ସୁଭଦ୍ରା ଗାଇଡଲାଇନ୍ ପୁଣି ବଦଳିଛି । ନୂତନ ସଂଶୋଧନ ଅନୁସାରେ, ମହିଳାମାନଙ୍କୁ ସେମାନଙ୍କର ରାସନ କାର୍ଡ କିମ୍ବା ପରିବାରର ରୋଜଗାର ବିଷୟରେ ଅବଗତ କରିବାକୁ ପଡ଼ିବ । ସୁଭଦ୍ରା’ ଯୋଜନାର ସଂଶୋଧିତ ଗାଇଡଲାଇନ୍ ଆଜି ଜାରି ହୋଇଛି । ରାସନକାର୍ଡଧାରୀ ପରିବାର ସଦସ୍ୟ(ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ) କିମ୍ବା ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିବା ଜଣେ ୨୧ରୁ ୬୦ବର୍ଷ ବୟସର ମହିଳା ‘ସୁଭଦ୍ରା’ଯୋଜନା ପାଇଁ ଆବେଦନ କରିପାରିବେ । ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଏହି ‘ଆୟସୀମା’କୁ ସାମିଲ କରାଯାଇଛି ଓ ବାକି ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି । ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି । ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇପାରିବେ ସେଥିପାଇଁ ଗାଇଡଲାଇନ୍ ଜାରି ହୋଇଛି । ହିତାଧିକାରୀଙ୍କ ବୟସ ୨୧ରୁ ଅଧିକ ଓ ୬୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ଯୋଗ୍ୟ ମହିଳାଙ୍କ ପାଇଁ କେବଳ ନିଜ ନାମରେ ଆଧାର କାର୍ଡ, ଆଧାର ନମ୍ବର ରହିବା ସହ ସେମାନଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ । କେବଳ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟକୁ ହିଁ ସିଧାସଳଖ ସହାୟତା ଟଙ୍କା ପ୍ରଦାନ କରାଯିବ । ସମସ୍ତ ହିତାଧିକାରୀଙ୍କୁ ‘ସୁଭ୍ରଦା’ କାର୍ଡ ଦିଆଯିବ ଓ ସମସ୍ତ ଯୋଗ୍ୟ ହିତାଧିକାରୀ ୫ବର୍ଷ ପାଇଁ ଦୁଇଟି କିସ୍ତିରେ ବାର୍ଷିକ ୧୦ହଜାର ଟଙ୍କା ହାରରେ ମୋଟ ୫୦ହଜାର ଟଙ୍କା ପାଇବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।