତା ହାଇକୋର୍ଟ ଘୋଷଙ୍କ ପକ୍ଷ ନ ଶୁଣି ଅଗଷ୍ଟ ୨୩ରେ ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ, ଯାହା ପ୍ରାକୃତିକ ନ୍ୟାୟ ନୀତିର ଉଲ୍ଲଂଘନ କରୁଛି। ସିବିଆଇକୁ ତଦନ୍ତ ଦାୟିତ୍ବ ଦେବା ପୂର୍ବରୁ ଅଦାଲତ ତାଙ୍କ ପକ୍ଷ ଉପରେ ବିଚାର କରିବା ଉଚିତ ଥିଲା, କାରଣ ଫଳାଫଳ ସିଧାସଳଖ ତାଙ୍କ ଅଧିକାରକୁ ପ୍ରଭାବିତ କରୁଛି। ତେବେ ଆଗକୁ ଘୋଷ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।