ବାଂଲାଦେଶରେ ହସିନାଙ୍କ ସରକାର ଭାଙ୍ଗିବା ପରେ ଭାରତ ସହ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଆଉ ଏହାରି ଭିତରେ ଭାରତ ସହ ବିବାଦ ମଧ୍ୟ ବଢ଼ିଛି । ଏହାର କାରଣ ଶେଖ ହାସିନା ବାଂଲାଦେଶ ଛାଡି ଭାରତରେ ଶରଣ ନେଇଛନ୍ତି। ଏପରି ସ୍ଥିତିରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ବାଂଲାର ଦାୟିତ୍ୱ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ହାତରେ ଅଛି। ତେବେ କଟ୍ଟରପନ୍ଥୀମାନେ ଭାରତରେ ହସିନାଙ୍କ ଶରଣକୁ ସହ୍ୟ କରିପାରୁନାହାଁନ୍ତି । ୟୁନୁସ ସରକାରଙ୍କ ସହ କେବଳ ଭାରତର ସଂପର୍କ ଖରାପ ହୋଇନାହିଁ । ବାଂଲାଦେଶର ନୂଆ ସରକାର ଆମେରିକା, ମାଳଦ୍ୱୀପ, ସଂଯୁକ୍ତ ଆରବ ଏମିରେଟ୍ସ, ଋଷିଆ, ସାଉଦି ଆରବ, ଜାପାନ ଏବଂ ଜର୍ମାନୀରେ ନିଯୁକ୍ତ ହୋଇଥିବା ରାଷ୍ଟ୍ରଦୂତମାନଙ୍କୁ ସ୍ବଦେଶ ଫେରି ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ରାଷ୍ଟ୍ରଦୂତଙ୍କୁ ଶେଖ ହାସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଯୁକ୍ତ କରାଯାଇଥିବାରୁ ସେ ଏପରି କରିଛନ୍ତି । ଭାରତରେ ବାଂଲାଦେଶର ହାଇ କମିଶନରେ ନିଯୁକ୍ତ ପ୍ରେସ ଅଫିସରଙ୍କୁ ମଧ୍ୟ ଫେରି ଆସିବାକୁ କୁହାଯାଇଛି। ଭାରତରେ ଥିବା ବାଂଲାଦେଶର ହାଇ କମିଶନଙ୍କୁ ଫେରାଇ ନିଆଯାଇଛି । ବାଂଲାଦେଶର ନୂଆ ସରକାର ତାଙ୍କ ପସନ୍ଦର ଅଧିକାରୀଙ୍କୁ ନିଯୁକ୍ତି କରିବାର ସଂଭାବନା ରହିଛି । ମଧ୍ୟବର୍ତ୍ତୀକାଳୀନ ସରକାର ଆୱାମି ଲିଗ ସହିତ ଘନିଷ୍ଠ ସମ୍ପର୍କ ଥିବା ଅଧିକାରୀଙ୍କୁ ନିଯୁକ୍ତି ଦେବେ ବୋଲି କୁହାଯାଉଛି । ତେବେ ଭାରତ ସହ ବାଂଲାଦେଶର ସଂପର୍କ କିପରି ରହିବ ତାହା ଆଗାମୀ ଦିନରେ ଜଣପଡିବ । ନିର୍ବାଚନରେ ହସିନା ଅଂଶଗ୍ରହଣ କରିବେ କି ନାହିଁ ଏବଂ ତାଙ୍କ ଦଳ ଜିତିବ କି ନାହିଁ ତାହା ହିଁ ଭାରତ ସହ ବାଂଲାଦେଶର ସଂପର୍କ ସ୍ଥିର କରିବ ।