କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଡେଙ୍ଗୁରୁ ଭଲ ହୋଇଥିବା ବେଳେ ପୁଣି ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ବିଳମ୍ବିତ ରାତିରେ ଭର୍ତ୍ତି ହୋଇଛନ୍ତି । ଡେଙ୍ଗୁରେ ପତ୍ନୀଙ୍କ ବିୟୋଗ ଘଟିଥିଲା । ପତ୍ନୀଙ୍କ ଶେଷକୃତ୍ୟ ସାରି ଦିଲ୍ଲୀ ଫେରିବା ପରେ ସେ ଅସୁସ୍ତ ଅନୁଭବ କରିଥିଲେ । ମନ୍ତ୍ରୀ ଓରାମଙ୍କୁ ଏମ୍ସର ନ୍ୟୁ ପ୍ରାଇଭେଟ ଓ୍ବାର୍ଡ଼ରେ ଭର୍ତ୍ତି କରାଯାଇଛି । ଛାତି ରୋଗ ବିଭାଗର ମୁଖ୍ୟ ଡ଼ାକ୍ତର ଅନନ୍ତ ମୋହନଙ୍କ ତତ୍ତ୍ବାବଧାନରେ ସେ ଚିକିତ୍ସିତ ହେଉଛନ୍ତି । ମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡ଼ାକ୍ତର କହିଛନ୍ତି । ଗତ ଶନିବାର ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ବିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଥିଲା । ବହୁ ଦିନ ଧରି ସେ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ ଅସୁସ୍ଥ ରହୁଥିଲେ । ଗତକାଲି କାଲି ଜୁଏଲଙ୍କ ପୈତୃକ ଗ୍ରାମ କେନ୍ଦୁଡ଼ିହିରେ ତାଙ୍କର ଶେଷ କୃତ୍ୟ ସମ୍ପୂଣ୍ଣ ହୋଇଥିଲା । ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ ସାମାନ୍ୟ ସୁସ୍ଥତା ପରେ ଜୁଏଲ ପତ୍ନୀଙ୍କ ଶେଷ କ୍ରିୟା ପାଇଁ ଗାଁ କୁ ଆସିଥିଲେ । ସୋମବାର ରାତିରେ ସେ ଦିଲ୍ଲୀ ଯାଉଥିବା ବେଳେ ପୁଣିଥିରେ ଅସୁସ୍ଥ ଅନୁଭବ କରିବାକୁ ଏୟାରପୋର୍ଟରୁ ସିଧାସଳଖ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ବର୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି ।