ଭୁବନେଶ୍ବର: ବିଜେପିର ରାଜ୍ୟସଭାରେ ପୁଣି ବଢ଼ିବ ଶକ୍ତି । ଓଡ଼ିଶାରୁ ପୁଣି ଏକ ବିଜେପି ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ଭରିଲେ ନାମାଙ୍କନ ଭରିଥିବାରୁ ତାଙ୍କର ଜିତିବା ସ୍ପଷ୍ଟ ହୋଇଛି । କାରଣ ଆଜି ନାମାଙ୍କନ ଭରିବାର ଶେଷ ଦିନ । ମମତା ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ମମତାଙ୍କୁ ରାଜ୍ୟ ସଭା ପଠାଇ ବିଜେପି ଏହା କହିବାକୁ ଚାହୁଁଛି ଯେ ବିଜେପି ଦଳରେ ଯିଏ ଯୋଗ ଦେବେ ତାଙ୍କୁ ଦଳ ଉଚିତ ସମ୍ମାନ ଦେବ । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ ବିଜେପି ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହାନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ। ନାମାଙ୍କନ ଦାଖଲ ପରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।
ନିକଟରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ମମତା। ତାଙ୍କୁ ଆଉ ଥରେ ପଠାଇବା ପାଇଁ ଚର୍ଚା ହେଉଥିଲା । ମଙ୍ଗଳବାର ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ମମତା ମହାନ୍ତ କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହୋଇଥିବାରୁ ବିଜେପି ତାଙ୍କ ସହାୟତାରେ ଭୋଟ ବ୍ୟାଙ୍କ ବୃଦ୍ଧି କରିବାକୁ ଚାହୁଁଛି । ଏହି ସମ୍ପ୍ରଦାୟରେ ମୟୂରଭଞ୍ଜ ଓ ପଡ଼ୋଶୀ କେନ୍ଦୁଝର ଜିଲ୍ଲାରେ ବହୁ ଲୋକ ରହିଛନ୍ତି। ତାଙ୍କ ଉପରେ ନଜର ରଖିଛି ବିଜେପି । ମମତା ମହାନ୍ତଙ୍କୁ ୨୦୨୦ ମସିହାରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ପରଦିନ ସେ ବିଜେପିରେ ମିଶିଥିଲେ । ମମତାଙ୍କ ପରେ ଦଳରେ ଆଉ କେଉଁ ବଡ଼ ନେତା ବିଜେଡି, କଂଗ୍ରେସରୁ ଆସି ସାମିଲ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।