ଚାକିରି ନାଁରେ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ । ଆଉ ଆଗକୁ କିଏ କିଏ ଗିରଫ ହେବେ ତାକୁ ନେଇ ଚର୍ଚା ଜାରି ରହିଛି । ଏନେଇ ବିଜେପି ବିଜେଡି ମଧ୍ୟରେ ଟକରା ଟକରି ଚାଲିଛି । ପାଣ୍ଡିଆନ ନାମ ନେଇ ନେଉଥିଲେ ଟଙ୍କା ଆଉ କେଉଁମାନେ ଟଙ୍କା ନେଉଥିଲେ ତାହାର ତାଲିକା ତିଆରି ଚାଲିଛି । ଗତ କିଛି ବର୍ଷ ଧରି ରାଜ୍ୟର ପିସି କାରବାର ଚାଲିଥିବା ଏଥିରୁ ସ୍ପଷ୍ଟ ହୋଇଛି । କାରଣ ମାଥିଲି ଜୋନ୍-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝି ଙ୍କ ଭଳି ଅନେକ ବିଜେଡି ନେତା ପାଣ୍ଡିଆନଙ୍କ ନାମ ନେଇ ପିସି ସଂଗ୍ରହ କରିଥିବା ବିଜେପି ଅଭିଯୋଗ କରିଆସୁଛି । ଏବେ ସରକାର ବଦଳିବା ପରେ ସସ୍ମିତା ଗିରଫ ହେବା ପରେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ । ଥାନାରେ ମାମଲା ରୁଜୁ ପରେ ସସ୍ମିତା ଫେରାର ଥିଲେ। ନିଜ ପୈତୃକ ଘର ଜଗତସିଂହପୁରରେ ସସ୍ମିତା ଲୁଚିଥିବା ଖବର ପାଇବା ପରେ ମାଥିଲି ପୁଲିସର ସ୍ବତନ୍ତ୍ର ଟିମ୍ ଗୁରୁବାର ଚଢ଼ଉ କରିଥିଲା। ଗିରଫ ପରେ ସସ୍ମିତାଙ୍କୁ ମାଥିଲି ଆଣି ପୁଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି। ଗିରଫ ପୂର୍ବରୁ ବିଜେଡି ସସ୍ମିତାଙ୍କୁ ଦଳରୁ ବହିଷ୍କାର କରିଛି। ପଚରାଉଚରା ପରେ ପୁଲିସ୍ ସସ୍ମିତାଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ହାସଲ କରିଛି। ଯାହା ପୁଲିସ୍କୁ ଏହି ମାମଲାରେ ଆଗକୁ ବଢ଼ିବାରେ ସହାୟକ ହେବ। ତେବେ ନୂଆ ନାମ ଆଉ କାହାର ପ୍ରକାଶ ପାଉଛି ତାହାକୁ ଅପେକ୍ଷା ରହିଛି ।