ଜମ୍ମୁ ଓ କଶ୍ମୀରରେ ବିଧାନସଭା ନିର୍ବାଚନ ହେବ । ଏନେଇ ରାଜନୀତି ସରଗରମ ହୋଇଛି । କିଛି ଦଳ ଲୋକମାନଙ୍କୁ ଗ୍ୟାରେଣ୍ଟି ଦେଉଛନ୍ତି । ଏଥିରେ କୁହାଯାଉଛି ପୁଣି ଧାରା ୩୭୦ଫେରାଇ ଅଣାଯିବ । ତେବେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଧାରା ୩୭୦ ଏବେ ଇତିହାସ ପାଲଟି ଯାଇଛି। କୌଣସି ମତେ ଏହା ଆଉ ଫେରିପାରିବ ନାହିଁ । ଜମ୍ମୁ ଓ କଶ୍ମୀର ନିର୍ବାଚନ ନିମନ୍ତେ ଦଳୀୟ ଇସ୍ତହାର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।
ପ୍ରାୟ ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ହେଉଛି। କଂଗ୍ରେସ ଓ ଏନ୍ସି ମଧ୍ୟରେ ମେଣ୍ଟ ଲୋକମାନଙ୍କୁ କହୁଛନ୍ତି ସେମାନେ ବିଜୟୀ ହେଲେ ଧାରା ୩୭୦ ଫେରାଇ ଅଣାଯିବ । ଉଭୟ ଦଳର ନେତା ଏଭଳି ବୟାନ ଦେଉଛନ୍ତି। ଆଜି ଏହାର ଦୃଢ଼ ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି, ସେ ସମଗ୍ର ଦେଶକୁ ସ୍ପଷ୍ଟ କରାଇଦେବାକୁ ଚାହାନ୍ତି ଯେ ଧାରା ୩୭୦ ସଂପ୍ରତି ଇତିହାସ ପାଲଟିଯାଇଛି। ଏହା ଆଉ ଫେରିପାରିବ ନାହିଁ। ଜମ୍ମୁ-କଶ୍ମୀରରେ ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଶାହ କହିଛନ୍ତି, ଯେତେବେଳେ ମଧ୍ୟ ଭାରତ ଓ ଜମ୍ମୁ-କଶ୍ମୀରର ଇତିହାସ ଲେଖାଯିବ ସେତେବେଳେ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କାଳଖଣ୍ଡକୁ ସ୍ବର୍ଣ୍ଣାକ୍ଷରରେ ଲେଖାଯିବ।