ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ସ୍ବତନ୍ତ୍ର ଅର୍ଥନୈତିକ ଜୋନରେ ଥିବା ଏସାଇଣ୍ଟିକ ଫାର୍ମା କମ୍ପାନିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ 17 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 40 ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ଅପରାହ୍ନ 2ଟା ସମୟରେ ଏହି ଦୁର୍ଘଟଣା ହୋଇଛି । ଅନକାପଲ୍ଲୀ ଏସପି ଦୀପିକା ପାଟିଲ କହିଛନ୍ତି ଯେ ବିସ୍ଫୋରଣ ପରେ ଘଟଣାସ୍ଥଳରୁ ପ୍ରବଳ ଧୂଆଁ ବାହାରୁଛି ଏବଂ ଉଦ୍ଧାର ଅପରେସନ ଜାରି ରହିଛି ।
ରିଆକ୍ଟର ନିକଟରେ ଏହି ବିସ୍ଫୋରଣ ହୋଇଥିବା ନେଇ ପ୍ରଥମେ ଖବର ପ୍ରଚାର ହୋଇଥିବା ବେଳେ ପରବର୍ତୀ ସମୟରେ ତାହା ଭୂଲ ବୋଲି ଜଣାପଡ଼ିଥିଲା । ଆହତଙ୍କୁ ଅନକାପଲ୍ଲୀ ଏନଟିଆାର ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲ ନେଇ ଚିକିତ୍ସା କରାଯାଉଛି । ପୁଲିସ ଏବଂ ଅଗ୍ନିନିର୍ବାପକ ଦଳ ସହ ଘଟଣାସ୍ଥଳରେ ଇମର୍ଜେନ୍ସି ଟିମ ମୁତୟନ ହୋଇଛନ୍ତି । ଏହି କାରଖାନା ଦୁଇଟି ସିଫ୍ଟରେ 381 ଜଣ କର୍ମଚାରୀଙ୍କୁ ନେଇ ଚାଲିଛି ଏବଂ ମଧ୍ୟାହ୍ନ ଭୋଜନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେଣୁ କର୍ମଚାରୀଙ୍କ ଉପସ୍ଥିତି କମ ଥିଲା ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିବା ସହ ପୀଡ଼ିତ ପରିବାରକୁ ସମବେଦନା ଜଣାଇଛନ୍ତି ।