ଡେଙ୍କାନାଳ : ଭିଜିଲାନ୍ସ ଡରରେ ଟଏଲେଟ୍ ଫ୍ଲସରେ ଲୁଚାଇଥିଲେ ଟଙ୍କା । ବନ ସଂରକ୍ଷଣ ଆଇନକୁ ହାତମୁଠାରେ ରଖିଥିଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର । ବିଳାସମୟ ଫାର୍ମହାଉସ ଭିତରେ କରିଥିଲେ ଆକର୍ଷଣୀୟ ପାର୍କ । ଶାଗୁଆନ କାଠରେ ସଜାଇଥିଲେ ଘର । ଘରୁ ଠାବ ହେଲା ବିପୁଳ ଅଳଙ୍କାର, ସୌଖୀନ ହାତ ଘଣ୍ଟା, ପୁଳା ପୁଳା ଟଙ୍କା । ତାଙ୍କୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।
ରେଞ୍ଜରଙ୍କ ସମ୍ପତ୍ତି ଦେଖି ଭିଜିଲାନସ ଅଧିକାରୀ କାବା ହୋଇଯାଇଥିଲେ । କାରଣ ତାଙ୍କର ଭୁବନେଶ୍ବରରେ ଗୋଟିଏ, ହାଇଦ୍ରାବାଦରେ ୨ଟି ଫ୍ଲାଟ ଠାବ ହୋଇଥିବା ବେଳେ ଭୁବନେଶ୍ବର ଓ ଢେଙ୍କାନାଳରେ ୮ଟି ପ୍ଲଟ ଅଛି। ଆଠଗଡ଼ରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ ଠାବ ହୋଇଛି। ୧ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫.୧୫ ଲକ୍ଷ ଟଙ୍କା ଜବତ ଏବଂ ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଭିଜିଲାନ୍ସ ଠାବ କରିଛି।
ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର କେମିତି ବିଳାସମୟ ଜୀବନଯାପନ କରୁଥିଲେ ତାହା ତାଙ୍କ ଘରକୁ ଦେଖି ଜାଣିହେବ । ଜଣେ ବନ ସଂରକ୍ଷକ ଅଧିକାରୀ ହୋଇଥିବାବେଳେ ବିରଳ ପଶୁପକ୍ଷୀ ଓ ମୂଲ୍ୟବାନ ବୃକ୍ଷର ସୁରକ୍ଷା ନକରି ସେ ଟଙ୍କା ଠୁଳ କରିବାରେ ଲାଗିଥିଲେ । ଜଙ୍ଗଲ ଆଇନକୁ ହାତ ମୁଠାରେ ଚାପି ରଖି ସମସ୍ତଙ୍କୁ ଲୁଟି ଚାଲିଥିଲେ । ତାଙ୍କ ଘରେ ଦୁଇ ବିଡ଼ା ୫୦୦ଟଙ୍କିଆ ନୋଟକୁ ସେ ଟଏଲେଟ୍ ରୁମର ଫ୍ଲାସରେ ପକେଇଦେଇଥିଲେ । ବିଭୁଦାନନ୍ଦ ଅବସର ବିନୋଦନ ପାଇଁ ଫାର୍ମ ହାଉସରେ ଆକର୍ଷଣୀୟ ପାର୍କ ନିର୍ମାଣ କରିଥିଲେ। ଢେଙ୍କାନାଳ ଟାଉନ ରତ୍ନବଜାରସ୍ଥିତ ୪ ହଜାର ୬୦୫ ବର୍ଗଫୁଟରେ ବିଭୁଦାନନ୍ଦ ଦୁଇ ମହଲା ବିଶିଷ୍ଟ ରାଜପ୍ରାସାଦ ଭଳି କୋଠା ନିର୍ମାଣ କରିଛନ୍ତି। ସ୍ତ୍ରୀଙ୍କ ପାଇଁ କରିଥିଲେ ଦୁଇଟି ବହୁମୂଲ୍ୟ ହୀରା ହାର। କେବଳ ଏତିକି ନୁହେଁ ବିଭିନ୍ନ ଆକର୍ଷଣୀୟ ସୁନା ଓ ରୁପା ଅଳଙ୍କାର ତାଙ୍କ ଘରୁ ଠାବ ହୋଇଛି, ଯାହା ସାଧାରଣରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି।