ଗତ କିଛି ବର୍ଷ ଧରି ରାଜ୍ୟରେ ଆଉ ଡ୍ୟାନ୍ସବାର ଚାଲିପାରିବ କି ନାହିଁ ସେ ନେଇ ଆଲୋଚନା ହେଉଥିଲା। ବିଶେଷ କରି ଝିଅ ମାନଙ୍କୁ ସେଠାରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଆସୁଥିଲା । ଥରେ ଲାଇସେନସ ପାଇଲେ ବାର ମାଲିକମାନେ ଆଉ ଆଇନ କାନୁନକୁ ନଡରି ମନଇଚ୍ଛା ନିଜ ଅନୁସାରେ ଡ୍ୟାନସ ବାର ଚଲାଉଥିବା ଅଭିଯୋଗ ହେଉଛି । ଏହାକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ସବୁଦିନ ପାଇଁ ଡ୍ୟାନସ ବାର ବନ୍ଦ କରିଥିବା କୁହାଯାଉଛି ।
ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ବିଜେପି ସରକାରଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ । ଯାହା କହୁଛୁ ସେଥିରେ ସ୍ପଷ୍ଟତା ଅଛି ଓ ତାକୁ କାର୍ଯ୍ୟରେ କରି ଦେଖାଇବୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଖୁବଶୀଘ୍ର ଏକ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି, ଯେଉଁଥିରେ ରାଜ୍ୟରେ ସମସ୍ତ ଡ୍ୟାନ୍ସବାର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଏହା ଆମର ସଂସ୍କୃତି ନୁହେଁ । ସେହିପରି ପୂର୍ବ ସରକାର ସମୟରେ ବେଆଇନ ଭାବେ ଅନେକ ମଦଦୋକାନ ସ୍କୁଲକଲେଜ ଓ ମନ୍ଦିର ପାଖରେ ଖୋଲିଛି । ବିଜେପି ସରକାର ସେସବୁ ବନ୍ଦ କରିବେ । ଯିଏ ନିୟମ ବାହାରେ କାମ କରିବ ତାକୁ ଦଣ୍ଡ ମଳିବ । ନିୟମ ଅନୁସାରେ ଧାର୍ଯ୍ୟ ଦୂରତ୍ୱ ରହିଲେ ହିଁ ସେସବୁ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ପୂର୍ବ ବିଜେଡି ସରକାର ସମୟରେ ହିଁ ରାଜ୍ୟରେ ବେଆଇନ ଓ ଚୋରା ମଦକାରବାର ବୃଦ୍ଧି ପାଇଛି । କିନ୍ତୁ ବିଜେପି ସରକାର ରାଜ୍ୟରେ ଏହି ଚୋରା ମଦକାରବାର ଉପରେ ସମ୍ପୂର୍ଣ୍ଣ ଲଗାମ ଦେବା ପାଇଁ ବଦ୍ଧ ପରିକର । ନୂଆ ଅବକାରୀ ନୀତିରେ ଏସବୁ ଉଲ୍ଲେଖ କରାଯିବ ।
ସେ ଆହୁରି କହିଛନ୍ତି ଯେ ପୂର୍ବ ସରକାର ବେଆଇନ ମଦ କାରବାରକୁ ପ୍ରୋତ୍ସାହନ ଦେଉଥିଲା । କିଛି ଲୋକଙ୍କୁ ଲାଭ ପହଁଚାଇବା ପାଇଁ ବେନିୟମ ଭାବେ ଲାଇସେନସ ଦିଆଯାଉଥିଲା । କିନ୍ତୁ ବିଜେପି ସରକାର ସେଭଳି ହେବାକୁ ଦେବନି । ନୂଆ ଅବକାରୀ ନୀତି କାର୍ଯ୍ୟକ୍ଷମ ହେଲେ ବେଆଇନ ମଦ କାରବାର ନେଟୱାର୍କ ସମ୍ପୂର୍ଣ୍ଣ ଭୁଶୁଡ଼ିଯିବ । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମଧ୍ୟ ସରକାରୀ ଜମିକୁ ଜବରଦଖଲ କରି ବେଆଇନ ଭାବେ ଖୋଲା ଯାଇଥିବା ମଦ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଚିକିଟି ମଦମୃତ୍ୟୁକୁ ନେଇ ଏବେ ଶାସକ-ବିରୋଧୀ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ରାଜ୍ୟ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଚିକିଟିରେ ବିଷାକ୍ତ ମଦ କାରବାର କିଏ କରୁଥିଲା ସେ କେଉଁ ଦଳ ସହ ସଂପୃକ୍ତ ତାହା ସମସ୍ତେ ଜାଣନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା । ତେବେ ସବୁଠୁ ବଡ଼ କଥା ହେଉଛି ବେନିୟମ ମଦ କାରବାରକୁ ସଂପୂର୍ଣ୍ଣ ବନ୍ଦ କେବେ ନୂଆ ସରକାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।