କଂଗ୍ରେସ କଳି ଭୀଷଣ ରୂପ ନେଇଛି। ନେତା ନେତା ଭିତରେ ପଡ଼ୁନାହିଁ । ସଭାପତି କିଏ ହେବ ତାକୁ ନେଇ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ କଥା ଗୋଳମାଳିଆ ହେଉଛି । ନିଜ ନେତାଙ୍କୁ ସଭାପତି କରିବା ପାଇଁ ଦିଲ୍ଲୀରେ ଲବି ଚାଲିଛି । ଏହାରି ଭିତରେ ଓଡ଼ିଆ ଅସ୍ମିତା କଥା ମଧ୍ୟ ଦଳର ବରିଷ୍ଠ ନେତାମାନେ ଉଠାଇଲେଣି । କିଏ ସଭାପତି ହେବ ଓଡ଼ିଶାର ନେତାମାନେ ବାଛିବା ପାଇଁ କିଛି ନେତା ଦାବି କରୁଛନ୍ତି ।
କଂଗ୍ରେସ ଭିତରେ କିଛି ଠିକ୍ ଚାଲିନାହିଁ । ନିର୍ବାଚନ ପୂର୍ବରୁ ଏବଂ ପରେ ଅନେକ ନେତା ଦଳ ଛାଡି ଚାଲିଗଲେଣି ଅନ୍ୟଦଳକୁ । ଏପରିକି ବିଜୟ ପଟ୍ଟନାୟକ ଦଳ ଛାଡ଼ି ନିଜର ଅସନ୍ତୋଷ ଜାହିର କରିଛନ୍ତି। ଗଣମାଧ୍ୟମ ସାମ୍ନାକୁ ଆସି ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି ବରିଷ୍ଠ ନେତା।
ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଦଳୀୟ ସ୍ବାର୍ଥ ଅପେକ୍ଷା ଏଠାରେ ବ୍ୟକ୍ତିଗତ ସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ଦଳ ବୁଡ଼ି ବୁଡ଼ି ଯାଉଛି । ହାତ ଦଳ ଭିତରେ ଫାଟ ବଢ଼ି ଆଁ ହେଲାଣି । କଂଗ୍ରେସରେ ଗୋଡ଼ ଝିକା ଝିକି ଚାଲିଛି। କାହା ସହ କାହା କଥାର ତାଳମେଳ ରହୁନି। ସଚ୍ଚା କଂଗ୍ରେସ କର୍ମୀ ହିସାବରେ ଆମକୁ କାନ୍ଦ ଲାଗୁଛି।
ନିଜକୁ ନେତା ହେବା କଥା ଉପରେ ସେ କହିଛନ୍ତି ମୋତେ ବିଜେଡି, ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି। ତେଣୁ ଏ ସବୁରେ ନ ପଶି ମୁଁ ମୋ ନିର୍ବାଚନମଣ୍ଡଳୀ ଭିତରେ ଅଛି। କଂଗ୍ରେସ ସଂଗଠନ ଭାଙ୍ଗିବାକୁ ବସିଲାଣି। କର୍ମୀ ଦୁର୍ବଳ ହୋଇପଡ଼ିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସରେ ନେତା ଅଭାବ ନାହାଁନ୍ତି । ବହାର ଲୋକଙ୍କୁ ଆଣି ଏଠି ଲଦିଦେଲେ ଠିକ୍ ହେବନାହିଁ । ପ୍ରଭାରୀଙ୍କୁ ପରିଚାଳନା କମିଟି ଅଧ୍ୟକ୍ଷ କରାଯିବା ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି। ସେ ସିଧା ସିଧା କହିଛନ୍ତି, ଅତୀତରେ କେବେ ବି ରାଜ୍ୟ କଂଗ୍ରେସର କୌଣସି କମିଟିରେ ପ୍ରଭାରୀ ଅଧ୍ୟକ୍ଷ ହୋଇ ନଥିଲେ। ପ୍ରଥମ ଥର ପାଇଁ କଂଗ୍ରେସରେ ଏଭଳି ଘଟଣା ଘଟିଛି। ଏବେ ଓଡ଼ିଆ ଅସ୍ମିତାର କଥା କୁହାଯାଉଥିବା ବେଳେ କଂଗ୍ରେସକୁ ଏସବୁ ଦେଖାଯାଉନାହିଁ । ଗତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟର ସମୀକ୍ଷା ହେଲା ନାହିଁ। ସେ ବିଷୟରେ କେହି କିଛି କହୁନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି, ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି। କଂଗ୍ରେସ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ଦଳ ୪ ଜଣଙ୍କୁ ଦାୟିତ୍ବ ଦେଇଛି। ଯେପର୍ଯ୍ୟନ୍ତ ପିସିସି ସଭାପତି ଚୟନ ହୋଇନାହାନ୍ତି କି କୌଣସି କମିଟି କାର୍ଯ୍ୟକ୍ଷମ ହୋଇନାହିଁ ସେ ପର୍ଯ୍ୟନ୍ତ ସମସ୍ତ ନେତା ଶୃଙ୍ଖଳିତ ରହିବା ଉଚିତ।
ତେବେ କଥା ହେଉଛି ରାଜ୍ୟରେ ବର୍ଷ ବର୍ଷ ଧରି ଶାସନ ଗାଦିରେ ବସିଥିବା କଂଗ୍ରେସର ଭବିଷ୍ୟତ କଣ ହେବ ତାକୁ ନେଇ ଏହି ପୁରୁଣା ଦଳର ନେତାମାନେ ଏକମତ ହୋଇପାରୁନାହାଁନ୍ତି । ଗାଁରୁ ସହର କଂଗ୍ରେସ କର୍ମୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଆଉ କିଛି ଦିନ ଗଲେ ନେତା କାମ ନପାଇଁ ବିଜେପି, ବିଜେଡିକୁ ଯିବାର ସଂଭାବନା ବଢ଼ି ବଢ଼ି ଚାଲିଛି । ତେବେ ଏଥର ପିସିସି ମୁକୁଟ ପିନ୍ଧିବ, ଆଉ ସେ କେଉଁ ଗୋଷ୍ଠୀର ତାହା ଆଉ କିଛି ଦିନ ଅପେକ୍ଷା କଲେ ଜଣା ପଡିବ ।