ମହାରାଷ୍ଟ୍ରବାସୀଙ୍କୁ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି”ମୁଁ ଏ ସ୍ଥାନରେ ପହଞ୍ଚିବା କ୍ଷଣି ଶିବାଜୀଙ୍କ ନିକଟରେ କ୍ଷମା ମାଗିଥିଲି।” ଯେଉଁମାନେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସେମାନଙ୍କର ଦେବତା ବୋଲି ଭାବନ୍ତି ଏବଂ ଏହି ଘଟଣାକୁ ନେଇ ଗଭୀର ଆଘାତ ପାଇଛନ୍ତି, ମୁଁ ମୁଣ୍ଡ ନୁଆଁଇ ସେମାନଙ୍କୁ କ୍ଷମା ମାଗୁଛି। ଆମ ପାଇଁ ଆମ ଦେବତାଙ୍କଠାରୁ ବଡ଼ କିଛି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ବର୍ଷାରେ ଭୁଶୁଡି ପଡ଼ିଥିଲା । ଯାହାକୁ ନେଇ ବିରୋଧୀମାନେ ମୋଦିଙ୍କୁ ଟ୍ରୋଲ କରିଥିଲେ । ଯାହାର ଉତ୍ତରରେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭୁଶୁଡିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଜ ଛତ୍ରପତି ଶିବାଜୀ ଆମ ଦେବତା, ମୁଁ ମୋ ଆରାଧ୍ୟଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ମହାରାଷ୍ଟ୍ରର ପାଲଘରରେ ଏକ କାର୍ଯ୍ୟକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସିନ୍ଧୁଦୁର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀଙ୍କର ୩୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ କଣ୍ଟ୍ରାକ୍ଟରଙ୍କୁ ଗିରଫ କରାଯାଇଛି। ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ। ଭାରତୀୟ ନୌସେନା ଓ ରାଜ୍ୟ ସରକାରଙ୍କ ସହଯୋଗରେ ମୂର୍ତ୍ତି ନିର୍ମାଣ କରାଯାଇଥିଲା ଏଥିପାଇଁ ମୋଟ ୨.୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ କିଛି ଦିନ ଭିତରେ ଏହା ଭୁଶୁଡି ପଡ଼ିବାରୁ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ କ୍ରମେ ପୁଲିସ କଣ୍ଟ୍ରାକ୍ଟରଙ୍କୁ ଗିରଫ କରିଛି।
ହେଲେ ମୂର୍ତ୍ତି ନିର୍ମାଣକୁ ବର୍ଷେ ପୂରି ନ ଥିବାବେଳେ ଏଭଳି କିପରି ହେଲା ପ୍ରଶ୍ନ ଉଠିଥିଲା । ଏନେଇ ମାଲଭାନ ପୁଲିସ୍ ପୂର୍ତ୍ତ ବିଭାଗର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନିମ୍ନମାନର କାର୍ଯ୍ୟ ପାଇଁ ମୂର୍ତ୍ତି ଭୁଶୁଡ଼ି ପଡ଼ିଥିବା ପୂର୍ତ୍ତ ବିଭାଗ ଅଭିଯୋଗ କରିଥିଲା।