ରାଉରକେଲାରେ ଡ଼େଙ୍ଗୁ ଆଣାୟତ୍ତ ହେବାରେ ଲାଗିଛି । ରାଉରକେଲା ମହାନଗର ନିଗମ ଅଞ୍ଚଳ ଅପେକ୍ଷା ରାଉରକେଲା ଇସ୍ପାତ କାରଖାନା ଅନ୍ତର୍ଗତ ସେକ୍ଟର ଅଞ୍ଚଳରେ ଏହି ସ୍ଥିତି ଉଦବେଗଜନକ । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 74.47 ପ୍ରତିଶତ ହେଉଛନ୍ତି କେବଳ ଆରଏସପି ସହରାଞ୍ଚଳ ବାସିନ୍ଦା । ଏତଦ୍ ବ୍ୟତୀତ ରାଉରକେଲା ସହରର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 90.63 ପ୍ରତିଶତ ରୋଗୀ ହେଉଛନ୍ତି ଆରଏସପି ଅନ୍ତର୍ଗତ ବିଭିନ୍ନ ସାକ୍ଟର ଅଞ୍ଚଳ ବାସିନ୍ଦା । ଇତିମଧ୍ୟରେ ଜଗଦା ଅଞ୍ଚଳର ଜଣେ ବୃଦ୍ଧ ଙ୍କର ଡ଼େଙ୍ଗୁରେ ମୃତ୍ୟୁ ହୋଇଛି । ଏନେଇ ଆନୁଷ୍ଠାନିକଭାବେ ଆଇଜିଏଚ କତ୍ତୁପକ୍ଷଙ୍କଠାରୁ ସୂଚନା ମିଳିପାରିନାହିଁ । ପୂର୍ବବର୍ଷ ଭୁଲକୁ ସୁଧାରିବାରେ ଆରଏସପି ବିଫଳ ହୋଇଥିବାରୁ ଡ଼େଙ୍ଗୁ ଏବେ ଅଣାୟତ୍ତ ହେଉଥିବା ଆଲୋଚନା ହେଉଛି ।
ମିଳିଥିବା ସୁଚନା ଅନୁସାରେ ଜିଲ୍ଳାରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା 717ରେ ପହଞ୍ଚିଲାଣି । ଏଥିମଧ୍ୟରୁ 584 ଜଣ ରାଉରକେଲା ର ହୋଇଥିବାବେଳେ ଅବଶିଷ୍ଟ 133 ଜଣ ହେଉଛନ୍ତି ଜିଲ୍ଲାର ଅବଶିଷ୍ଟ ଅଞ୍ଚଳର । ରାଉରକେଲା ମୋଟ 584 ଜଣଙ୍କ ମଧ୍ୟରୁ ସର୍ବାଧିକ 534 ଜଣ କେବଳ ଆରପିଏସପିର ବିଭିନ୍ନ ସେକ୍ଟର ଅଞ୍ଚଳର ହୋଇଥିବାବେଳେ ଅବଶିଷ୍ଟ 50 ଜଣ ଆରଏମସି ଅଞ୍ଚଳର । ବିଭିନ୍ନ ସେକ୍ଟର ଅଞ୍ଚଳ ଏବେ ହଟସ୍ପଟରେ ପରିଣତ ହୋଇଛି ।