ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସରେ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳରେ ଅନଗ୍ରସର ଅନୁସୂଚିତ ଜନଜାତି ଏବଂ ଦଳିତଙ୍କ ଉତ୍ଥାନ ନିମନ୍ତେ କାର୍ଯ୍ୟକରୁଥିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ । ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରଖ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଚାଲୁଥିବା ବେଳେ ସଂଧ୍ୟା ୭ଟା ୩୦ ମିନିଟ ସମୟରେ ଆତତାୟୀମାନେ ଜଳେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ ଭିତରେ ପଶି ଆଖିବୁଜା ଗୁଳି ଚଳାଇ ନିର୍ମମ ଭାବେ ହତ୍ୟା କରିଥିଲେ ।
ସ୍ୱାମୀଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ଗଠନ କରାଯାଇ ଏହି ଦିନକୁ ବଳିଦାନ ଦିବସ ରୂପେ ପାଳନ କରାଯାଉଛି । ଚଳିତ ବର୍ଷ ତାଙ୍କର ସ୍ମୃତି ସ୍ମରଣ ନିମନ୍ତେ ଭୁବନେଶ୍ୱରରେ ଏକ ବିଶାଳ ଗଣଦୌଡର ଆୟୋଜନ କରାଯାଇଥିଲା । ଯାହା ସ୍ୱାମୀଜୀଙ୍କ ତ୍ୟାଗ, ତପସ୍ୟା ବଳିଦାନର ଗାଥା ଆଜିର ଯୁବପୀଢିଙ୍କୁ ପ୍ରେରଣା ଦେଇଛି ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ତରଫରୁ ଅନୁଷ୍ଠିତ ସକାଳ ୭ ଘଟିକା ସମୟରେ ଭୁବନେଶ୍ୱର ୟୁନିଟ-୩,ରାମମନ୍ଦିର ନିକଟସ୍ଥ ନିଗମାନନ୍ଦ ଆଶ୍ରମ ନିକଟରୁ ଆରମ୍ଭ ହୋଇଥିଲା । ୫୦୦୦ରୁ ଉର୍ଦ୍ଧ୍ୱ ଯୁବଶକ୍ତିଙ୍କ ଏହି ବିଶାଳ ଗଣଦୌଡ ମାଷ୍ଟର କ୍ୟାଟିଂନ,ଅଶୋକ ନଗର,ରାଜମହଲ ହୋଇ ପୁଣି ନିଗମାନନ୍ଦ ଆଶ୍ରମ ନିକଟରେ ପହଁଚିଥିଲା ।
ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ୧୯୬୮ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯୋଜନାରେ କନ୍ଧମାଳ ଜିଲ୍ଲାକୁ ଯାଇଥିଲେ । ସେଠାରେ ଚକାପାଦ ଯାଇ ଆଶ୍ରମ ଆରମ୍ଭ କରିଥିଲେ । ଚକାପାଦରେ ଛାତ୍ରମାନଙ୍କୁ ଅଧ୍ୟୟନ, ଗୋ ଆଧାରିତ କୃଷି ବିଷୟରେ ଶିକ୍ଷା ଦେଇ ସେମାନଙ୍କୁ ସାର୍ମଥ୍ୟ ଓ ସ୍ୱାବଲମ୍ବୀ କରିଥିଲେ । ଛାତ୍ରଙ୍କ ମଧ୍ୟରେ ଗାଁ ଗାଁରେ କୀର୍ତନମଣ୍ଡଳୀ, ଗାଁ ଲୋକମାନଙ୍କ ନିମନ୍ତେ ଭାଗବତ ପଠନ ପାଇଁ ଭାଗବତ ଟୁଙ୍ଗୀ ଓ ରାତ୍ରି ପାଠଶାଳାର ବ୍ୟବସ୍ଥା କରିଥିଲେ ।
ଜଳେଶପଟ୍ଟାର ତୁମୁଡିବନ୍ଧ ଠାରେ ବାଳିକାମାନଙ୍କ ପାଇଁ ଏକ କନ୍ୟାଶ୍ରମ ମଧ୍ୟ ସ୍ଥାପନ କରିଥିଲେ । ସାମୀଜୀଙ୍କ ଲକ୍ଷ୍ୟ ଥିଲା ଜଣେ ମାଆ ଶିକ୍ଷିତ ସଂସ୍କାରିତ ହୋଇଥିଲେ ସେ ସମାଜ ପରିବର୍ତନରେ ସୂତ୍ରଧର ହେବ ଏବଂ ବିଧର୍ମୀମାନଙ୍କୁ ଧର୍ମ ପରିବର୍ତନା କରିବା ପାଇଁ ସୁଯୋଗ ଦେବ ନାହିଁ । ସ୍ୱାମୀଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ । ତାଙ୍କ କାର୍ଯ୍ୟକଳାପ ଦ୍ୱାରା ଏହା ସ୍ପଷ୍ଟ ଭାବରେ ପ୍ରତ୍ୟେୟମାନ ହୋଇଛି । ସେ ନିଜର ଗତିବିଧିମାଧ୍ୟମରେ କନ୍ଧମାଳ ଲୋକଙ୍କର ଜୀବନଶୈଳୀରେ ଆମୂଳଚୂଳ ପରିବର୍ତନ କରିଦେଇଥିଲେ । ସ୍ୱାମୀଜୀ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟଧରି ସଂପୃକ୍ତ ଅଂଚଳର ସାମାଜିକ,ଧାର୍ମିକ ଓ ଅର୍ଥନୈତିକ ବିକାଶଲାଗି ନିରବଚ୍ଛିନ୍ନଭାବେ କାର୍ଯ୍ୟ କରିବା ସହିତ ସେମାନଙ୍କୁ ସଶକ୍ତକରି ଠିଆ କରିବା ପାଇଁ ପ୍ରୟାସ କରିଚାଲିଥିଲେ ।
ସ୍ୱାମୀଜୀଙ୍କୁ ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରଖ ହତ୍ୟାକରାଗଲା । ଏହା ପୂର୍ବରୁ ତାଙ୍କ ଉପରେ ୮ ଥର ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ର ତଦନ୍ତ କମିସନ ଗଠନ କରିଥିଲେ । ୨୦୧୨ ମସିହାରେ ଜଷ୍ଟିସ ମହାପାତ୍ରଙ୍କର ଦେହାନ୍ତ ପରେ ସରକାର ଜଷ୍ଟିସ ଏଏସ୍ ନାଇଡୁଙ୍କ ଅଧ୍ୟକ୍ଷତାରେ ଗଠିତ କମିସନ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରିଥିଲେ । ନାଇଡୁ କମିସନ ୨୦୧୫ ଡିସେମ୍ବର ୨୨ ତାରିଖରେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ କିନ୍ତୁ ଏହା ମଧ୍ୟରେ ୯ ବର୍ଷ ପୂରିବାକୁ ବସିଥିବାବେଳେ ଏହି ତଦନ୍ତ ରିପୋର୍ଟ ନାଲିଫିତା ତଳେ ରହିଛି । ସେହିଭଳି ୨୦୦୭ ମସିହା ଡିସେମ୍ବର ୨୪ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଦାରିଙ୍ଗିବାଡ଼ିର ବ୍ରାହ୍ମଣୀଗାଁକୁ ଏକ ଯଜ୍ଞ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବାବେଳେ ଦାସିଂବାଡ଼ିଠାରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା । ଏଥିରେ ସ୍ୱାମୀଜୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ରାଜ୍ୟ ସରକାର ଜଷ୍ଟିସ ବାସୁଦେବ ପାଣିଗ୍ରାହୀ ତଦନ୍ତ କମିସନ ବସାଇଥିଲେ । ଜଷ୍ଟିସ ବାସୁଦେବ ପାଣିଗ୍ରାହୀ ତଦନ୍ତ କମିସନ ରିପୋର୍ଟ ମଧ୍ୟ ୨୦୧୫ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଉକ୍ତ ତଦନ୍ତ ରିପୋର୍ଟ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ । ଏବେ ସରକାର ବଦଳିଛି । ବିଜେପି ସରକାର ଏହି ସବୁ ତଦନ୍ତ ରିପୋର୍ଟ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହାକୁ ଅପେକ୍ଷା ।