ଭୁବନେଶ୍ବର: ନିର୍ବାଚନ ସରିଛି । ସରକାର ବଦଳିଛି । ନୂଆ ସରକାର ଏବେ ଦୁର୍ନୀତି ମୁକ୍ତ ସରକାର ଚଳାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଯେଉଁ ପ୍ରଶ୍ନକୁ ନେଇ ରାଜନୀତି ନିର୍ବାଚନ ସମୟରେ ଜୋର ଧରିଥିଲା ଏବେ ସେହି ପ୍ରସଙ୍ଗର ତଦନ୍ତ ହେବାକୁ ସରକାର କହିଛନ୍ତି । ୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି. କେ ପାଣ୍ଡିଆନ ହେଲିକପ୍ଟରରେ ଯେଉଁ ବୁଲୁଥିଲେ ତାହାର ତଦନ୍ତ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ଭି. କେ ପାଣ୍ଡିଆନ ସଚିବ ଥିବା ବେଳେ ବିଭିନ୍ନ ଜିଲ୍ଲା ବୁଲିଛନ୍ତି ଏବଂ ହେଲିକପ୍ଟର ବ୍ୟବହାର କରିଛନ୍ତି। ଏନେଇ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଭଗୀୟ ସଚିବ ଯାହାର ହେଲିକପ୍ଟର ବ୍ୟବହାର କରିବାର ପ୍ରବଧାନ ନାହିଁ, ସରକାର କେମିତି ଅନୁମତି ଦେଇଥିଲେ ଏବଂ ସେ ବୁଲିଲେ ତାହାର ତଦନ୍ତ ହେବ । କିଏ ହେଲିକପଟର ଅବତାରଣ କରିବା ପାଇଁ ପ୍ରୋସେସ କରିଥିଲେ, ଏ ସବୁ ତଦନ୍ତ ପରିସରଭୁକ୍ତ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ। ଆଇନ ମନ୍ତ୍ରୀ କହିଛନ୍ତି ଏନେଇ କାର୍ଯ୍ୟ ସ୍ଥିର ହୋଇଛି । କିଛିଦିନ ପରେ ଏସବୁ ସ୍ପଷ୍ଟ ହୋଇଯିବ ।
ନିର୍ବାଚନ ପୂର୍ବରୁ ଅଭିଯୋଗ ଶୁଣିବା ପାଇଁ ନବୀନ ପଟ୍ଟନାୟକ ପଠାଉଥିବା ପାଣ୍ଡିଆନ କହୁଥିଲେ । ତେବେ ନୂଆ ସରକାର ଆସିବା ପରେ ରାଜ୍ୟରେ ବିଜେପି ସରକାର ଆକ୍ସନ ମୋଡକୁ ଆସିଛନ୍ତି। ଏନେଇ ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା, ତାର ସ୍ପଷ୍ଟତା ଆସିବା ଦରକାର। ଲୋକେ ଏସବୁ ଜାଣିବା ଦରକାର । ଲୋକଙ୍କୁ ଏସବୁ ଅନ୍ଧାରରେ ରଖାଯାଇପାରିବ ନାହିଁ । ଲୋକଙ୍କ ପଇସା ଯଦି ଖର୍ଚ ହୋଇଥିବ ତାହେଲେ ଲୋକଙ୍କର ଏସବୁ ଜାଣିବାର ଅଧିକାର ରହିଛି । ତେଣୁ ତଦନ୍ତ ହେବା ଆବଶ୍ୟକତା ରହିଛି। ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା । ପାଣ୍ଡିଆନ ପାଖାପାଖି ୪୦୦ ରୁ ୪୫୦ ଜାଗା ବୁଲିଛନ୍ତି। ହେଲିପ୍ୟାଡ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ଆଗାମୀ ଦିନରେ ସବୁ ସ୍ପଷ୍ଟ କରାଯିବ । ଏହାକୁ ନେଇ ଏବେ ରାଜନୀତି ଜୋରଧରିଛି । ଆଗକୁ ଏ ଦିଗରେ ସରକାର କଣ ସବୁ ଲୋକଙ୍କୁ ଜଣାଉଛନ୍ତି ତାହା ଦେଖିବାକୁ ରାଜ୍ୟବାସୀଙ୍କ ଅପେକ୍ଷା ରହିଛି ।