ଶ୍ରାବଣ ଚତୁର୍ଥ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ । ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଜଳ ଲାଗି ପାଇଁ ଚାଲିଛି କାଉଡ଼ିଆଙ୍କ ଭିଡ଼ । ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ । ରାଜଧାନୀ ବୁବନେଶ୍ବରର ଆରାଧ୍ୟ ଲିଙ୍ଗରାଜ ପୁରୀର ମହାପ୍ରଭୁ ଲୋକନାଥ ଢେଙ୍କାନାଳର କପିଳାସ କଟକର ଧବଳେଶ୍ବର ଭଦ୍ରକ ଆରଡ଼ିର ଆଖଣ୍ଡଳମଣୀ ଓ ନୟାଗଡ଼ର ଲଡ଼ୁବାବାଙ୍କ ପୀଠ ଭଳି ପ୍ରମୁଖ ଶୈବପୀଠରେ ବଡ଼ି ଭୋରରୁ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଭଳ ଲାଗି କରିଛନ୍ତି । ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି କଲେ ମାନସିକ ପୂରଣ ହୁଏ ବୋଲି ପୌରାଣିକ ବିଶ୍ବାସ ରହିଛି । ସେଥିପାଇଁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ମାସକ ପୂର୍ବରୁ ରୀତିନୀତି ପାଳନ କରିଥାନ୍ତି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡ଼ିକରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।