ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର୍ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର ମହିଳା ନାହାନ୍ତି।” ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟକୁ ନେଇ ସାରା ଦେଶରେ ଚର୍ଚା ଆରମ୍ଭ ହୋଇଛି । ଏନେଇ ଅନେକ ୟୁଜର ସୋସିଆଲ ମିଡିଆରେ ରାହୁଲଙ୍କୁ ଟ୍ରୋଲ କରିଛନ୍ତି । ତେବେ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ଏହା ସାସଂଦ ରାହୁଲ ଗାନ୍ଧିଙ୍କ ବାଳକ ବୁଦ୍ଧି କହି କଟାକ୍ଷ କରିଛନ୍ତି ରିଜିଜୁ।
ଉତ୍ତରପ୍ରଦେଶର ପ୍ରୟାଗରେ ଏକ କାର୍ଯ୍ୟକ୍ରମରେ ରାହୁଲ କହିଥିଲେ 90% ଜନସଂଖ୍ୟାରେ ଦଳିତଙ୍କ ସ୍ଥାନ ନାହିଁ । ଯେତେବେଳେ ସେ ମିସ୍ ଇଣ୍ଡିଆ ବିଜେତାଙ୍କ ତାଲିକା ଯାଞ୍ଚ କରିଥିଲେ, ସେତେବେଳେ ସେ ଦଲିତ, ଆଦିବାସୀ କିମ୍ବା ଓବିସି ସମ୍ପ୍ରଦାୟର କୈାଣସି ମହିଳାଙ୍କୁ ପାଇପାରିନଥିଲେ।
ଗଣମାଧ୍ୟମ ନୃତ୍ୟ, ସଙ୍ଗୀତ, କ୍ରିକେଟ୍, ବଲିଉଡ ବିଷୟରେ କଥାବାର୍ତ୍ତା କରେ କିନ୍ତୁ କୃଷକ ଏବଂ ଶ୍ରମିକଙ୍କ ବିଷୟରେ କଥାବାର୍ତ୍ତା କରେ ନାହିଁ ବୋଲି ରାହୁଲ ଗାନ୍ଧୀ କହିଥିଲେ । ଜାତିଗତ ଜନଗଣନା ଦାବିରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସମ୍ବିଧାନ ସମ୍ମାନ ସମ୍ମିଳନୀ ଆୟୋଜନ କରିଥିଲା କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ଗାନ୍ଧି କହିଥିଲେ, “90 ପ୍ରତିଶତ ଲୋକ(ଏସସି, ଏସଟି ଓ ଓବିସି)ଙ୍କ ଗଣତନ୍ତ୍ରରେ ଅଂଶଗ୍ରହଣ ବିନା ଭାରତ ଭଲ ପ୍ରଦର୍ଶନ କରିପାରିବ ନାହିଁ।”
ମୁଁ ମିସ୍ ଇଣ୍ଡିଆର ତାଲିକା ଯାଞ୍ଚ କରିସାରିଛି, ଯେଉଁଥିରେ କୌଣସି ଦଳିତ, ଆଦିବାସୀ କି ଓବିସି ମହିଳା ନଥିଲେ। ଏପରିକି ଗଣମାଧ୍ୟମର ଟପ୍ ଆଙ୍କର୍ ମଧ୍ୟ 90 ପ୍ରତିଶତ ସମ୍ପ୍ରଦାୟରୁ ଆସୁ ନାହାନ୍ତି। ବଲିଉଡ ଏବଂ କ୍ରିକେଟରେ ମଧ୍ୟ ସମାନ ଅବସ୍ଥା ବୋଲି ରାହୁଲ ଗାନ୍ଧି କହିଥିଲେ।
ସେ ଆହୁରି କହିଛନ୍ତି, “ମୁଁ ଏତିକି କହୁଛି ଏସବୁ କ୍ଷେତ୍ରରେ 90% ଲୋକଙ୍କର କୌଣସି ଭାଗିଦାରୀ ନଥିଲା ଏବଂ ଏହାକୁ ଯାଞ୍ଚ କରାଯିବା ଉଚିତ। ଆମେ ଜାଣିବାକୁ ଚାହୁଁଛୁ ଯେ, କର୍ପୋରେଟ୍, ବଲିଉଡ, ମିସ୍ ଇଣ୍ଡିଆରେ 90 ପ୍ରତିଶତରୁ କେତେ ଲୋକ ଅଛନ୍ତି।”
କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜୁଜୁ କହିଛନ୍ତି, “କଂଗ୍ରେସ ନେତା କିଛି ଦେଖିପାରୁନାହାଁନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ରାଷ୍ଟ୍ରପତି, ଯିଏ ଆଦିବାସୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓବିସି ବର୍ଗର। ରେକର୍ଡ ସଂଖ୍ୟକ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି, ଯେଉଁମାନେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସନ୍ତି।” ତାଙ୍କୁ କିଛି ଦେଖାଯାଉନାହିଁ । ସେ କିଛି ଜାଣିପାରୁନାହାଁନ୍ତି କାରଣ ତାଙ୍କର ବାଳକ ଦୋଷ କଟିନାହିଁ ।
ମିସ୍ ଇଣ୍ଡିଆ ପ୍ରତିଯୋଗିତା, ଚଳଚ୍ଚିତ୍ର, କ୍ରୀଡାରେ ସେ ସଂରକ୍ଷଣ ଚାହୁଁଛନ୍ତି! ଏହା କେବଳ ‘ବାଳକ ବୁଦ୍ଧି’ର ପ୍ରସଙ୍ଗ ନୁହେଁ, ଯେଉଁମାନେ ତାଙ୍କୁ ଉତ୍ସାହିତ କରୁଛନ୍ତି ସେମାନେ ମଧ୍ୟ ସମାନ ଭାବରେ ଦାୟୀ! ପିଲାଳିଆମି ବୁଦ୍ଧି ମନୋରଞ୍ଜନ ପାଇଁ ଭଲ ହୋଇପାରେ, କିନ୍ତୁ ନିଜର ବିଭାଜନକାରୀ ଯୋଜନାରେ ଆମର ପଛୁଆ ବର୍ଗଙ୍କୁ ପରିହାସ କରନ୍ତୁ ନାହିଁ ବୋଲି କିରଣ ରିଜିଜୁ କହିଛନ୍ତି।
ସରକାର ମିସ୍ ଇଣ୍ଡିଆ ଚୟନ କରନ୍ତି ନାହିଁ, ସରକାର ଅଲିମ୍ପିକ୍ସ ପାଇଁ ଆଥଲେଟ୍ ଚୟନ କରନ୍ତି ନାହିଁ ଏବଂ ସରକାର ଚଳଚ୍ଚିତ୍ର ପାଇଁ ଅଭିନେତା ବି ଚୟନ କରନ୍ତି ନାହିଁ…।” ସେଥିପାଇଁ ପ୍ରତିଯୋଗିତା ହୁଏ । ଏଥିପାଇଁ କଠୋର ପରିଶ୍ରମ କରିବାକୁ ପଡ଼େ । ତା ପରେ ସେ ସ୍ଥାନରେ ଯାଇ ପଦକ ମିଳିଥାଏ ।