ଆଇନମନ୍ତ୍ରୀଙ୍କଠାରୁ ସ୍ପଷ୍ଟ ଚିତ୍ର ମିଳିଲା । ଏଥର ଛାତ୍ର ନିର୍ବାଚନ ହେବନି । ଗତ କିଛି ବର୍ଷ ଧରି କଲେଜରେ ନିର୍ବାଚନ ହେଉନାହିଁ । ଏହାର କାରଣ ହେଉଛି ପାଠ ପଢ଼ା କମ ହିଂସା ଅଧିକ । ଏଥର ଆଶା କରାଯାଉଥିଲା ବିଜେପି ସରକାର ଆସିବା ପରେ ନିର୍ବାଚନ ହେବ । କିନ୍ତୁ ନୂଆ ସରକାର ଏଥର ନିର୍ବାଚନ କରିନାହାଁନ୍ତି । ବିଶେଷ କରି କରୋନା ପରେ କଲେଜରେ ନିର୍ବାଚନ ହେବାନେଇ ଦାବି ଜୋର ଧରୁଥିଲା । କିନ୍ତୁ ଗତ କିଛି ବର୍ଷ କୁ ଦେଖିଲେ ନିର୍ବାଚନରେ କଲେଜ କ୍ୟାମ୍ପସ ଯେପରି ବାତାବରଣ ହେଉଛି ତାହାକୁ ଦେଖି ବିଜେଡି ସରକାର ନିର୍ବାଚନ କରୁନଥିଲା । ଏହାକୁ ବଜାୟ ରଖିଛନ୍ତି ନୂଆ ବିଜେପି ସରକାର । ପ୍ରଥମେ ବାତାବରଣ ସୃଷ୍ଟି କରାଯାଇ ପରେ ନିର୍ବାଚନ କରାଯିବ ବୋଲି ବୋଧହୁଏ ନୂଆ ସରକାର ଚାହିଁଛନ୍ତି । ଏବର୍ଷକୁ ମିଶାଇ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ କଲେଜ ଇଲେକ୍ସନ ସ୍ଥଗିତ ରହିଛି। ଶେଷଥର ପାଇଁ ୨୦୧୭ ମସିହାରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ତା’ପର ବର୍ଷଠୁ ଅର୍ଥାତ୍ ୨୦୧୮ ପରଠୁ ଆଉ କଲେଜ ଭୋଟ୍ ହୋଇନି। ତେବେ ଭୋଟକୁ ନେଇ ସାଧାରଣରେ ରାଜନୀତି ଜୋର ଧୁରୁଛି । ଅଭିଭାବକମାନେ ନିର୍ବାଚନ ନହେବା ଭଲ କହୁଥିବା ବେଳେ ବିଭିନ୍ନ ଛାତ୍ର ସଂଘ ନିର୍ବାଚନ ହେବାକୁ ଦାବି କରୁଛନ୍ତି ।
ବିଜେପି ନୂଆ ସରକାର ଗଠନ କରିଛି। ତେଣୁ ଏବର୍ଷ କ୍ୟାଂପସ ପଲିଟିକ୍ସର ଆଶା ବାନ୍ଧିଥିଲେ ବହୁ ଛାତ୍ର ସଂଗଠନ। କିନ୍ତୁ ସେମାନଙ୍କ ଆଶା ଆଶାରେ ରହିଯାଇଛି । ସେପଟେ କଲେଜ ନିର୍ବାଚନ ବନ୍ଦ ଘୋଷଣା ଉପରେ ବିଜେଡି ଆକ୍ଷେପ କରି କହିଛି, ହାରିବା ସୁନିଶ୍ଚିତ ଜାଣି ଛାତ୍ର ସଂସଦର ନିର୍ବାଚନରୁ ପଛଘୁଞ୍ଚା ଦେଇଛି ବିଜେପି। ସେହିପରି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ନିଶାନା କରିଛି। ତେଣେ ଏବିଭିପି କହିଛି, ରାଜ୍ୟର ୩୬୮ କଲେଜରେ ଅଖିଳ ଭାରତୀୟ ଛାତ୍ର ବିଦ୍ୟାର୍ଥୀ ପରିଷଦ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯେହେତୁ ଏବର୍ଷର ଶିକ୍ଷା କ୍ୟାଲେଣ୍ଡର ଆସିନାହିଁ, ତେଣୁ ସରକାର କଲେଜ ଇଲେକ୍ସନ ବନ୍ଦ ନକରିବାକୁ ପରିଷଦ ଦାବି ରଖିଛି।
୨୦୨୫ ମସିହାରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ବଡ଼ଚଣା ନୂଆହାଟ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏକଥା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ସାଧାରଣତଃ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ହୋଇଥାଏ। ହେଲେ ରାଜ୍ୟରେ ନୂଆ ସରକାର ଆସିଲା ପରେ ଏଥର କଲେଜ ଇଲେକ୍ସନ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିନି। ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଥମେ ଏବର୍ଷ ଆଗେ ସମସ୍ତ କଲେଜରେ ଆନୁଷଙ୍ଗିକ ପ୍ରସ୍ତୁତି କରାଯିବ। ସେ କାମ ସରିଲେ ଆସନ୍ତାବର୍ଷ କଲେଜ ଭୋଟ୍ ନିଶ୍ଚିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ।