କିଛି ଦିନ ଧରି ଯାହା ଅଭିଯୋଗ ହେଉଥିଲା ତାହା ସତ ହୋଇଛି । ଚାକିରି ଦେବା ନାଁରେ ଟଙ୍କା ଠକେଇ କରି ଚାକିରି ଦେଉନଥିଲେ ଅଭିଯୁକ୍ତ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଜଣଙ୍କୁ ଗିରଫ କରିଥିଲା । ଆଜି ବିଜେଡିରୁ ବହିଷ୍କୃତ ହୋଇଛନ୍ତି ମାଲକାନଗିରି ମାଥିଲି-୩ ଜିଲା ପରିଷଦ ସଭ୍ୟା ସସ୍ମିତା ମାଝୀ। ଟଙ୍କା ଠକେଇ ଅଭିଯୋଗରେ ତାଙ୍କ ନାମ ସାମିଲ ଥିଲା ।
ଗତ ସରକାର ସମୟରେ ଚାକିରି ପାଇବା ପାଇଁ ଯୁବତୀଯୁବକମାନେ ଚେଷ୍ଟା କରି ବିଫଳ ହେଉଥିଲେ । ସେଥିପାଇଁ ସେମାନେ ନେତା ଏବଂ ଦଲାଲଙ୍କ ଭରସାରେ ରହୁଥିଲେ । ଲାଂଚ ନେଇ ଚାକିରି ହେଉଥିବା ଚର୍ଚା ହେଉଥିବାରୁ ଯୁବକ ଯୁବତୀମାନେ ଲାଂଚ ଦେଇ ଚାକିରି କରିବାକୁ ଆଶା କରିଥିଲେ । ଜିଲାରେ ଜାଲ ସାର୍ଟିଫିକେଟ ଠୁ ଆରମ୍ଭ କରି ଆଧାର କାର୍ଡ ସହ ନକଳି ଚାକରି କରିଥିବା ଅନେକ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଉଚ୍ଚଶିକ୍ଷିତ ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନାଁରେ ନେତାମାନଙ୍କୁ ଟଙ୍କା ଦେଇ ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି । ମାଥେଲି ଥାନାରେ ଏନେଇ ଅଭିଯୋଗ ହୋଇଛି । ମାଥିଲି ଥାନା ଅନ୍ତର୍ଗତ ମିଲୁଗୁଡା ଗ୍ରାମର ରବିନାରାୟଣ ପୁହାଣ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଯେ, ତାଙ୍କ ପୁଅଙ୍କୁ ଯୋଗାଣ ବିଭାଗରେ ଇନ୍ସପେକ୍ଟର ଚାକିରି କରାଇଦେବା ନାଁରେ ମାଥିଲି ଜିଲା ପରିଷଦ ଜୋନ-୩ ସଭ୍ୟା ସସ୍ମିତା ମାଝି ୨୦୨୩, ଏପ୍ରିଲ ୨୫ରେ ୧ ଲକ୍ଷ ଟଙ୍କା, ଏପ୍ରିଲ ୨୮ ରେ ୩୦ ହଜାର ଟଙ୍କା ନଗଦ ନେଇଥିଲେ।
ପରେ ଭୁବନେଶ୍ୱରରେ ସୁଜାତା ପାଣ୍ଡିଆନଙ୍କ ଭାଇ କହୁଥିବା ରମେଶ ଚନ୍ଦ୍ର ରାଉତଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିରେ ୬ ଲକ୍ଷ ଟଙ୍କା ପଠାଇଥିବା କହିଥିଲେ । ଫଳରେ ରବିନାରାୟଣ ୧୯.୮.୨୪ରେ ମାଥିଲି ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ନଂ. ୧୬୬/୨୪ରେ ମାମଲା ରୁଜୁ କରିଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତ ରମେଶ ଚନ୍ଦ୍ର ରାଉତଙ୍କୁ କେନ୍ଦ୍ରାପଡ଼ାରୁ ରବିବାର ଗିରଫ କରିଥିଲା ।ଭିକେ ପାଣ୍ଡିଆନଙ୍କ ନାଁ ନେଇ ସେ ଠକୁଥିଲେ । ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ନେଉଥିଲେ । ପାଣ୍ଡିଆନଙ୍କ ଶଳା କହି ରମେଶ ଠକୁଥିଲା ତ ତାଙ୍କ ସହ ସଂପର୍କ ଭଲ ଥିବା କହି ସସ୍ମିତା ଠକୁଥିଲା । ଚାକିରି କିନ୍ତୁ ମିଳୁନଥିଲା । ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ଲୋକମାନେ ଏବେ ଅଭିଯୋଗ କରିବା ପରେ ସବୁ ସତ ଜଣାପଡୁଛି । ଆଉ ଏହି କ୍ରମରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳ ତରଫରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି।
ଏହି ମାମଲାରେ ସସ୍ମିତା ମାଝୀ ଏବେ ଫେରାର ଅଛନ୍ତି । ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ରମେଶ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କ ହଡ଼ପ କରିଛି। ଏନେଇ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ କରୁଛି । ତାଙ୍କ ସହିତ ସସ୍ମିତା ମାଝୀ ଓ ଅନ୍ୟ ଜଣେ ସହଯୋଗୀ ସାମିଲ ଥିବା ଅଭିଯୋଗ ହେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।