ଭୁବନେଶ୍ୱର: ରାସନ କାର୍ଡକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ପୁରୁଣା କାର୍ଡ ବଦଳରେ ସରକାର ନୂଆ କାର୍ଡ ଦେବାକୁ ଘୋଷଣା କରିଛନ୍ତି । ସେପ୍ଟେମ୍ବର ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ଇ-କେୱାଇସି ଯାଞ୍ଚ ଚାଲିଛି। ନୂଆ ରାସନ କାର୍ଡ ପାଇଁ ଇତିମଧ୍ୟରେ ୯ ଲକ୍ଷରୁ ଅଧିକ ଲୋକ ଆବେଦନ କରିସାରିଲେଣି। ଏବେ ବି ଏଥିଲାଗି ଆବେଦନ ଜାରି ରହିଛି।ବିଧାନସଭାରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାରଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏଥି ସହିତ ନୂଆ କାର୍ଡ ପାଇଁ ଆବେଦନ ମଧ୍ୟ ଜାରି ରହିଛି । ଏହି ପ୍ରକ୍ରିୟା ଶେଷ ହେବାପରେ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ଆହୁରି ୯ ଲକ୍ଷ ଆବେଦନ ହୋଇଛି। ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ମାନଦଣ୍ଡ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାସ୍ତରରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିରେ ସାମିଲ କରାଯାଉଛି।