ନୂଆଦିଲ୍ଲୀ: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ସାରା ଦେଶରେ ଆନ୍ଦୋଳନର ରୂପ ନେଇଛି । ଡାକ୍ତରଖାନାରେ ଡାକ୍ତରଙ୍କୁ ରେପ୍ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ରାସ୍ତାକୁ ଓହ୍ଲାଇଛନ୍ତି ଡାକ୍ତର । ରୋଗୀ ସେବା ସଂପୂର୍ଣ୍ଣ ଠପ ହୋଇଯାଇଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ଡାକ୍ତରଙ୍କ ଦ୍ବାରା ଡକାଯାଇଥିବା ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଏବେ ଚାଲୁ ରହିଛି । ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସ୍ୱାସ୍ଥ୍ୟ ସେବା ବନ୍ଦ ଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି ।
କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି ହିଂସାକୁ ରୋକିବା ପାଇଁ ଡାକ୍ତରମାନେ ଏହି ଧର୍ମଘଟ ଆରମ୍ଭ କରିଛନ୍ତି। ରାଜନେତାମାନେ ବୟାନବାଜି କରୁଥିଲାବେଳେ ଡାକ୍ତରଙ୍କ ସୁରକ୍ଷା ଚିନ୍ତା କେହି କରୁନଥିବା ଡାକ୍ତମାନେ ଅଭିଯୋଗ କରୁଛନ୍ତି । ପୀଡିତାଙ୍କ ପରିବାରକୁ ନ୍ୟାୟ ସହ ସେମାନଙ୍କ ସୁରକ୍ଷା ଉପରେ ପଦକ୍ଷେପ ନିଆନଗଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଏହି ସମୟରେ ଓପିଡି ଏବଂ ଅନ୍ୟ ସେବା ବନ୍ଦ ରହିବ। ତେବେ ଅତି ଜରୁରୀ ସେବା ଜାରି ରହିବ। ଇମର୍ଜେନ୍ସି କେୟାର ଏବଂ ଅତ୍ୟନ୍ତ ଜଟିଳ ଚିକିତ୍ସା ଜାରି ରହିବ ବୋଲି କୁହାଯାଇଛି । କୌଣସି ପ୍ରକାର ଜରୁରୀ ମେଡିକାଲ ଆବଶ୍ୟକତା ପାଇଁ କାଜୁଆଲ୍ଟି ସେବା ଉପଲବ୍ଧ ହେବ ବୋଲି ଆଇଏମଇ ପକ୍ଷରୁ କୁହାଯାଇଛି ।
ଏହା ଦଶନ୍ଧିରେ ସବୁଠାରୁ ବଡ଼ ଆନ୍ଦୋଳନ ହେବାର ସଂଭାବନା ରହିଛି । ବିଶେଷ କରି ପଶ୍ଚିମବଂଗ ସରକାର ଯେପରି ଭାବେ ମହିଳା ହିଂସା ରୋକିବାରେ ବିଫଳ ହୋଇଛନ୍ତି ତାହାକୁ ନେଇ ରାଜନୀତି ଜୋରଧରିଛି । ଆଗାମୀ ଦିନରେ ପଶ୍ଚିମବଂଗ ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ । ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ବୟାନବାଜି ଚାଲିଥିବା ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଟିଳ ହୋଇଛି । ରାଜ୍ୟରେ ଶାନ୍ତି ସ୍ଥାପନ ପାଇଁ ପୋଲିସ ନିଜର କାମ ଠିକ କରିବାର ଆବଶ୍ୟକତା ରହିଛି ।