କୋଲକାତା: ଆର୍ଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟର ପଲିଗ୍ରାଫ୍ ଟେଷ୍ଟ୍ ଆଜି କରିବ ସିବିଆଇ। କଲିକତା ହାଇକୋର୍ଟ ଏଥିପାଇଁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି। କୋଲକାତା ପୁଲିସରେ ଜଣେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟରତ ରାୟ ଅଗଷ୍ଟ ୯ ତାରିଖରେ ଅପରାଧ ଘଟିବାର ଦିନକ ପରେ ଗିରଫ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ରାୟ ଅପରାଧ ଘଟାଇବା ପୂର୍ବରୁ ନିଶା ସେବନ କରିଥିଲା। ଅପରାଧ ଘଟାଇବା ଦିନ ସେ ରାତି ପ୍ରାୟ ୧୧ଟା ବେଳେ ହସ୍ପିଟାଲ୍ ପଛପଟକୁ ଯାଇ ମଦ୍ୟପାନ କରି ଆସିଥିଲା। ସେପଟେ ସୁପ୍ରିମକୋର୍ଟରେ ଆଜି ଏନେଇ ଶୁଣାଣି ହେବାର ସଂଭାବନା ରହିଛି । ଏହି ମାମଲା ପରେ ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନ କରିଥିଲେ ।