ମୋର ପ୍ରିୟ ଦେଶବାସୀଗଣ,
ମୁଁ ଆପଣମାନଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
୭୮ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ଦେଖି ମୁଁ ଆନନ୍ଦିତ। ଏହି ଅବସରରେ ଲାଲକିଲ୍ଲା ହେଉ, ରାଜ୍ୟର ରାଜଧାନୀରେ ହେଉ କିମ୍ୱା ସ୍ଥାନୀୟ ଅଞ୍ଚଳରେ ତ୍ରିରଙ୍ଗା ଉତ୍ତୋଳନ ଦେଖିବା ଆମ ହୃଦୟକୁ ସବୁବେଳେ ରୋମାଞ୍ଚିତ କରିଥାଏ। ୧୪୦ କୋଟିରୁ ଅଧିକ ସାଥୀ ଭାରତୀୟଙ୍କ ସହ ଆମ ମହାନ ରାଷ୍ଟ୍ରର ଅଂଶ ହେବାର ଆନନ୍ଦର ଏହା ଏକ ପରିପ୍ରକାଶ। ଯେମିତି ଆମେ ଆମ ପରିବାର ସହିତ ବିଭିନ୍ନ ପର୍ବ ପର୍ବାଣି ପାଳନ କରିଥାଉ, ସେହିଭଳି ଆମେ ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ଆମ ପରିବାର ସହିତ ପାଳନ କରିଥାଉ ଯେଉଁଥିରେ ଆମର ସାଥୀ ନାଗରିକ ମାନେ ସାମିଲ ଥାଆନ୍ତି ।
ଅଗଷ୍ଟ ୧୫ ତାରିଖରେ ଆମ ଦେଶ ଓ ବିଦେଶର ସମସ୍ତ ସ୍ଥାନରେ ଭାରତୀୟମାନେ ପତାକା ଉତ୍ତୋଳନ ସମାରୋହରେ ଅଂଶଗ୍ରହଣ କରନ୍ତି, ଦେଶାତ୍ମବୋଧକ ଗୀତ ଗାନ କରନ୍ତି ଏବଂ ମିଠା ବାଣ୍ଟିଥାନ୍ତି। ଛୋଟ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି। ଯେତେବେଳେ ଆମେ ସେମାନଙ୍କୁ ଆମ ମହାନ ଦେଶ ବିଷୟରେ ଏବଂ ଏହାର ନାଗରିକ ହେବାର ସୌଭାଗ୍ୟ ବିଷୟରେ କହୁଥିବା ଶୁଣୁ, ସେତେବେଳେ ଆମେ ସେମାନଙ୍କ କଥାରେ ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନେ କ’ଣ କହୁଥିଲେ ତାହାର ପ୍ରତିଫଳନ ଦେଖିବାକୁ ପାଇଥାଉ। ଆମେ ଅନୁଭବ କରୁ ଯେ ଆମେ ସେପରି ଏକ ଶୃଙ୍ଖଳର ଅଂଶ ଯାହା ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ଲୋକଙ୍କ ସ୍ୱପ୍ନ ଏବଂ ଆଗାମୀ ବର୍ଷମାନଙ୍କରେ ଦେଶକୁ ଏହାର ପୂର୍ଣ୍ଣ ଗୌରବ ଫେରାଇ ଆଣିବାର ସାକ୍ଷୀ ହେବ।
ଇତିହାସର ଏହି ଶୃଙ୍ଖଳର ଆମେ ଯୋଗସୂତ୍ର ବୋଲି ଅନୁଭବ କରିବା ଦ୍ୱାରା ଆମ ଭିତରେ ଏକତାର ଚେତନା ପ୍ରସାରିତ ହୋଇଥାଏ। ଏହି ଅନୁଭୂତି ଆମକୁ ସେହିଦିନ ଗୁଡିକ କଥା ମନେ ପକାଇଦିଏ ଯେତେବେଳେ ଆମ ଦେଶ ବିଦେଶୀ ଶାସନ ଅଧୀନରେ ଥିଲା। ରାଷ୍ଟ୍ରଭକ୍ତି ଓ ବୀରତ୍ୱରେ ପରିପୂର୍ଣ୍ଣ ବ୍ୟକ୍ତିତ୍ୱ ମାନେ ସାହସିକତାର ସହ ବହୁ ବିପଦର ସାମ୍ନା କରି ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଆମେ ସେମାନଙ୍କ ପବିତ୍ର ସ୍ମୃତିକୁ ପ୍ରଣାମ କରୁଛୁ। ସେମାନଙ୍କ ଅକ୍ଳାନ୍ତ ଓ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ଶତାବ୍ଦୀ ଶତାବ୍ଦୀ ଧରି ସୁ୍ଡ ରହିଥିବା ଭାରତର ଆତ୍ମା ଜାଗ୍ରତ ହୋଇଥିଲା। ଅନେକ ପିଢ଼ିର ମହାନ ନେତାଙ୍କ ଠାରେ ଥିବା ବିଭିନ୍ନ ପରମ୍ପରା ଓ ମୂଲ୍ୟବୋଧକୁ ମିଳିଥିଲା ନୂତନ ଅଭିବ୍ୟକ୍ତି। ପରମ୍ପରାର ବିବିଧତା ଏବଂ ସେମାନଙ୍କର ଅଭିବ୍ୟକ୍ତିକୁ ଏକାଠି କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ।ତାଙ୍କ ସହିତ ସର୍ଦ୍ଦାର ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବାବାସାହେବ ଆମ୍ୱେଦକରଙ୍କ ସମେତ ଭଗତ ସିଂହ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଭଳି ମହାନ ଜନନାୟକ ମଧ୍ୟ ସକ୍ରିୟ ଥିଲେ। ଏହା ଏକ ଦେଶବ୍ୟାପୀ ଆନ୍ଦୋଳନ ଥିଲା, ଯେଉଁଥିରେ ସମସ୍ତ ସମ୍ପ୍ରଦାୟ ଅଂଶଗ୍ରହଣ କରିଥିଲେ। ଆଦିବାସୀଙ୍କ ମଧ୍ୟରେ ତିଲକା ମାଝୀ, ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ଫୁଲୋ ଝାନୋଙ୍କ ଭଳି ଅନେକଙ୍କ ବଳିଦାନକୁ ଏବେ ପ୍ରଶଂସା କରାଯାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଆମେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଆରଗ୍ଧ କରିଛୁ। ଆସନ୍ତା ବର୍ଷ ତାଙ୍କର ୧୫୦ ତମ ଜୟନ୍ତୀ ପାଳନ ରାଷ୍ଟ୍ରୀୟ ପୁନଃ ଜାଗରଣରେ ତାଙ୍କର ଅବଦାନକୁ ଆହୁରି ସମ୍ମାନିତ କରିବାର ଆମପାଇଁ ଏକ ମହାନ ସୁଯୋଗ ହେବ।
ଆଜି, ଅଗଷ୍ଟ ୧୪ରେ, ଦେଶ’ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି। ଆଜି ବିଭାଜନର ଭୟାବହତାକୁ ମନେ ପକାଇବାର ଦିନ। ଯେଉଁଦିନ ଆମ ମହାନ ଦେଶର ବିଭାଜନ ହେଲା, ଲକ୍ଷ ଲକ୍ଷ ଲୋକ ବାଧ୍ୟହୋଇ ସ୍ଥାନାନ୍ତରର ସମ୍ମୁଖୀନ ହେଲେ, ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ। ସ୍ୱାଧୀନତା ଦିବସ ପାଳନ କରିବାର ଗୋଟିଏ ଦିନ ପୂର୍ବରୁ ଆମେ ସେହି ଅତୁଳନୀୟ ମାନବିକ ଦୁଃଖଦ ଘଟଣାକୁ ସ୍ମରଣ କରୁଛୁ ଓ ତାହାଦ୍ୱାରା ପ୍ରଭାବିତ ହୋଇଥିବା ପରିବାର ସହିତ ଛିଡା ହୋଇଛୁ ।
ଆମେ ସମ୍ୱିଧାନର ୭୫ତମ ବର୍ଷ ପାଳନ କରୁଛୁ। ନୂତନ ଭାବେ ସ୍ୱାଧୀନତା ହାସଲ କରିଥିବା ଭାରତରର ଯାତ୍ରା ବାଧାବିଘ୍ନ ବିହୀନ ନଥିଲା। ନ୍ୟାୟ, ସମାନତା, ସ୍ୱାଧୀନତା ଏବଂ ଭାଇଚାରାର ସାମ୍ୱିଧାନିକ ଆଦର୍ଶ ଉପରେ ଅଟଳ ରହି ଆମେ ବିଶ୍ୱସ୍ତରରେ ଭାରତକୁ ତା’ର ଉଚିତ ସ୍ଥାନ ଫେରାଇ ଆଣିବାରେ ସକ୍ଷମ କରିବା ଲକ୍ଷ୍ୟରେ ଆମେ ଦୃଢ଼ ରହିଛୁ।
ଚଳିତ ବର୍ଷ ଆମ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସମୁଦାୟ ଭୋଟରଙ୍କ ସଂଖ୍ୟା ପାଖାପାଖି ୯୭ କୋଟି ଥିଲା ଯାହା ଏକ ଐତିହାସିକ କୀର୍ତ୍ତିମାନ ଥିଲା। ମାନବ ସମ୍ପ୍ରଦାୟ, ଇତିହାସର ସବୁଠାରୁ ବଡ ନିର୍ବାଚନ ପ୍ରକ୍ରିୟାର ସାକ୍ଷୀ ରହିଲା। ଏଭଳି ଏକ ବିଶାଳ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଓ ନିରପେକ୍ଷ ଭାବେ ଆୟୋଜନ କରିଥିବାରୁ ନିର୍ବାଚନ ଆୟୋଗ ଅଭିନନ୍ଦନର ପତ୍ର। ମୁଁ ସମସ୍ତ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ଭୀଷଣ ଗ୍ରୀଷ୍ମ ପ୍ରବାହ ସତ୍ୱେ ମତଦାତାମାନଙ୍କୁ ସହାୟତା କରିଥିଲେ। ଏତେ ସଂଖ୍ୟକ ଲୋକଙ୍କ ମତାଧିକାର ସାବ୍ୟସ୍ତ କରିବା ଗଣତାନ୍ତ୍ରିକ ବିଚାରଧାରାର ଅଭୂତପୂର୍ବ ସମର୍ଥନକୁ ଦର୍ଶାଉଛି। ଭାରତର ସଫଳ ନିର୍ବାଚନ ପରିଚାଳନା ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ଶକ୍ତିକୁ ସୁଦୃଢ଼ କରିଛି।
ପ୍ରିୟ ଦେଶବାସୀଗଣ,
୨୦୨୧ରୁ ୨୦୨୪ ମଧ୍ୟରେ ୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି। ଏହାଦ୍ୱାରା କେବଳ ଲୋକଙ୍କ ପାଖରେ ଅଧିକ ଅର୍ଥ ପହଞ୍ଚି ନାହିଁ ବରଂ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଇଛି। ଯେଉଁମାନେ ଏବେ ମଧ୍ୟ ଦାରିଦ୍ର୍ୟରେ ପୀଡ଼ିତ ଅଛନ୍ତି, ସେମାନଙ୍କୁ କେବଳ ସାହାଯ୍ୟର ହାତ ବଢ଼ାଇବା ପାଇଁ ନୁହେଁ ବରଂ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ମଧ୍ୟ ସମସ୍ତ ପ୍ରୟାସ କରାଯାଉଛି। ଉଦାହରଣ ସ୍ୱରୂପ, କୋଭିଡ୍ – ୧୯ର ପ୍ରାରମ୍ଭିକ ପର୍ଯ୍ୟାୟରେ ଆରଗ୍ଧ ହୋଇଥିବା ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ପ୍ରଦାନ କରାଯାଉଛି, ଯାହା ସୁନିଶ୍ଚିତ କରୁଛି ଯେ ଯେଉଁମାନେ ଦାରିଦ୍ର୍ୟରୁ ବାହାରକୁ ଆସିଛନ୍ତି, ସେମାନେ ଯେଭଳି ପୁଣି ସେହି ଅବସ୍ଥାକୁ ନ ଯାଆନ୍ତି, ତାହା ସୁନିଶ୍ଚିତ କରିବା।
ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆମେ ମଧ୍ୟ ଖୁବଶୀଘ୍ର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛୁ। ଏହା କେବଳ କୃଷକ ଓ ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମ, ନୀତି ନିର୍ମାତା ଓ ଉଦ୍ୟମିମାନଙ୍କଙ୍କ ଦୂରଦୃଷ୍ଟି ଏବଂ ଦୂରଦର୍ଶୀ ସମ୍ପନ୍ନ ନେତୃତ୍ୱ ଦ୍ୱାରା ସଗ୍ଧବ ହୋଇପାରିଛି।
ଆମର ଅନ୍ନଦାତା କୃଷକମାନେ ଆଶାଠାରୁ ଅଧିକ କୃଷି ଉତ୍ପାଦନ ସୁନିଶ୍ଚିତ କରିଛନ୍ତି। ଏହା ଦ୍ୱାରା ସେମାନେ ଭାରତକୁ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏବଂ ଆମ ଦେଶବାସୀଙ୍କୁ ଖାଦ୍ୟ ଉପଲବ୍ଧ କରାଇବା କ୍ଷେତ୍ରରେ ଅମୁଲ୍ୟ ଯୋଗଦାନ ଦେଇଛନ୍ତି। ବିଗତ ବର୍ଷଗୁଡ଼ିକରେ ଦେଶରେ ଭିତ୍ତିଭୂମିକୁ ଅଧିକ ପ୍ରୋତ୍ସାହନ ମିଳିଛି।
ରଣନୀତିକ ଯୋଜନା ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସଡ଼କ ଓ ରାଜପଥ, ରେଳପଥ ଏବଂ ବନ୍ଦରର ନେଟୱାର୍କକୁ ବିସ୍ତାର କରିବାରେ ସାହାଯ୍ୟ କରିଛି। ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳର ବିପୁଳ ସଗ୍ଧାବନାକୁ ଦୃଷ୍ଟିରେ ରଖି ସରକାର ସେମିକଣ୍ଡକ୍ଟର ଏବଂ କୃତ୍ରିମ ବୁଦ୍ଧିମତା ଭଳି ଅନେକ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି। ଏହା ଛଡା ଷ୍ଟାର୍ଟଅପ୍ ଗୁଡ଼ିକୁ ଜୋରଦାର ଭାବେ ପ୍ରୋତ୍ସାହିତ କରିବା ପାଇଁ ଏକ ଆଦର୍ଶ ଇକୋସିଷ୍ଟମ୍ ମଧ୍ୟ ସୃଷ୍ଟି କରାଯାଇଛି ଯାହା ସେମାନଙ୍କ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଏହା ଭାରତକୁ ଆହୁରି ଆକର୍ଷଣୀୟ ନିବେଶ ସ୍ଥଳରେ ପରିଣତ କରିଛି। ଅଧିକ ସ୍ୱଚ୍ଛତା ସହିତ ବ୍ୟାଙ୍କିଙ୍ଗ ଓ ଆର୍ଥିକ କ୍ଷେତ୍ର ଅଧିକ ଦକ୍ଷ ହୋଇପାରିଛି। ଏହି ସବୁ କାରଣ ପରବର୍ତ୍ତୀ ପିଢ଼ିର ଅର୍ଥନୈତିକ ସଂସ୍କାର ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମଞ୍ଚ ପ୍ରସ୍ତୁତ କରିଛି ଯାହା ଦ୍ୱାରା ଭାରତ ବିକଶିତ ରାଷ୍ଟ୍ର ତାଲିକାରେ ସାମିଲ ହୋଇପାରିବ।
ଏହି ଦ୍ରୁତ କିନ୍ତୁ ସମାନ ପ୍ରଗତି ଯୋଗୁ ଭାରତର ସ୍ତିତି ବିଶ୍ୱ ସ୍ଥରରେ ବୃଦ୍ଧି ପାଇଛି। ଜି- ୨୦ ଅଧ୍ୟକ୍ଷତାର ସଫଳ ସମାପନ ପରେ ଭାରତ ଗ୍ଲୋବାଲ ସାଉଥର ସ୍ୱର ଭାବରେ ନିଜର ଭୂମିକାକୁ ସୁଦୃଢ଼ କରିଛି। ବିଶ୍ୱ ଶାନ୍ତି ଓ ସମୃଦ୍ଧିର ପରିସରକୁ ବିସ୍ତାର କରିବା ପାଇଁ ଭାରତ ନିଜର ପ୍ରଭାବଶାଳୀ ସ୍ଥିତିକୁ ବ୍ୟବହାର କରିବାକୁ ଚାହୁଁଛି।
ମୋର ପ୍ରିୟ ଦେଶବାସୀଗଣ,
ଆମ ସମ୍ୱିଧାନର ରଚୟିତା ଡକ୍ଟର ବି.ଆର. ଆମ୍ୱେଦକରଙ୍କ କଥା ସର୍ବଦା ମନେ ରଖିବା ଉଚିତ। ସେ ବାସ୍ତବରେ ସଠିକ୍ ଭାବେ କହିଥିଲେ ଏବଂ ମୁଁ ଉଦ୍ଧୃତ କରୁଛି, “ଆମକୁ ଆମ ରାଜନୈତିକ ଗଣତନ୍ତ୍ରକୁ ଏକ ସାମାଜିକ ଗଣତନ୍ତ୍ରରେ ପରିଣତ କରିବା ଉଚିତ୍। ରାଜନୈତିକ ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ ଯଦି ସାମାଜିକ ଗଣତନ୍ତ୍ର ଏହାର ଆଧାର ନ ହୁଏ।” ରାଜନୈତିକ ଗଣତନ୍ତ୍ରର କ୍ରମାଗତ ପ୍ରଗତି, ସାମାଜିକ ଗଣତନ୍ତ୍ରର ସୁଦୃଢ଼ୀକରଣ ଦିଗରେ ହୋଇଥିବା ଅଗ୍ରଗତିର ପ୍ରମାଣ ଦେଇଥାଏ। ଅନ୍ତର୍ଭୁକ୍ତିକରଣର ଭାବନା ଆମ ସାମାଜିକ ଜୀବନର ପ୍ରତ୍ୟେକ ଦିଗରେ ବ୍ୟାପିଛି। ଆମର ବିବିଧତା ଏବଂ ବହୁବିଧତା ସହିତ ଆମେ ଏକଜୁଟ ହୋଇ ଏକ ରାଷ୍ଟ୍ର ଭାବରେ ଏକାଠି ଆଗକୁ ବଢ଼ୁଛୁ। ସକାରାତ୍ମକ କାର୍ଯ୍ୟକୁ ଅନ୍ତର୍ଭୁକ୍ତୀକରଣର ଏକ ଉପକରଣ ଭାବରେ ସୁଦୃଢ଼ କରିବା ଆବଶ୍ୟକ। ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଭାରତ ପରି ଏକ ବିଶାଳ ଦେଶରେ, ସାମାଜିକ ମାନ୍ୟତା ଆଧାରରେ ମତଭେଦକୁ ପ୍ରୋତ୍ସାହିତ କରୁଥିବା ପ୍ରବୃତ୍ତିକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିବ। ସାମାଜିକ ନ୍ୟାୟ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସରକାର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସମାଜର ଅନ୍ୟାନ୍ୟ ଅବହେଳିତ ବର୍ଗଙ୍କ କଲ୍ୟାଣ ପାଇଁ ଅନେକ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଓ ରୋଜଗାର ଆଧାରିତ ଜନକଲ୍ୟାଣ ଅର୍ଥାତ୍ ପିଏମ-ସୁରଜର ଲକ୍ଷ୍ୟ ହେଉଛି ପଛୁଆ ସମ୍ପ୍ରଦାୟର ଲୋକଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବା। ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା-ଅଭିଯାନ ବା ପିଏମ- ଜନମନ ଗଣ ଅଭିଯାନରେ ପରିଣତ ହୋଇଛି। ଏଥିରେ ସ୍ୱତନ୍ତ୍ର ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ନ୍ୟାସନାଲ ଆକ୍ସନ ଫର ମେକାନାଇଜଡ଼ ସାନିଟେସନ ଇକୋ-ସିଷ୍ଟମ ବା ‘ନମସ୍ତେ’ ଯୋଜନାରେ ଏହା ସୁନିଶ୍ଚିତ କରିବ ଯେ କୌଣସି ସଫେଇ କର୍ମଚାରୀଙ୍କୁ ନଲଲର୍ସମା ଏବଂ ଆବର୍ଜନା ଟାଙ୍କି ସଫା କରିବା ଭଳି ବିପଜ୍ଜନକ କାର୍ଯ୍ୟ ହାତରେ କରିବାକୁ ପଡିବ ନାହିଁ।
‘ନ୍ୟାୟ’ ଶବ୍ଦ ବ୍ୟାପକ ଅର୍ଥରେ ବିଭିନ୍ନ ସାମାଜିକ କାରଣ ସହ ଅନ୍ତର୍ଭୁକ୍ତ। ମୁଁ ସେଗୁଡିକ ମଧ୍ୟରୁ ଦୁଇଟି ଉପରେ ବିଶେଷ ଭାବରେ ଗୁରୁତ୍ୱ ଦେବାକୁ ଚାହେଁ। ତାହା ହେଉଛି ମହିଳା-ପୁରୁଷଙ୍କ ମଧ୍ୟରେ ନ୍ୟାୟଗତ ସମାନତା ଏବଂ ଜଳବାୟୁ ନ୍ୟାୟ।
ଆମ ସମାଜରେ ନାରୀଙ୍କୁ କେବଳ ସମାନତା ନୁହେଁ, ବରଂ ସମାନତାଠାରୁ ମଧ୍ୟ ଅଧିକ ମାନ୍ୟତା ଦିଆଯାଇଥାଏ। ତଥାପି ସେମାନଙ୍କୁ ପରମ୍ପରାଗତ ଭେଦଭାବର ଶିକାର ହେବାକୁ ପଡିଥାଏ। କିନ୍ତୁ ମୁଁ ଆନନ୍ଦିତ ଯେ ସରକାର ମହିଳା କଲ୍ୟାଣ ଏବଂ ମହିଳା ସଶକ୍ତୀକରଣକୁ ସମାନ ଗୁରୁତ୍ୱ ଦେଇଛନ୍ତି। ଗତ ଦଶନ୍ଧି ମଧ୍ୟରେ ଏଥିପାଇଁ ବଜେଟ୍ ଆବଣ୍ଟନ ତିନି ଗୁଣରୁ ଅଧିକ ହୋଇଛି। ଶ୍ରମଶକ୍ତିରେ ସେମାନଙ୍କର ଭାଗିଦାରୀ ବୃଦ୍ଧି ପାଇଛି। ଏହି କ୍ଷେତ୍ରରେ ଜନ୍ମ ସମୟରେ ଝିଅମାନଙ୍କ ଅନୁପାତରେ ଘଟିଥିବା ଉଲ୍ଲେଖନୀୟ ବୃଦ୍ଧି ସବୁଠାରୁ ଉତ୍ସାହଜନକ। ମହିଳାମାନଙ୍କ ଉନ୍ନତି କଳ୍ପେ ସରକାର ଅନେକ ସ୍ୱତନ୍ତ୍ର ଯୋଜନା ଲାଗୁ କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମର ଉଲେଲସଶ୍ୟ ହେଉଛି ମହିଳାଙ୍କ ପ୍ରକୃତ ସଶକ୍ତିକରଣକୁ ସୁନିଶ୍ଚିତ କରିବା।
ଜଳବାୟୁ ପରିବର୍ତ୍ତନ ଏବେ ବାସ୍ତବତାରେ ପରିଣତ ହୋଇଛି। ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ସେମାନଙ୍କର ଅର୍ଥନୈତିକ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଅଧିକ ଆହ୍ୱାନମୂଳକ ହୋଇଛି। ତଥାପି ଆମେ ସେହି ଦିଗରେ ଆଶାଠାରୁ ଅଧିକ ଅଗ୍ରଗତି କରିସାରିଛୁ। ବିଶ୍ୱ ତାପାୟନର ସବୁଠାରୁ ଖରାପ ପ୍ରଭାବରୁ ପୃଥିବୀକୁ ରକ୍ଷା କରିବା ପାଇଁ ମାନବଜାତିର ଲଢ଼େଇରେ ଅଗ୍ରଣୀ ଥିବାରୁ ଭାରତ ଗର୍ବ ଅନୁଭବ କରୁଛି। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କ ଜୀବନଶୈଳୀରେ ଛୋଟ କିନ୍ତୁ ପ୍ରଭାବଶାଳୀ ପରିବର୍ତ୍ତନ କରନ୍ତୁ ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରିବାରେ ଯୋଗଦାନ କରନ୍ତୁ।
ନ୍ୟାୟ ବିଷୟରେ କହିବାକୁ ଗଲେ ମୁଁ ଏକଥା ମଧ୍ୟ କହିବାକୁ ଚାହୁଁଛି ଯେ ଚଳିତ ବର୍ଷ ଜୁଲାଇ ମାସରୁ ଭାରତୀୟ ନ୍ୟାୟ ସଂହିତାକୁ ଗ୍ରହଣ କରି ଆମେ ଔପନିବେଶିକ ଯୁଗର ଆଉ ଏକ ଅବଶେଷକୁ ହଟାଇ ଦେଇଛୁ। କେବଳ ଦଣ୍ଡ ଉପରେ ଧ୍ୟାନ ନ ଦେଇ ଅପରାଧ-ପୀଡ଼ିତଙ୍କୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ନୂଆ ଆଇନ ଉଦ୍ଦିଷ୍ଟ।
ମୁଁ ଏହି ପରିବର୍ତ୍ତନକୁ ସ୍ୱାଧୀନତା ସେନାନୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଭାବରେ ବିବେଚନା କରୁଛି।
ଆମ ଯୁବପିଢ଼ି ସ୍ୱାଧୀନତାର ଶତବାର୍ଷିକୀ ପର୍ଯ୍ୟନ୍ତ ଚାଲିଥିବା ଅମୃତ କାଳ ଅର୍ଥାତ ଆଜିଠାରୁ ପ୍ରାୟ ଏକ ଚତୁର୍ଥାଂଶ କାଳଖଣ୍ଡକୁ ବାସ୍ତବ ରୂପ ପ୍ରଦାନ କରିବେ। ସେମାନଙ୍କର ଶକ୍ତି ଏବଂ ଉତ୍ସାହ ବଳରେ ହିଁ ଆମ ଦେଶ ନୂତନ ଶିଖରରେ ପହଞ୍ଚିବ। ଆମର ପ୍ରାଥମିକତା ହେଉଛି, ଯୁବପିଢ଼ିର ମନ ଓ ମସ୍ତିଷ୍କକୁ ବିକଶିତ କରିବା ତଥା ପରମ୍ପରା ଏବଂ ସମସାମୟିକ ଜ୍ଞାନର ସର୍ବୋତ୍ତମ ଦିଗକୁ ଗ୍ରହଣ କରିବା ଲାଗି ନୂତନ ମାନସିକତା ସୃଷ୍ଟି କରିବା। ଏହି ପରିପ୍ରେକ୍ଷୀରେ ୨୦୨୦ରୁ ଆରଗ୍ଧ ହୋଇଥିବା ଜାତୀୟ ଶିକ୍ଷା ନୀତିର ନିର୍ଯ୍ୟାସ ପ୍ରକାଶ ପାଇବା ଆରଗ୍ଧ ହୋଇଛି।
ଯୁବ ପ୍ରତିଭାର ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ ସରକାର ଦକ୍ଷତା, ନିଯୁକ୍ତି ଏବଂ ଅନ୍ୟାନ୍ୟ ସୁଯୋଗର ସୁବିଧା ପାଇଁ ପଦକ୍ଷେପ ନେଇଛନ୍ତି। ରୋଜଗାର ଏବଂ ଦକ୍ଷତା ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଞ୍ଚଟି ଯୋଜନା ମାଧ୍ୟମରେ ପାଞ୍ଚ ବର୍ଷ ମଧ୍ୟରେ ୪ କୋଟି ୧୦ ଲକ୍ଷ ଯୁବକ ଉପକୃତ ହେବେ। ସରକାରଙ୍କ ଏକ ନୂଆ ପଦକ୍ଷେପ ଅଧୀନରେ ୧ କୋଟି ଯୁବକ ୫ ବର୍ଷ ମଧ୍ୟରେ ଅଗ୍ରଣୀ କମ୍ପାନୀରେ ଇଣ୍ଟର୍ନସିପ୍ କରିବେ। ଏହିସବୁ ପଦକ୍ଷେପ ବିକଶିତ ଭାରତ ଗଠନ ଦିଗରେ ଏକ ମୌଳିକ ଅବଦାନ ହେବ।
ଭାରତରେ ଆମେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଜ୍ଞାନର ଅନୁସନ୍ଧାନର ଏକ ଅଂଶ ଭାବରେ ଦେଖୁଛୁ ଏବଂ ମାନବିକ ପ୍ରଗତିର ଉପକରଣ ଭାବରେ ଦେଖୁଛୁ।
ଉଦାହରଣ ସ୍ୱରୂପ, ଡିଜିଟାଲ ପ୍ରୟୋଗ କ୍ଷେତ୍ରରେ ଆମର ସଫଳତା, ଅନ୍ୟ ଦେଶରେ ପ୍ରୟୋଗାତ୍ମକ ଭାବରେ ବ୍ୟବହୃତ ହେଉଛି। ବିଗତ କିଛି ବର୍ଷ ମଧ୍ୟରେ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଛି। ଆପଣମାନଙ୍କ ସହିତ ମୁଁ ମଧ୍ୟ ଆସନ୍ତା ବର୍ଷ ଗଗନଯାନ ମିଶନର ଉତକ୍ଷେପଣକୁ ଉତ୍ସୁକତାର ସହ ଅପେକ୍ଷା କରିଛି, ଯାହା ଭାରତର ପ୍ରଥମ ମାନବ ମହାକାଶଯାତ୍ରାରେ ଭାରତୀୟ ମହାକାଶଚାରୀଙ୍କ ଏକ ଦଳକୁ ମହାକାଶକୁ ନେଇଯିବ।
କ୍ରୀଡ଼ା ଜଗତ ହେଉଛି ଆଉ ଏକ କ୍ଷେତ୍ର ଯେଉଁଥିରେ ଗତ ଦଶନ୍ଧି ମଧ୍ୟରେ ଆମ ଦେଶ ବହୁତ ଅଗ୍ରଗତି କରିଛି। କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ସରକାର ସଠିକ୍ ପ୍ରାଥମିକତା ଦେଇଛନ୍ତି ଏବଂ ଏହାର ସୁଫଳ ମଧ୍ୟ ମିଳୁଛି। ନିକଟରେ ଶେଷ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ାରେ ଭାରତୀୟ ଦଳ ନିଜର ସର୍ବୋତ୍ତମ ପ୍ରୟାସ କରିଥିଲା। ଖେଳାଳିଙ୍କ ନିଷ୍ଠା ଓ କଠିନ ପରିଶ୍ରମକୁ ମୁଁ ପ୍ରଶଂସା କରୁଛି। ସେମାନେ ଯୁବପିଢ଼ିଙ୍କୁ ପ୍ରେରଣା ଦେଇଛନ୍ତି। କ୍ରିକେଟରେ ଭାରତ ଟି-୨୦ ବିଶ୍ୱକପ୍ ଜିତିବା ପରେ ବହୁ ସଂଖ୍ୟାରେ ପ୍ରଶଂସକ ଖୁସି ହୋଇଛନ୍ତି। ଚେସରେ ଆମର ସାଥୀମାନେ ଦେଶକୁ ଗର୍ବିତ କରିଛନ୍ତି। ଚେସରେ ଏହା ଏକ ଭାରତୀୟ ଯୁଗର ଆରଗ୍ଧ ବୋଲି କୁହାଯାଉଛି। ବ୍ୟାଡମିଣ୍ଟନ, ଟେନିସ ଓ ଅନ୍ୟାନ୍ୟ କ୍ରୀଡ଼ାରେ ଆମ ଯୁବପିଢ଼ି ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି। ସେମାନଙ୍କ ସଫଳତା ପରବର୍ତ୍ତୀ ପିଢ଼ିକୁ ମଧ୍ୟ ପ୍ରେରଣା ଦେଉଛି।
ଦେଶ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଏହି ଉତ୍ସାହପୂର୍ଣ୍ଣ ଅବସରରେ ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ବିଶେଷ କରି ସଶସ୍ତ୍ର ବାହିନୀର ବୀର ଯବାନମାନଙ୍କୁ ଶୁଭେଚ୍ଛା ଜଣାଉଛି, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଆମ ସ୍ୱାଧୀନତାକୁ ସୁରକ୍ଷା ଦେଉଛନ୍ତି। ସାରା ଦେଶରେ ସତର୍କ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ମୁଁ ନ୍ୟାୟପାଳିକାର ସଦସ୍ୟ ଏବଂ ନାଗରିକ ସେବା ସଦସ୍ୟ ସହ ବିଦେଶରେ ଥିବା ଦୂତାବାସରେ ଥିବା ଆମ ଅଧିକାରୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି। ଆମ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ମୋର ଶୁଭେଚ୍ଛା! ଆପଣମାନେ ଆମ ପରିବାରର ଏକ ଅଂଶ ଅଟନ୍ତି, ଆପଣଙ୍କ ସଫଳତାରେ ଆପଣ ଆମକୁ ଗୌରବାନିତ୍ୱ କରୁଛନ୍ତି। ଆପଣମାନେ ଗର୍ବର ସହିତ ଭାରତର ସଂସ୍କୃତି ଓ ଐତିହ୍ୟର ପ୍ରତିନିଧିତ୍ୱ କରୁଛନ୍ତି।
ପୁଣି ଥରେ ମୁଁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି।
ଧନ୍ୟବାଦ। ଜୟ ହିନ୍ଦ ! ଜୟ ଭାରତ !