ଭୁବନେଶ୍ବର : ଓଡ଼ିଶା ମୁହାଁ ଏବେ ବାଂଲାଦେଶୀ ନାଗରିକ । ରାଜନୈତିକ ହିଂସା ପାଇଁ ବାଂଲାଦେଶକୁ ସୁରକ୍ଷିତ ମଣୁନାହାଁନ୍ତି ଅନେକ ବାଂଲାଦେଶ ନାଗରିକ । ଖାଲି ହିନ୍ଦୁ ନୁହଁନ୍ତି ଯେଉଁମାନେ ଶେଖ ହାସିନାଙ୍କୁ ସମର୍ଥନ କରୁଥିଲେ ସମସ୍ତଙ୍କୁ ଖୋଜି ଖୋଜି ଆକ୍ରମଣ କରାଯାଉଛି । କାରଣ ସେମାନେ ଭୋଟ ଦେଇଥିଲେ ହାସିନାଙ୍କ ଦଳକୁ । ଏହାରି ଭିତରେ ଭାରତ ମୁହାଁ ହୋଇଛନ୍ତି ବାଂଲାଦେଶୀ ନାଗରିକ। ବିଶେଷକରି, ଓଡ଼ିଶାର ଉପକୂଳ ଦେଇ ହଜାର ହଜାର ବାଂଲାଦେଶୀ ପ୍ରବେଶ କରିବାପାଇଁ ଉଦ୍ୟମ କରୁଛନ୍ତି। ଯାହାକି, ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଧାମରାଠାରୁ ମାତ୍ର ବାଂଲାଦେଶର ଦୂରତ୍ବ ୨୦୦ରୁ ୨୫୦ କିମି। ଜଳପଥ ଦେଇ ମାଛ ଧରିବା ବାହାନାରେ ବାଂଲାଦେଶୀ ଆସିବା ସହଜ। ସ୍ଥାନୀୟ ଲୋକଙ୍କ କହିବା କଥା, ପୂର୍ବରୁ ମଧ୍ୟ ବହୁବାର ସରକାରୀ କଟକଣା କରାଯାଇଛି। ତା’ସତ୍ତ୍ବେ ବି ଉପକୂଳର ବିଭିନ୍ନ ଅଞ୍ଚଳକୁ ବାଂଲାଦେଶୀମାନେ ଆସି ରହିଛନ୍ତି । ଭଦ୍ରକ ଜିଲ୍ଲାର ବାସୁଦେବପୁରର କଶିଆ ଓ ଚୂଡ଼ାମଣିଠାରୁ ଚାନ୍ଦବାଲି ବ୍ଲକର ଧାମରା ଉପକୂଳ ଅଞ୍ଚଳରେ ହଜାର ହଜାର ବାଂଲାଦେଶୀ ରହିଛନ୍ତି। ୨୦୧୧ ମସିହାଠାରୁ ଏହି ଅନୁପ୍ରବେଶ ବଢ଼ିଛି । ସରକାରୀଭାବେ ଯେତିକି କୁହାଯାଉଛି ତାହାର ହଜାର ଗୁଣ ଉପକୂଳ ଜିଲ୍ଲାରେ ରହୁଛନ୍ତି । ରାଜନୈତିକ ସଂରକ୍ଷଣ ମିଳୁଥିବାରୁ ସେମାନେ ଏଠି ରହୁଛନ୍ତି, କାମ କରୁଛନ୍ତି ଏବଂ ସରକାରୀ ଯୋଜନାର ଲାଭ ମଧ୍ୟ ପାଉଛନ୍ତି । ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଭୋଟ ବ୍ୟାଙ୍କ ବଢାଇବା ପାଇଁ ସେମାନଙ୍କ ନାମରେ ରାସନକାର୍ଡ, ଭୋଟର ପରିଚୟପତ୍ର କରି ସେମାନଙ୍କୁ ଆଶ୍ରୟ ଦେଉଛନ୍ତି। ଅନ୍ୟପକ୍ଷରେ, ୨୦୧୧ ମସିହାଠାରୁ ପ୍ରତିବର୍ଷ ବାଂଲାଦେଶୀଙ୍କ ଆଗମନ ଆଶାତୀତ ଭାବରେ ବଢ଼ିଚାଲିଛି। ଧାମରା ମାଛଧରା ଜେଟି ଓ ଚନ୍ଦନୀପାଳ ଜେଟି ଦେଇ ମତ୍ସ୍ୟଜୀବୀ ଭାବେ ଆସି ଉପକୂଳ ଅଞ୍ଚଳରେ ରହି ପ୍ରଥମେ ଗାଁ ଗାଁରେ ଫେରି କରନ୍ତି। ନିଜକୁ ମୁର୍ସିଦାବାଦ ଅଧିବାସୀ କହି ସଂପର୍କ ବଢ଼ାଇ ଘର ଦ୍ବାର କରି ସ୍ଥାୟୀ ଭାବେ ରହୁଛନ୍ତି। ଯଦି ଏହି ସମୟରେ ପୋଲିସ ସଜାଗ ନରୁହେ ଭବିଷ୍ୟତ ପାଇଁ ଏହା ବିପଦ ସୃଷ୍ଟି କରିପାରେ ।