ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗମାନଙ୍କ ପାଇଁ ସିନେମା ହଲରେ ଫିଲ୍ମ ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ଼ ପକ୍ଷରୁ କଟକ ଠାରେ ଆଞ୍ଚଳିକ ଅଧିକାରୀ ତଥା ପିଆଇବି ଓ ସିବିସିର ନିର୍ଦ୍ଦେଶକ ଡ଼କ୍ଟର ଗିରିଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସମେତ ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ଡ଼କ୍ଟର ଦାଶ କହିଥିଲେ ଯେ ଭାରତ ସ୍ବାକ୍ଷର କରିଥିବା ମିଳିତ ଜାତିସଂଘ ଦିବ୍ୟାଙ୍ଗଜନ ଅଧିକାର ସନନ୍ଦ ଅନୁଯାୟୀ ଚ୍ଚଳଚ୍ଚିତ୍ର ପ୍ରଦର୍ଶନରେ ମଧ୍ୟ ବିଶେଷ ଭାବେ ଦୃଷ୍ଟି ଓ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ ସହଜ ବ୍ୟବସ୍ଥା ସୃଷ୍ଟି କରିବା ବାଞ୍ଛନୀୟ। ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଧିକ ଭାଷାରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ମାର୍ଗଦର୍ଶିକା 15 ସେପ୍ଟେମ୍ବରରୁ ଲାଗୁ ହେବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରୁଥିବା ଫିଚର ଫିଲ୍ମଗୁଡ଼ିକ 1 ଜାନୁୟାରୀ 2025 ରୁ ଭିନ୍ନକ୍ଷମ ସୁଗମତା ମାନକ ହାସଲ କରିବାକୁ ବାଧ୍ୟ । ଏହା ବ୍ୟତୀତ 2026 ମାର୍ଚ 15 ତାରିଖ ସୁଦ୍ଧା ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଚଳଚ୍ଚିତ୍ର ଟିଜର ଓ ଟ୍ରେଲରଗୁଡ଼ିକରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରିବା ବାଧ୍ୟତାମୂଳକ ହେବା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ଼ ଦ୍ବାରା ପ୍ରମାଣିତ ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ ବୋଲି କୁହାଯାଉଛି ।