ନୂଆଦିଲ୍ଲୀ: ମୁଁ କେବେ କଳ୍ପନା କରି ନ ଥିଲି ଯେ ମୋ ପଛରେ ଗୁପ୍ତଚର ଲଗାଯିବ। ମୋର ଗତିବିଧି ଉପରେ ନଜର ରଖାଯିବା ମୋରି ସରକାର ମୋତେ ସମ୍ମାନ ହାନି ପାଇଁ ଷଡ଼ଯନ୍ତ୍ର କରିବ । ମୋ ପରିବାର ମୋତେ ସମ୍ମାନହାନି କରିବ । ଏଭଳି ହେବାରୁ ମୋତେ ଦୁଃଖ ଲାଗିଲା ଏବଂ ପରେ ମୋର ବିଜେପିରେ ଯୋଗଦେବା ନିଷ୍ପତ୍ତି ଦୃଢ଼ ହେଲା। ଏପରି କହିଛନ୍ତି ଶୁକ୍ରବାର ଦିନ ବିଜେପିରେ ଯୋଗ ଦେଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ସେ କହିଛନ୍ତି ସେ କେବେ ଭାବିନଥିଲେ କି ତାଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି। ସେ ଏଭଳି ଅନୁଭବ କରିବା ପରେ ଦଳ ଛାଡିବାକୁ ଠିକ୍ ଭାବିଥିଲେ । ଦିନେ ସେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ଥିଲେ । ଏପରିକି ହେମନ୍ତ ଙ୍କ ପିତା ତଥା ଦଳର ମୁଖ୍ୟ ଶିବୁ ସୋରେନଙ୍କ ନିକଟତର ଥିଲେ ଚମ୍ପାଇ । ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ଭାବେ ତାଙ୍କର କ୍ଷମତା ସମସ୍ତଙ୍କଠାରୁ ଅଧିକ ଥିଲା । କିନ୍ତୁ ରାଜ୍ୟ ସରକାର ଏପରି ଷଡ଼ଯନ୍ତ୍ର କରିଥିବାରୁ ସେ ଲଜ୍ଜିତ ଅନୁଭବ କରି ଦଳ ଛାଡ଼ିଥିବା କହିଛନ୍ତି।
୬୭ ବର୍ଷୀୟ ନେତା ଚମ୍ପାଇ ସୋରେନ୍ ହେମନ୍ତ ଜେଲ୍ରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ହେମନ୍ତ ସୋରେନ୍ଙ୍କ ବାଟ ସଫା ହୋଇ ଯାଇଥିଲା। ସୋରେନ୍ ଇସ୍ତଫା ଦେବା ସହ କହିଥିଲେ ଯେ ସେ ଯଦି କିଛି ଦିନ ଅଧିକ ରହିଥାନ୍ତେ ତ ରାଜ୍ୟ ପାଇଁ ଆହୁରି ଅଧିକ ବିକାଶ କରିଥାନ୍ତେ। ୧୯୯୦ ମସିହାରେ ଝାରଖଣ୍ଡ ରାଜ୍ୟ ଗଠନ କରିବାରେ ଚମ୍ପାଇ ସୋରେନ୍ଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ। ସେ ଦଳୀୟ କର୍ମୀମାନଙ୍କ ସହ ମିଶି ରାଜ୍ୟ ପାଇଁ ତାଙ୍କର ଅନୁଦାନ ପାଇଁ ‘ଝାରଖଣ୍ଡ ଟାଇଗର୍’ ଭାବେ ବି ଜଣାଶୁଣା। କିନ୍ତୁ ଦଳ ତାଙ୍କୁ ଗୁରତ୍ବ ଦେବା କମ କରିଥିଲା । ହେମନ୍ତ ତାଙ୍କୁ ସଦାବେଳେ ଅସମ୍ମାନ କରୁଥିବା ଚର୍ଚା ହେଉଥିଲା ।