ଆଜି ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ପାଳନ ହେଉଛି । ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ଘରେ ଘରେ ଆଜି ପିଠା ମିଠା ଖାଇ ପାଳନ ହେଉଛି ରାକ୍ଷୀପୂର୍ଣ୍ଣିମା । ପ୍ରାଚୀନ କାଳରୁ ରକ୍ଷାବନ୍ଧନ ପର୍ବ ଭାରତୀୟ ଲୋକଙ୍କ ମଧ୍ୟରେ ଗଭୀର ସମ୍ପର୍କ ସ୍ଥାପନ କରିଆସୁଛି । ରକ୍ଷା ସୂତ୍ର୍ର ମାଧ୍ୟମରେ ସମାଜର ସୁରକ୍ଷା ପାଇଁ ପ୍ରତିଜ୍ଞା କରାଉଥିଲେ । ରାଜ ବ୍ୟବସ୍ଥାରେ ରାଜ ପୁରୋହିତ ରକ୍ଷା ସୂତ୍ରକୁ ରାଜାଙ୍କ ହାତରେ ବାନ୍ଧୁ ଥିଲେ ଏବଂ ଧର୍ମ,ସଂସ୍କୃତି, ପରମ୍ପରା ତଥା ସମଗ୍ର ପ୍ରଜାଙ୍କର ସୁରକ୍ଷା ପାଇଁ ସଂକଳ୍ପ କରାଉଥିଲେ ।
ପୁରାଣରେ ବର୍ଣ୍ଣନା ଅଛି । ସତ୍ୟଯୁଗର ମହାନ ରାଜା ବଳି ବହୁତ ଦାନ କରି ଚର୍ଚିତ ଥିଲେ । ତାଙ୍କ ଗର୍ବ ଭାଙ୍ଗି ପ୍ରଭୁ ବିଷ୍ଣୁ ତାଙ୍କୁ ପାତାଳରେ ଚାପି ଦେଇଥିଲେ । ବଳି ନିଜର ଭକ୍ତି ବଳରେ ବିଷ୍ଣୁଙ୍କୁ ପ୍ରସନ୍ନ କରାଇ ପ୍ରତ୍ୟେକ ସମୟରେ ନିଜ ପାଖରେ ରହିବା ପାଇଁ କହିଲେ । ବିଷ୍ଣୁ ତାଙ୍କ ପାଖରେ ରହିବେ ବୋଲି ସମ୍ମତି ପ୍ରଦାନ କଲେ । ହେଲେ ମା ଲକ୍ଷ୍ମୀ ଠାକୁରାଣୀ ଏ ବିଷୟ ଜାଣି ପାରି ଚିନ୍ତିତ ହୋଇ ପଡିଲେ । ଶେଷରେ ନାରଦଙ୍କ କଥା ଅନୁସାରେ ସେ ବଳିଙ୍କ ନିକଟକୁ ଯାଇ ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ଭାଇ କରି ନେଲେ । ଏହାପରେ ବିଷ୍ଣୁଙ୍କୁ ନିଜ ସାଥିରେ ନେଇଗଲେ ।
ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି । କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳିରେ କ୍ଷତ ହୋଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି କ୍ଷତ ହୋଇଥିବା ଅଙ୍ଗୁଳିରେ ଗୁଡ଼ାଇ ଦେଇଥିଲେ । ଯେତେବେଳେ କୁରୁସଭାରେ ଦୁର୍ଯେ୍ୟାଧନ ଆଦେଶରେ ଦୁଃଶାସନ ରଜସ୍ୱାଳା ଦ୍ରୌପଦୀଙ୍କୁ ରାଜସଭାରେ ସମସ୍ତ(କୌରବ ଓ ପାଣ୍ଡବ)ଙ୍କ ଉପସ୍ଥିତିରେ ଉଲଗ୍ନ କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ କୋଟିବସ୍ତ୍ର ଦାନକରି ଦ୍ରୌପଦୀଙ୍କର ଲଜ୍ୟା ନିବାରଣ କରିଥିଲେ ।
ସିକନ୍ଦର ମଧ୍ୟ ଏହି ରାକ୍ଷୀ ମାଧ୍ୟମରେ ନିଜର ଲକ୍ଷ୍ୟ ହାସଲ କରିଥିଲେ । ସିକନ୍ଦରର ପତ୍ନୀ ଶତ୍ରୁ ହିନ୍ଦୁ ରାଜା ପୁରୁଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ । ଏହା ବଦଳରେ ଯୁଦ୍ଧ ସମୟରେ ସିକନ୍ଦରକୁ ନମାରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ମାଗିଥିଲେ । ପୁରୁ ପ୍ରତିଶ୍ରୃତି ରକ୍ଷାକରି ଯୁଦ୍ଧ ସମୟରେ ସିକନ୍ଦରକୁ ନମାରି ଜୀବନ ଦାନ ଦେଇଥିଲେ । ସେଥିପାଇଁ ତାଙ୍କୁ ନିଜ ଜୀବନ ଉତ୍ସର୍ଗ କରିବାକୁ ପଡିଥିଲା ।
ରାକ୍ଷବନ୍ଧନର ସୂତ୍ର ଏହି ସମସ୍ତ ବିବିଧତା ଏବଂ ପାର୍ଥକ୍ୟ ଉପରେ ଏକତା ସୃଷ୍ଟି କରେ । ବିବିଧତା ସତ୍ୱେ ସମରସତା ସ୍ଥାପନ କରେ ।
ପବିତ୍ର ରକ୍ଷାବନ୍ଧନ ଦିବସରେ ସମସ୍ତେ ପରସ୍ପର ହାତରେ ରାକ୍ଷୀ ବାନ୍ଧି ସମସ୍ତଙ୍କୁ ସ୍ନେହ ସୂତ୍ରରେ ବାନ୍ଧିବା ପାଇଁ ସଂକଳ୍ପ ନିଅନ୍ତି । ଏତଦ୍ଦ୍ୱାରା ସାମାଜିକ ସମରସତା ପ୍ରତିଷ୍ଠା ହୁଏ । ସାମାଜିକ ସମରସତା ରାଷ୍ଟ୍ରକୁ ପରମବୈଭବ ସ୍ଥିତିକୁ ନେଇଯିବା ପାଇଁ ଏକମେବ ମାର୍ଗ ଅଟେ । ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକଙ୍କ ପ୍ରତି ସମ୍ବେଦନଶୀଳ ହୋଇ ସୁଖଦୁଃଖରେ ସହଯୋଗୀ ଓ ସହଭାଗୀ ହୁଅନ୍ତି । ଗୀତାରେ ଉଲ୍ଲିଖିତ ଅଛି “ସର୍ବଭୂତ- ସ୍ଥମାତ୍ମନଂ ସର୍ବଭୂତାନି ଚାତ୍ମନି, ଈକ୍ଷତେ ଯୋଗଯୁକ୍ରାତ୍ମା ସର୍ବତ୍ର ସମଦର୍ଶନଃ (୬-୨୯) ଅର୍ଥାତ୍ ସର୍ବବ୍ୟାପୀ ଅନନ୍ତ ଚେତନରେ ଅର୍ଥାତ୍ ପରବ୍ରହ୍ମ ପରମାତ୍ମାରେ ଏକୀଭାବରେ ସ୍ଥିତିରୂପ ଯୋଗଦ୍ୱାରା ଯୁକ୍ତ ଆତ୍ମବାନ ତଥା ସର୍ବତ୍ର ସମଭାବ ଦର୍ଶନ କରୁଥିବା ଯୋଗୀ ଆତ୍ମାକୁ ସକଳ ଭୂତରେ ଅବସ୍ଥିତ ଓ ସକଳ ଭୂତଙ୍କୁ ଆତ୍ମାରେ କଳ୍ପିତ ହୋଇଥିବା ଦେଖନ୍ତି ।