କୋଲକାତା: କୋଲକାତା ଆର.ଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କ ବିରୋଧରେ ହୋଇଥିବା ଜଘନ୍ୟ ଅପରାଧକୁ ନେଇ ଦେଶବାସୀ ଚକିତ ହୋଇଛନ୍ତି । ଏହି ମାମଲାରେ ସିବିଆଇ ସୁପ୍ରିମକୋର୍ଟରେ ଯାଞ୍ଚର ସ୍ଥିତି ରିପୋର୍ଟ ଦାଖଲ କରିଛି। ଯାହାକୁ ଦେଖିଲେ ଏହା ଜଣାପଡୁଛି ଆମର ସିଷ୍ଟମ କେତେ ଢ଼ିଲା ରହିଛି । ମହିଳା ସୁରକ୍ଷା କ୍ଷେତ୍ରରେ ଆମ ସମାଜ ସେତେ ସଚେତନ କାହିଁକି ନୁହେଁ । ସିବିଆଇ ଏହି ରିପୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଘଟଣା ଘଟିବା ପରେ ତଦନ୍ତ ଠିକ୍ ଭାବେ ପୋଲିସ କରିନାହିଁ । ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ପୀଡ଼ିତାଙ୍କୁ ବଳାତ୍କାର କରାଯାଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା କୁହାଯାଇଛି । ଏଭଳି ଭାବେ ପ୍ରମାଣକୁ ନଷ୍ଟ କରିବାକୁ ଅନେକ ପରିବର୍ତ୍ତନ କରାଯାଇଥିଲା, ସିବିଆଇ ଏହା ମଧ୍ୟ କହିଛି ଯେ ପୀଡିତାଙ୍କ ପରିବାର ଲୋକଙ୍କୁ ଏହି ମାମଲାରେ ବିଭ୍ରାନ୍ତ କରାଯାଇଛି । ଏହି ମାମଲାରେ ଆରଜି କର କଲେଜ ପ୍ରିନ୍ସପାଲ ସଞ୍ଜୟ ଘୋଷଙ୍କ ଭୂମିକା ଉପରେ ମଧ୍ୟ ସିବିଆଇ ଅନୁସନ୍ଧାନ କରିଛି।
ତେବେ ଏହା ଏକମାତ୍ର ଉଦାହରଣ । ଏପରି ଶହ ଶହ ଅପରାଧ ଘଟୁଛି ଆମ ଦେଶରେ । ଅନେକ ମାମଲାକୁ ଛପାଇ ଦିଆଯାଉଛି । ଅନେକ ମାମଲାର ତଦନ୍ତ ହୋଇପାରୁନାହିଁ । ସରକାରୀ ଦଳ ତାର ଇମେଜକୁ ବଂଚାଇଆାକୁ ସତ୍ୟ ଘଟଣା ପ୍ରକାଶ କରିବାକୁ ଚାହୁଁନାହିଁ । ନିଜ କର୍ମୀମାନଙ୍କୁ ଆଖିବୁଜି ସମର୍ଥନ କରୁଛନ୍ତି ରାଜନୈତିକ ଦଳମାନେ ।
ଏହି ଘଟଣାରେ ଯେପରି ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ । ସେପରି ଅନ୍ୟମାମଲା ତ କୋର୍ଟକୁ ଯାଇପାରୁନାହିଁ । ତାହାର ପ୍ରଶ୍ନ ଉଠାଇବ କିଏ?
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ବେଞ୍ଚ ଏହାର ଶୁଣାଣି ସମୟରେ ଯେଉଁ ପ୍ରଶ୍ନ କରିଛନ୍ତି ତାହାର ଉତ୍ତର ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ । ଏହାକୁ ବୁଦ୍ଧିଜୀବୀମାନେ ଆଲୋଚନା କରିବାକୁ ପଡ଼ିବ । କାରଣ ପ୍ରଧାନ ବିଚାରପତି ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇ ପ୍ରଥମେ ଭର୍ତ୍ସନା କରିଥିଲେ। ସେ ପଚାରିଛନ୍ତି ଯେ ଯଦି ପୀଡ଼ିତାଙ୍କ ପୋଷ୍ଟମର୍ଟମ ବିଳମ୍ଭରେ ହେଲା କାହିଁକି ? ରାତି 11 ଟାରେ ତାଙ୍କ ମୃତ୍ୟୁ କୁ ଆତ୍ମହତ୍ୟା ରୂପ ଦିଆଗଲା କାହିଁକି ? ପୋଷ୍ଟମର୍ଟମ ଏବଂ ଅସ୍ୱାଭାବିକ ମୃତ୍ୟୁ ଖବର ମଧ୍ୟରେ ସମୟ ବ୍ୟବଧାନ କଣ ପାଇଁ ଏତେ ବିଳମ୍ଭ ହେଲା ।
ଘଟଣାକୁ ନେଇ ରାନୈତିକ ଦଳମାନେ ଯେପରି ନିଜ ସ୍ବାର୍ଥ କଥା ଚିନ୍ତା କରୁଛନ୍ତି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ତେବେ ହସପିଟାଲରେ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ କାମ । ସେ କାମକୁ କଣ ପାଇଁ ଅଣଦେଖା କରାଯାଉଛି ତାହା ଉପରେ ସ୍ପଷ୍ଟିକରଣ ମାଗିଛନ୍ତି ସୁପ୍ରିମକୋର୍ଟ । ଯେଉଁ ହସ୍ପିଟାଲରେ ଲକ୍ଷଲକ୍ଷ ରୋଗୀ ଜୀବନଦାନ ପାଉଛନ୍ତି ସେହି ପବିତ୍ର ଗୃହରେ ମାନବର ଜୀବନ ବଞ୍ଚାଉଥିବା ଜଣେ ଜୀବନ୍ତ ଦେବୀ ଅତି ଅମାନବିକ, ବର୍ବର ହତ୍ୟାର ଶିକାର ହେବାକୁ ସୁପ୍ରିମକୋର୍ଟ ସହଜରେ ଗ୍ରହଣ କରିପାରିନାହାଁନ୍ତି । ଦୋଷ କାହାର? କୌଣସି ଏକ ବ୍ୟକ୍ତି, ସାମୂହିକ ଗୋଷ୍ଠୀ ନା ବ୍ୟବସ୍ଥାର ନା ପାରିପାର୍ଶ୍ୱିକ ପରିବେଶର ନା ବିକୃତ ମାନସିକତାର? ତାହାକୁ ଖୋଜି ସମାଧାନ କରିବାକୁ ପଡ଼ିବ । ଏ ନେଇ ବାରମ୍ୱାର ଅନେକ ତର୍କ ବିତର୍କ ହୋଇଛି । ଏଥିପାଇଁ ଅନେକ ଗୁଡ଼ିଏ କାରଣ ଦାୟୀ ରହିଥିବାର ସ୍ପଷ୍ଟ ହୋଇଛି ।
ରିପୋର୍ଟ ଅନୁସାରେ ଗତ ୨୦୨୨ ମସିହାରେ ଦେଶରେ ୩୧,୦୦୦ରୁ ଅଧିକ ଧର୍ଷଣ ମାମଲା ଥାନାରେ ଅଭିଯୋଗ ଥିବାର ରିପୋର୍ଟ ଅଛି। ପ୍ରତ୍ୟେକ ଦିନ ଅନ୍ୟୁନ ହାରାହାରି ୮୬ଟି ଘଟଣା ଘଟୁଛି। ପ୍ରତି ୧୫ ମିନିଟରେ ଗୋଟିଏ ଧର୍ଷଣଜନିତ ଘଟଣା ଘଟି ଚାଲୁଛି। ଯାହାକି ସଭ୍ୟ ସମାଜରେ ଆଦୈା ଗ୍ରହଣୀୟ ନୁହେଁ । ଏଥି ସହିତ ଆଉ ଏକ ବଡ଼ କଥା ହେଲା ଆହୁରି ଅନେକ କୋମଳମତି କିଶୋରୀ ବିଭିନ୍ନ ପ୍ରଲୋଭନ, ଠକାମୀ ଓ ଧର୍ଷଣର ଶିକାର ହୋଇ ସାମାଜିକ ଲଜ୍ଜ୍ୟା ବା ବାସନ୍ଦର ଭୟରେ ଏହାକୁ ପ୍ରକାଶ କରିନଥାନ୍ତି। ଅନେକ କ୍ଷେତ୍ରରେ ସେମାନେ ବିଚାର ବ୍ୟବସ୍ଥାରୁ ନ୍ୟାୟ ନ ପାଇ ଅସହାୟ ହୋଇ ଆତ୍ମହତ୍ୟାର ମାର୍ଗ ଆପଣାଇ ନେଇଥାନ୍ତି । ତେଣୁ ଏଭଳି ଘଟଣାକୁ ନେଇ ବିଚାର କରିବାର ସମୟ ଆସିଛି । କାର୍ଯ୍ୟସ୍ଥଳୀରେ ଏହି ଅମାନୁଷିକ, ହୃଦୟବିଦାରକ ଅପରାଧିକ ଧାରା ପଛରେ ରହିଥିବା ପ୍ରମୁଖ କାରଣ ଗୁଡ଼ିକୁ ଆମକୁ ଆଲୋଚନା କରିବାର ଅଛି । ପ୍ରଥମତଃ କାର୍ଯ୍ୟସ୍ଥଳୀରେ ମହିଳା କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଆମ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି। କେବଳ ଡାକ୍ତରଖାନା ନୁହେଁ ସରକାରୀ, ବେସରକାରୀ ବ୍ୟବସ୍ଥାରେ ମହିଳାଙ୍କୁ ନିରାପତ୍ତା ଓ ସୁରକ୍ଷାକୁ କେଉଁଠି ଗୁରୁତ୍ବ ଦିଆଯାଉନାହିଁ ।
ଯେଉଁ ସବୁ କ୍ଷେତ୍ରରେ ରାତିରେ ମହିଳା କର୍ମଚାରୀ କର୍ତ୍ତବ୍ୟରତା ରହୁଛନ୍ତି ସେମାନଙ୍କ ପାଇଁ ଏକ ସୁରକ୍ଷିତ ବିଶ୍ରାମ ଗୃହ ଏକାନ୍ତ ଅପରିହାର୍ଯ୍ୟ ଜଣାଥିଲେ ମଧ୍ୟ ତାହା କେହି କରୁନାହାଁନ୍ତି । ସିସି ଟିଭି କ୍ୟାମେରା ସହିତ ଅପାତକାଳୀନ ସାଇରନ୍ ଏବଂ ଅଫିସ/ମେଡିକାଲ କରିଡର ମଧ୍ୟରେ ପର୍ଯ୍ୟାପ୍ତ ଆଲୋକର ବ୍ୟବସ୍ଥା ଜରୁରୀ ଥିଲେ ମଧ୍ୟ ପ୍ରାୟତଃ କୌଣସି କାର୍ଯ୍ୟସ୍ଥଳୀରେ ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ମହିଳା କର୍ମଚାରୀଙ୍କ ସୁରକ୍ଷାରେ ସାମାନ୍ୟ ତ୍ରୁଟିକୁ ମଧ୍ୟ ଅଣଦେଖା କରିବା ଉଚିତ୍ ନୁହେଁ କିମ୍ଵା ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡାଦେଶରେ ବିଳମ୍ବ କିମ୍ଵା କୋହଳ କରାଯିବା ଉଚିତ୍ ନୁହେଁ।
ଗୋଟିଏ ଦୁଇଟି ଘଟଣା ନୁହେଁ, ପ୍ରତ୍ୟେକ ଦିନ ଏହି ଭଳି ଅମାନୁଷିକ ଘଟଣା ଘଟୁଛି ଯାହା ଅନେକ ସମୟରେ ଆମର ଆଖି ଆଢ଼ୁଆଳରେ ରହି ଯାଉଛି। ଏ ପ୍ରକାର ହୀନ ଓ କୁତ୍ସିତ ମାନସିକତାକୁ କେବଳ ତ୍ୱରିତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦ୍ୱାରା ନିୟନ୍ତ୍ରଣକୁ ଅଣାଯାଇପାରେ। ସରକାର ଏନେଇ ସ୍ପଷ୍ଟ ରହିବା ଉଚିତ । ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ଆମ ଆଇନ୍ ଖୁବ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କଲାବେଳେ ଅନେକ ଗଳା ବାଟ ବାହାରି ଯାଏ, ଯାହା ଫଳର ଅପରାଧୀ ଖସିବାର ବାଟ ପାଇଯାଏ । ନିର୍ଭୟା ପରି ଲୋମହର୍ଷକାରୀ ଘଟଣାରେ ଦୀର୍ଘ ସାତ ବର୍ଷ ପରେ ଦୋଷୀଙ୍କ ଦଣ୍ଡ ମିଳିଲା । ଏହି ବିଳମ୍ବିତ ନ୍ୟାୟ ଅପରାଧୀ ଓ ଅପରାଧ ପ୍ରବଣ ବ୍ୟକ୍ତିଙ୍କ ମନୋବଳ ବଢ଼ାଇବାରେ ପରୋକ୍ଷ ଭାବରେ ସାହାଯ୍ୟ କରୁନାହିଁ କି? ଆମ ଦେଶର ୩୦ଟି ରାଜ୍ୟରେ ମୋଟ ୭୫୫ଟି ଫାଷ୍ଟ ଟ୍ରାକ କୋର୍ଟ ଏବଂ ୪୧୦ଟି ପୋକ୍ସୋ କୋର୍ଟ କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏହିପରି ଜଘନ୍ୟ ଅପରାଧରେ ତୁରନ୍ତ ଦଣ୍ଡ ବ୍ୟବସ୍ଥାରେ ଅସୁବିଧା କେଉଁଠି?
ଏହାର ଏକ ପ୍ରମୁଖ କାରଣ ହେଲା, ଧର୍ଷଣ ମାମଲାରେ ପ୍ରଥମ ୪୮ ଘଣ୍ଟା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ। ୪୮ ଘଣ୍ଟା ମଧ୍ୟରେ ପୋଲିସ ନିରପେକ୍ଷ ଭାବରେ ଯାଞ୍ଚ କରି ଡାକ୍ତରୀ ମାଇନା ରିପୋର୍ଟ ସହିତ ସମସ୍ତ ଆନୁଷଙ୍ଗିକ ପ୍ରମାଣ ସଂଗ୍ରହ ନ କଲେ ପରବର୍ତ୍ତୀ ସମୟରେ କେଶଟି ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ଯାଏ, ଫଳତଃ ଏହି ଜଘନ୍ୟ ଅପରାଧୀ ନିର୍ଦ୍ଦୋଷରେ ଖଲାସ ହୋଇଯାଏ।
ପରିସଂଖ୍ୟାନ ଅନୁଯାୟୀ ଏହିପରି ମାମଲାରେ 80 ପ୍ରତିଶତ ଅପରାଧି ଖସିଯାଉଛନ୍ତି । ଅମାନବୀୟ ଦୁଷ୍କର୍ମ ଘଟଣାରେ ପୀଡ଼ିତା ଘୁରିବୁଲୁଛି ନ୍ୟାୟ ପାଇଁ । କିନ୍ତୁ ସେମାନଙ୍କୁ କଣ ନ୍ୟାୟ ମିଳିପାରୁଛି । ତାଙ୍କ ପରିବାର ଲୋକ ଥାନାଠୁ ଆରମ୍ଭ କରି ନ୍ୟାୟାଳୟ ଦୈାଡୁଛନ୍ତି କିନ୍ତୁ କିଛି ଫଳ ଫଳୁନାହିଁ । ତେଣୁ ସମୟ ଆସିଛି ଏପରି ଅପରାଧ ଘଟାଉଥିବା ଅପରାଧିଙ୍କୁ କଠୋର ଦଣ୍ହ ଦିଆଯିବା ନିହାତି ଆବଶ୍ୟକ ମନେହୁଏ ।