ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କୃଷି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାର ଶୁଭାରମ୍ଭ କରିଛନ୍ତ । ପିଏମ – ଉଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଉଚ୍ଚଶିକ୍ଷାର ମାନ ବୃଦ୍ଧି କରିବାରେ ପିଏମ- ଉଷା ସହାୟକ ହେବା ସହ ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ତାଲିମ ଉପରେ ଗୁରୁତ୍ବ ଦିଆଯିବ । ଏଥିସହିତ ଦକ୍ଷତା ବିକାଶ ଚାକିରି କ୍ଷେତ୍ରରେ ମଧ୍ୟ ଏହି ଅଭିଯାନ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଆମର ସଂକଳ୍ପ ପତ୍ର ଅନୁଯାୟୀ ଆମର ବିଶ୍ବବିଦ୍ୟାଳୟଗୁଡ଼ିକୁ ସ୍ବାୟତ୍ତତା ପ୍ରଦାନ କରାଯିବ । ଏ ପର୍ଯ୍ୟନ୍ତ ରାଜ୍ୟର ଦୂରଦୁରାନ୍ତ ଅଞ୍ଚଳରେ 18 ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି । ଏହା ସହିତ ଓଡ଼ିଶାର ଆଦିବାସି ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ 26 ଟି ଭାଷା ପରୀକ୍ଷାଗାର ନିର୍ମାରଣ ପାଇଁ ପଦକ୍ଷେପ ନିଆ ଯାଉଛି । ଜାତୀୟ ଶିକ୍ଷା ନୀତି 2020 ଦେଶର ଶିକ୍ଷା ବ୍ୟବସ୍ଥାର ବ୍ୟାପକ ପରିବର୍ତନ ଆଣିବାକୁ ଯାଉଛି । ପୂର୍ବ ସରକାରଙ୍କ ଦୂରଦୃଷ୍ଟିର ଅଭାବ ତଥଶ ରାଜନୈତିକ ସଂକୀର୍ଣ୍ଣତା ଯୋଗୁ ଆମ ରାଜ୍ୟର ଏହା ଆଜି ପର୍ଯ୍ୟନ୍ତ ଲାଗୁ କରାଯାଇ ନଥିଲା ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଦ୍ବାରା ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ ଏହା ସହାୟକ ହେବ । ଶିକ୍ଷା କ୍ଷେତ୍ରରେ ବୈଷମ୍ୟତା ଓ ଅସମାନତା ଦୂର କରାଯାଇ ଏସଡ଼ିଜି- 4 ର ଲକ୍ଷ୍ୟ ପୂରଣ ହୋଇପାରିବ । ଆଗାମୀ ଦିନରେ ସାମଗ୍ରୀକ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଆନ୍ତର୍ଜାତିକ ମାନର ଶିକ୍ଷା ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରିବା ପାଇଁ ପଦେକ୍ଷପ ନିଆଯିବ । ଏହା ଦ୍ବାରା ଉଚ୍ଚ ଶିକ୍ଷା କ୍ଷେତ୍ରରେ 2037 ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରାଯାଇ ପାରିବ ଏବଂ ବିକଶିତ ଭାରତ ଓ ବିକଶିତ ଲକ୍ଷ୍ୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ।