ପଶ୍ଚିମବଙ୍ଗରେ ଯାହା କିଛି ଦିନ ଭିତରେ ଘଟିଛି ତାକୁ ନେଇ ସାରା ଦେଶରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ବିଶେଷ କରି ମମତା ସରକାର ଗୁଣ୍ଡାମାନଙ୍କୁ ପ୍ରଶୟ ଦେଉଥିବା ଅଭିଯୋଗ ହେଉଛି । ଏପରିକି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟାମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ମେଡିକାଲରେ ପଶି ଗୁଣ୍ଡାମାନେ ଯେଉଁଭଳି ବିଶୃଙ୍ଖଳା କଲେ ତାହା ପଛରେ ‘ବାମ ଓ ରାମ’ ବାଲାଙ୍କ ହାତ ଥିବା କହିଥିଲେ ମମତା । ଯାହାକୁ ନେଇ ବିଜେପି ପକ୍ଷରୁ କଟାକ୍ଷ କରାଯାଇଛି । ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏହି ବିବୃତ୍ତିକୁ ଦୃଢ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ କ୍ଷମତାର ଲୋଭରେ ମମତା ବାନାର୍ଜୀ ତାଙ୍କର ‘ମା, ମାଟି, ମାନୁଷ’ ସ୍ଲୋଗାନକୁ ଭୁଲିଯାଇଛନ୍ତି ଏବଂ ବର୍ତ୍ତମାନ ପ୍ରଭୁ ରାମଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ସେ କହିଛନ୍ତି ଯେ ନିକଟରେ କୋଲକାତାରେ ଘଟିଥିବା ଘଟଣା ନିର୍ଭୟା ଘଟଣା ଅପେକ୍ଷା ଅଧିକ ଭୟଙ୍କର ଏବଂ ମମତା ବାନାର୍ଜୀ ତାଙ୍କ ବିବୃତ୍ତିରେ ଏହି ପ୍ରସଙ୍ଗକୁ ବିଭ୍ରାନ୍ତ କରୁଛନ୍ତି। ଗିରିରାଜ ସିଂ କହିଛନ୍ତି ଯେ ଭଗବାନ ରାମ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ଏବଂ ସେ ବଙ୍ଗଳାରେ ଚାଲିଥିବା ଅନ୍ୟାୟକୁ ଶେଷ କରିବେ। ସେପଟେ ବାମପନ୍ଥୀ ଦଳ ପକ୍ଷରୁ ମମତାଙ୍କ ମନ୍ତବ୍ୟକୁ ନେଇ ତୀବ୍ର ବିରୋଧ କରାଯାଉଛି । ଆଗକୁ ପଶ୍ଚିମବଂଗରେ ଆନ୍ଦୋଳନ କରିବାକୁ ବିରୋଧୀମାନେ ଚେତାବନୀ ଦେଇଥିବା ବେଳେ ମମତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ।