ଝାରପଡ଼ା ଜେଲ୍ ମଧ୍ୟରେ କଣ ଚାଲିଛି । ଯାହା ଅଭିଯୋଗ ହୋଇଛି ସତ ହେଲେ ସାଂଘାତିକ । ଏଠି ବଡ଼ ବଡ଼ ଅପରାଧୀ ଆଉ ଗ୍ୟାଙ୍ଗଷ୍ଟାରଙ୍କ ଜେଲ ଅଧିକାରୀଙ୍କ ମଧ୍ୟରେ ସଂପର୍କ ରହିଛି । ଆଉ ଏହା ପ୍ରଘଟ ହେବାରୁ ଘଟିଛି ଅଭାବନୀୟ କାଣ୍ଡ। ଗ୍ୟାଙ୍ଗଷ୍ଟର୍ ହାଇଦର୍ର ପୁଅ ମୁନା ଗ୍ୟାଙ୍ଗ୍ ଓ ଅନ୍ୟ କଏଦୀମାନେ ଜଣେ ବିଚାରାଧୀନ କଏଦୀଙ୍କୁ ଆକ୍ରମଣ କରି ଅଭିଯୋଗକୁ ସତ ପ୍ରମାଣ କରିଛନ୍ତି । ବିଚାରାଧୀନ ବନ୍ଦୀ ଭାବେ ଜେଲ୍ରେ ଥିବା କଟକର ସୌମ୍ୟ ମହାନ୍ତିଙ୍କୁ କାହିଁକି ଜେଲ ଭିତରେ ଆକ୍ରମଣ କରାଗଲା । ତାହାର ଉତ୍ତର ହେଉଛି ଏପରି । ଜେଲ୍ର ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ଥର ଅଙ୍ଗୁଳି ଉଠିଥିବା ବେଳେ ଏବେ ବିଚାରାଧୀନ ବନ୍ଦୀଙ୍କୁ ମରଣାତ୍ମକ ଆକ୍ରମଣକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଜେଲ୍ ଗୁମର ଫିଟାଇବାରୁ ପ୍ରତିଶୋଧ ନିଆଯାଇଛି କି? ଯାହା ଫଳରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍ ଏଡିଜି । ଜେଲ୍ ବିଭାଗରେ କଣ ସବୁ ଚାଲିଛି ତାହାର ତଦନ୍ତ ହେବାକୁ ଆଲୋଚନା ହେଉଛି । ନୂଆ ସରକାର ଆସିବା ପରେ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ରହିଛି । ତେବେ ଜେଲ୍ ଏଡିଜି ଅମିତାଭ ଠାକୁର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜେଲ୍ ଡିଆଇଜି ଅନୁସୟା ଜେନା ଝାରପଡ଼ା ଜେଲ୍ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ସୈାମ୍ୟଙ୍କୁ ବିଧା, ଗୋଇଠା ମାରିମାରି ଲହୁଲୁହାଣ କରିପକାଇଥିଲେ ମୁନା ଗ୍ୟାଙ୍ଗ। ଏହାଦେଖି ଜେଲ୍ ୱାର୍ଡରମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନେ ଯେତେ ଚେଷ୍ଟା କଲେ ବି ଆକ୍ରମଣ କରୁଥିବା କଏଦୀମାନଙ୍କୁ ଅଟକାଇ ପାରିନଥିଲେ। ଜେଲ୍ର ସୁରକ୍ଷାକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଆକ୍ରମଣକାରୀମାନେ ମାଡ଼ ମାରୁଥିବା ବେଳେ ଆଗକୁ ଆଉ କେବେ ଜେଲ ଗୁମର ଫିଟାଇଲେ ହତ୍ୟା କରାଯିବ ବୋଲି ସେମାନେ ଧମକ ଦେଇଥିଲେ। ତେବେ କଥା ଉଠୁଛି ଯେ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ) ସଚିବ ଜେଲ୍ ପରିଦର୍ଶନରେ ଆସିଥିବା ବେଳେ କିଛି କଏଦୀ ଜେଲ୍ ଭିତରର ଗୁମର କହିଥିଲେ। କିଛି ଅପରାଧୀଙ୍କୁ ଜେଲ୍ କର୍ମଚାରୀ ନିଶା ଯୋଗାଉଛନ୍ତି ଏବଂ ମୋବାଇଲ୍ ଯୋଗାଉଛନ୍ତି ବୋଲି କହିଥିଲେ। ଜେଲ୍ କର୍ମଚାରୀଙ୍କ ସହଯୋଗରେ କିଛି କଏଦୀ ଏଠାରେ ଆରାମଦାୟକ ଜୀବନ ବିତାଉଛନ୍ତି ବୋଲି ଜଣାଇଥିଲେ। ଏଭଳି ଗୁମର ବାବଦରେ କହିଥିବା କଏଦୀଙ୍କ ଭିତରେ ଥିଲେ ସୌମ୍ୟ। ସେ ୨୦୧୯ ମସିହାରୁ ଏହି ଜେଲ୍ରେ ରହୁଛନ୍ତି। ତେଣୁ ଡିଏଲ୍ଏସ୍ଏ ସଚିବ ତାଙ୍କ କଥାକୁ ଗୁରୁତ୍ବ ଦେଇ ଖୋଳତାଡ଼ କରିଥିଲେ। ଏତିକିବେଳେ ଜଣେ ଦୁଷ୍କର୍ମ ଅଭିଯୁକ୍ତର ରୁମ୍ରୁ ମୋବାଇଲ୍ ମିଳିଥିଲା। ଏନେଇ ଡିଏଲ୍ଏସ୍ଏ ସଚିବ କ୍ଷୋଭ ପ୍ରକାଶ କରିବା ସହ ଜେଲ୍ କର୍ତ୍ତୃପକ୍ଷଙ୍କ ଉପରେ ବିରକ୍ତ ହୋଇଥିଲେ। ଏହି ଘଟଣା ପରେ ମୁନା ଓ ତା’ର ସହଯୋଗୀମାନେ ସୌମ୍ୟକୁ ଟାର୍ଗେଟ୍ କରିଥିଲେ। ଏନେଇ ସୌମ୍ୟ କହିଛନ୍ତି, ଜେଲ୍ ମଧ୍ୟରେ ଚାଲିଥିବା କେଳେଙ୍କାରୀର ଫର୍ଦ୍ଦାଫାସ୍ କରିବାରୁ ତାଙ୍କୁ ହାଇଦର୍ ପୁଅ ମୁନା ଗ୍ୟାଙ୍ଗ୍ ପକ୍ଷରୁ ଧମକ ମିଳିଥିଲା। ଏନେଇ ସେ ଜେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ ତାଙ୍କୁ ସୁରକ୍ଷା ମିଳିନଥିଲା। ଏଘଟଣାର ତଦନ୍ତ ଆରମ୍ଭ ହୋଇଥିବାରୁ ଆଗକୁ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।