ଗତ ଅଢେଇ ବର୍ଷ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନାଁ ନେଉନାହିଁ । ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ ଜାରି ରହିଛି । ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଭୟ ଦେଶ ଗସ୍ତ ପରେ ସ୍ଥିତିରେ କେତେକ ସକାରାତ୍ମକ ପରିବର୍ତନ ଆସିବାରେ ସଂକେତ ଦେଖାଦେଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପରବର୍ତୀ ଶାନ୍ତି ଚୁକ୍ତି ବୈଠକ ପାଇଁ ଭାରତ ଏକ ଭଲ ସ୍ଥାନ ହୋଇପାରେ । ଶେଷ ଥର ପାଇଁ ସ୍ବିଜରଲ୍ୟାଣ୍ଡରେ ଶାନ୍ତି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଆଗାମୀ ଶାନ୍ତି ଆଲୋଚନା ମାଧ୍ୟମରେ ଯୁଦ୍ଧ ଶେଷ ହେବ ବୋଲି ୟୁକ୍ରେନ ଆଶା ରଖିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ତାଙ୍କ ଦିନିକିଆ ଗସ୍ତ ଶେଷ କରିବାର କିଛି ଦିନ ପରେ ଭାରତ ଫେରିଥିବା ବେଳେ ଜେଲେନସ୍କି ଏହି ବୟାନ ଦେଇଛନ୍ତି । ସେ ପୋଲାଣ୍ଡରୁ କିବ ଟ୍ରେନ ଯୋଗେ ଯାତ୍ରା କରିଥିଲେ । ଯେଉଁଠାରେ ସେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସେ ଚାହୁଁଛନ୍ତି ଯେ ଦୁଇ ଦେଶ ମିଳିତ ଭାବେ ଏହି ବିବାଦର ସମାଧାନ କରନ୍ତୁ । ସେ କଥାବର୍ତା ଉପରେ ଜୋର ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ଛାଡ଼ିବା ପୂର୍ବରୁ ମଧ୍ୟ କହିଥିଲେ ଯେ ସେ ଚାହୁଁଛନ୍ତି ଯେ ଏହି ଦେଶରେ ଯଥାକ୍ରମେ ଶାନ୍ତି ଫରିଆସୁ ।