ବାର୍ଡ ଫ୍ଲୁର ଡର । ଚାରିଆଡେ ଗୋଟିଏ ଚର୍ଚା ଚିକେନ ଖାଅନି , ଅଣ୍ଡା ଖାଅନି । ବେପାର ମାନ୍ଦା । ଡର ବଢ଼ୁଛି । ହଟସ୍ପଟ୍ ସାଜିଛି ପୁରୀ, ଖୋର୍ଧା ଜିଲ୍ଲା । ଭୁବନେଶ୍ବରରେ ଗ୍ରାହକ ଡରିଲେଣି ଚିକେନ୍ ଆଉ ଅଣ୍ଡା ଖାଇବାକୁ । ଆଉ କେଉଁଠି ବ୍ୟବସାୟୀ କହିଲେଣି ଚିକେନ୍ ବେପାର ପୁରା ଡାଉନ୍ । ମାଡ଼ି ଚାଲିଥିବା ବାର୍ଡ ଫ୍ଲୁର ସିଧା ପ୍ରଭାବ ପଡ଼ିଛି ରାଜଧାନୀର ଆମିଷ ମାର୍କେଟ ଉପରେ। ମାଛ ନଚେତ୍ ମଟନ୍ ସେଣ୍ଟରରେ ବାର ଦେଖି ପୂର୍ବ ଅପେକ୍ଷା ଆମିଷ ପ୍ରେମୀଙ୍କର ଭିଡ଼ ରହୁଛି, ହେଲେ ଚିକେନ୍ ସେଣ୍ଟର କିନ୍ତୁ ଖାଁ ଖାଁ। ଯେଉଁଠି ଦିନେ କିଲୋ ପିଛା ୨୪୦ରୁ ୨୫୦ ଥିଲା ଚିକେନ୍ ରେଟ୍, ବାର୍ଡ ଫ୍ଲୁ ପରେ ୨ଶହ ତଳକୁ ଖସି ଆସିଛି ଦର। ଆହୁରି ବି ଦର ଖସନ୍ତା, କିନ୍ତୁ ବହୁଳ ମାତ୍ରାରେ କୁକୁଡ଼ା ଚାଷ ହେଉଥିବା ପୁରୀ ଜିଲ୍ଲାର ପିପିଲି, ନିମାପଡ଼ା ଏବଂ ଡେଲାଙ୍ଗ ଆଦି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପି ଥିବାରୁ ପଡ଼ୋଶୀ ରାଜ୍ୟରୁ ଅଣାଯାଉଛି କୁକୁଡ଼ା ଆଉ ଅଣ୍ଡା। ବିଶେଷ କରି ଆନ୍ଧ୍ର, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ମାଲ୍ ଅଣାଯାଉଛି, ତେଣୁ ଘାଟା ସହିବାକୁ ପଡୁଥିବା କହିଛନ୍ତି ବ୍ୟବସାୟୀ। ରାଜ୍ୟରେ ବାର୍ଡ ଫ୍ଲୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ପରେ ଏହା ଡେଲାଙ୍ଗ ଓ ନିମାପଡ଼ାକୁ ବ୍ୟାପିଲାଣି। ଏଭଳିସ୍ଥିତିରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ ଆଶଙ୍କ କରାଯାଉଛି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ନରସିଂହପୁର ରାସ୍ତା କଡ଼ରୁ ରବିବାର ୪ ବସ୍ତା ମୃତ କୁକୁଡ଼ା ଠାବ ହୋଇଛି। କିଏ ଓ କାହିଁକି ମୃତ କୁକୁଡ଼ା ରାସ୍ତା କଡ଼ରେ ଫିଙ୍ଗିଛନ୍ତି ତାହା ସ୍ପଷ୍ଟ ଜଣାପଡି ନାହିଁ। ହେଲେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ ବଢ଼ିବାରେ ଲାଗିଛି।
ଖବର ପାଇ ଜିଲା ପ୍ରାଣୀ ସହ ଚିକିତ୍ସାଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି, ଡେରାବିଶ ବ୍ଲକ ଚିକିତ୍ସା ଅଧିକାରୀ ଦିଲୀପ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ମଲା କୁକୁଡାର ରକ୍ତ ନମୁନା ସଂଗ୍ରହ କରିଛନ୍ତି। ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।