ରୁଷୀୟ ଫ୍ରେଞ୍ଚ ବିଲିୟନେୟାର ତଥା ଟେଲିଗ୍ରାମ ମୋବାଇଲ ଆପର ସିଇଓ ପାଭେଲ୍ ଦୁରୋଭଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି । ଦୁରୋଭଙ୍କ ଯେଉଁଭଳି ଭାବେ ଗିରଫ କରାଗଲା ସେନେଇ ସମଗ୍ର ବିଶ୍ବର ଆଲୋଡ଼ନ ସୃଷ୍ଟି ହୋଇଛି । ତେବେ ଦୁରୋଭ୍ ଙ୍କ ଗିରଫ ଏତେ ସହଜ ନଥିଲା ଗିରଫକୁ ସଫଳ କରାଇଥିବା ରହସ୍ୟମୟୀ ଜୁଲି ଭାଭିଲୋଭ ନେଇ ଏବ ଚର୍ଚା ଜୋର ଧରିଛି ।
ଶନିବାର ଦୁରୋଭଙ୍କ ଘରୋଇ ବିମାନ ପ୍ୟାରିସ ନିକଟସ୍ଥ ଲେ ବେରଗେଟ ବିମାନବନ୍ଦରରେ ଅବତରଣ କରିବା ପରେ ସେଠାରେ ଅପେକ୍ଷା କରିରହିଥିବା ପୁଲିସ କର୍ମୀ ତାଙ୍କୁ ଗିରଫ କରିଥିଲେ । ଦୁରୋଭଙ୍କ ଗିରଫ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଦୁରୋଭ୍ ଓ ଜୁଲିଙ୍କ ଏକାଧିକ ଫଟୋ ପ୍ରସାରିତ ହୋଇଥିଲା ଭଉୟେ ଅଗଷ୍ଟ 21ରେ ଆଜେରବାଇଜାନ ଗସ୍ତ କରିଥିଲେ । ଯଦିଓ ଦୁଇଜଣ ଭିନ୍ନ ଭିନ୍ନ ଭାବେ ଆଜେରବାଇଜାନ ଗସ୍ତ କରିଥିଲେ ତେବେ ଦୁରୋଭ ଯେଉଁଯେଉଁ ପର୍ଯ୍ୟଟନ ସ୍ଥଳୀ ହୋଟେଲ ଆଦିକୁ ଯାଇଥିଲେ ଠିକ ସେହି ସ୍ଥାନରେ ଠିଆ ହୋଇ ଜୁଲି ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଥିଲେ । ଘରୋଇ ଗୁଇନ୍ଦା ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଯଦିଓ ଉଭୟଙ୍କ ଏକତ୍ରିତ ଫଟୋ ସାମାଜିକ ଗଣମାଧ୍ୟମରେ ନାହିଁ । କିନ୍ତୁ ଯେକୌଣସି ଗୁଇନ୍ଦା ସଂସ୍ଥା ଏଥିରୁ ସହଜରେ ଜୁଲିଙ୍କ ଫଟୋକୁ ଟ୍ରାକ କରି ଦୁରୋଭଙ୍କ ଗତିବିଧି ଉପରେ ନଜର ରଖିପାରିବ । ଏହି ଫଟୋଗୁଡ଼ିକ ଜାଣିଶୁଣି ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଥିଲା । ଏହାଦ୍ବାରା ଡ଼ୁରୋଭଙ୍କ ସଠିକ ଠିକଣା ସୁରକ୍ଷାକର୍ମୀଙ୍କ ନିକଟରେ ପହଞ୍ଚିପାରିବ ।
ଅପରପକ୍ଷରେ ଜୁଲିଙ୍କ ପରିବାର କହିଛନ୍ତି ଦୁରୋଭଙ୍କ ଗିରଫ ପରଠାରୁ ଜୁଲିଙ୍କ ସହ ସେମାନେ ଯୋଗାଯୋଗ କରିପାରିନାହାନ୍ତି । ତାଙ୍କର ମୋବାଇଲ ବନ୍ଦ ରହିଛି । ଦୁରୋଭ୍ ଓ ଜୁଲିଙ୍କ ସମ୍ପର୍କ କିଭଳି ଗଢି ଉଠିଲା ସଂପ୍ରତି ଏକ ରହସ୍ୟ ହୋଇ ରହିଛି । କିନ୍ତୁ ଦୁରୋଭ୍ ଦୁବାଇରେ ରହିବା ବେଳେ ଜୁଲିଙ୍କ ସହ ସମ୍ପର୍କ ସୃଷ୍ଟି ହୋଇଥିବା ସମ୍ଭାବନା ରହିଛି । 2014 ରେ ରୁଷ ସରକାରଙ୍କୁ ଟେଲିଗ୍ରାମର ଗୁପ୍ତତଥ୍ୟ ଦେବାକୁ ଅସ୍ବୀକାର କରିବା ପରେ ତାଙ୍କର ଗିରଫ ପରଓ୍ବାନା ଜାରି ହୋଇଥିଲା । ଏହାପରେ ସେ ଦୁବାଇ ପଳାୟନ କରିଥିଲେ ଏବଂ ପରେ ଫ୍ରାନସର ନାଗରିକତ୍ବ ଗ୍ରହଣ କରିଥିଲେ ।