ସଦ୍ୟ ସମାପ୍ତ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ହକି ଦଳ ଓଡ଼ିଶାରେ ପହଞ୍ଚିଛି। ଏୟାରପୋର୍ଟରେ ପହଞ୍ଚିବା ପରେ ଭାରତୀୟ ହକି ଦଳକୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯାଇଛି। ଏହାପରେ ବିମାନ ବନ୍ଦରରୁ ଖୋଳାଳିମାନଙ୍କୁ ଏକ ବିଶାଳ ରୋଡ଼ ସୋ’ରେ କଳିଙ୍ଗ ଷ୍ଟାଡିୟମକୁ ଅଣାଯାଇଛି। ସେଠାରେ ଫଟୋସୁଟ୍ କରାଯିବ।ପରବର୍ତ୍ତୀ ସମୟରେ ଅପରାହ୍ନରେ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେହିପରି ବିଜୟୀ ଦଳର ସଦସ୍ୟ ଓଡ଼ିଆ ପୁଅ ଅମିତ୍ ରୋହିଦାସଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ଅମିତଙ୍କୁ ରୁପା ତାରାକସି କାମର ରଥାରୂଢ ଶ୍ରୀଜଗନନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଦେଇ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । ଅମିତଙ୍କୁ ଓଡ଼ିଶାର ଗର୍ବ ବୋଲି ବର୍ଣ୍ଣନା କରିବା ସହ ଯୁବ ପିଢିକୁ ତାଙ୍କର ସଫଳତା ପ୍ରେରଣା ଦେଇଚାଲିବ ବୋଲି ସେ କହିଥିଲେ ।
ଭାରତୀୟ ହକି ଦଳ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଏକ ବିରଳ ସଫଳତା ଅର୍ଜନ କରିଛି। ଏହାପୂର୍ବରୁ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ କାଂସ୍ୟ ପଦକ ଜିତିଥିଲା। କାଂସ୍ୟ ପଦକ ଜିତିବାର ଗୋଟିଏ ଦନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ ଓ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୧୫ ଲକ୍ଷ ଓ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ଦେବାକୁ ଘୋଷଣା କରିଥିଲେ। ଏଥିସହ ଭାରତୀୟ ଦଳର ସଦସ୍ୟ ତଥା ଓଡ଼ିଆ ତାରକା ଡିଫେଣ୍ଡର ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ପ୍ରଦାନ କରିବାକୁ ସେ ଘୋଷଣା କରିଥିଲେ।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ୨୦୧୮ରେ ଭାରତୀୟ ପୁରୁଷ, ମହିଳା ହକି ଦଳର ମୁଖ୍ୟ ପ୍ରାୟୋଜକ ଭାବେ ଦାୟିତ୍ୱ ହାତକୁ ନେଇଥିଲା। ୨୦୨୩ରେ ରାଜ୍ୟ ସରକାର ଏହି ପ୍ରାୟୋଜନ ଚୁକ୍ତିକୁ ଆହୁରି ୧୦ ବର୍ଷ ପାଇଁ ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏହାପରେ ଚଳିତ ବର୍ଷ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରାୟୋଜନ ଚୁକ୍ତିକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୨୦୩୬ରେ ଓଡ଼ିଶା ରାଜ୍ୟ ପ୍ରତିଷ୍ଠା ହେବାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାରୁ ଏହି ଚୁକ୍ତିକୁ ବୃଦ୍ଧି କରାଯାଇଥିଲା। ନବୀନଙ୍କ ନେତୃତ୍ୱରେ ଓଡ଼ିଶା କେବଳ ହକି ନୁହଁ ସବୁ କ୍ରୀଡ଼ାର ଉନ୍ନତି ପାଇଁ ଦୃଷ୍ଟାନ୍ତମୂକଳ ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶା ମଧ୍ୟ ୨୦୧୮ ଓ ୨୦୨୩ରେ କ୍ରମାଗତ ଦୁଇଥର ହକି ବିଶ୍ୱକପ୍ ଆୟୋଜନ କରି ରେକର୍ଡ କରିଛି।
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଅଗଷ୍ଟ ୮ରେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଥିଲା। ଭାରତ ଏହା ପୂର୍ବରୁ ସେମିଫାଇନାଲରେ ଜର୍ମାନୀଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିଲା।