ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 2 ଦିନିଆ ପୋଲାଣ୍ଡ ଗସ୍ତରେ ଅଛନ୍ତି । ସେ ଆସନ୍ତାକାଲି ୟୁକ୍ରେନ ଗସ୍ତ କରିବେ । ମୋଦୀଙ୍କର ଏହି ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି । ଗତକାଲି ସନ୍ଧ୍ୟାରେ ପୋଲାଣ୍ଡ ରାଜଧାନୀ ଓ୍ବାରସାରେ ପହଞ୍ଚିଥିବା ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଭାରତୀୟ ବଂଶୋଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ତାଙ୍କୁ ସ୍ବାଗତ କରିଥିଲେ । ମୋଦି ଆଜି ଗସ୍ତରେ ଦ୍ବୀତୀୟ ଦିନରେ ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରେଜ ଜୁଡ଼ା ଏବଂ ପ୍ରଧାମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ବିପାକ୍ଷିକ କଥାବାର୍ତା କରିଛନ୍ତି । ଓ୍ବାରସାରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡ଼େନାଲ୍ଟ ଟସ୍କଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ମୋଦୀ କହିଛନ୍ତି ଭାରତ ଏବଂ ପୋଲାଣ୍ଡ ମିଳିତ ସହଯୋଗରେ ଅନ୍ତର୍ଜାତୀୟ ମଞ୍ଚରେ ଆଗକୁ ବଢୁଛନ୍ତି ।
ମୋଦି ଏହି ସମୟରେ ଜାତିସଂଘ ଏବଂ ଅନ୍ୟ ଅନ୍ତର୍ଜାତୀୟ ଅନୁଷ୍ଠାନରେ ସଂସ୍କାର ପାଇଁ ଗୁରୁତ୍ବାରୋପ କରିଛନ୍ତି । ବିଭିନ୍ନ ବୈଶ୍ବିକ ଚ୍ୟାଲେଞ୍ଚଗୁଡ଼ିକ ସାମ୍ନା କରିବାପାଇଁ ଜାତିସଂଘ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଅନୁଷ୍ଠାନରେ ସଂସ୍କାର ଆସିବା ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି । ମୋଦୀ ଆଜି ଓ୍ବାରସାରେ ଅଜଣା ସୈନିକଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାପରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡ଼ୋନାଲ୍ଡ ଟସ୍କ କହିଛନ୍ତି । ଭାରତର ପ୍ରତିରକ୍ଷା ଆଧୁନିକୀକରଣ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ପୋଲାଣ୍ଡ ପ୍ରସ୍ତୁତ ।
ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲିଆ ତାଇମୋଶେଙ୍କୋ କହିଛନ୍ତି । ମୋଦୀ ହେଉଛନ୍ତି ଜଣେ କିଂବଦନ୍ତି ନେତା । ୟୁକ୍ରେନରେ ଶାନ୍ତି ତାଙ୍କ ଗସ୍ତ ଗୁରୁତ୍ବପୂଣ୍ଣ । ଅନ୍ୟପକ୍ଷ ଯୁଦ୍ଧ ସଂକ୍ରାନ୍ତରେ ଟିପ୍ପଣୀ ରଖି ପ୍ରଧାମନ୍ତ୍ରୀ ମୋଦୀ କହିଛନ୍ତି । ୟୁକ୍ରେନ ଏବଂ ପଶ୍ଚିମ ଏସିଆର ଚାଲିଥିବା ଯୁଦ୍ଧ ଉତ୍ତେଜନା ଆମ ସମସ୍ତଙ୍କ ପାଇଁ ବଡ଼ ଚିନ୍ତାର କାରଣ । ଭାରତ ଏହା ବିଶ୍ବାସ କରେ ଯେ ଯୁଦ୍ଧ କ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବନି । ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆମେ କଥାବର୍ତା ଏବଂ କୂଟନୈତିକ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି ।