ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା ଘଟି ଜନବସତି ଉପରେ ଖସିବା ମୋଟ ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ତେବେ କେଉଁ କାରଣ ପାଇଁ ଏହି ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେଲା ତାହା ଜଣାପଡ଼ିନାହିଁ। ବ୍ରାଜିଲ୍ର ସାଓ ପଲୋରେ ଏକ ଯାତ୍ରୀବାହୀ ବିମାନ ଆକାଶରେ ଦିଗ ହରାଇ ଖସି ପଡ଼ିଥିଲା । ଜନବସତି ଅଂଚଳରେ ବିମାନଟି ଖସିବା ପରେ ଜଳିଯାଇ ନଷ୍ଟ ହୋଇଯାଇଥିଲା। ବିମାନରେ ମୋଟ୍ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ।
ଦୁର୍ଘଟଣାରେ ସମସ୍ତ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ମୃତାହତଙ୍କ ସଂପର୍କରେ ସରକାରୀ ଭାବେ କୌଣସି ତଥ୍ୟ ଜାରି ହୋଇନାହିଁ। ଭୋଏପାସ ଲିନହାସ ଏରିଜ୍ ଦ୍ବାରା ପରିଚାଳିତ ଏଟିଆର-୭୨ ବିମାନ ଆଜି ବ୍ରାଜିଲ୍ର କାସକାଭେଲ୍ରୁ ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିବାବେଳେ ଭିନହେଡୋ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ବିମାନର ଫ୍ଲାଇଟରାଡାର୨୪ ଦ୍ୱାରା କରାଯାଇଥିବା ଟ୍ରାକିଂ ଅନୁସାରେ, ଶେଷ ଥର ପାଇଁ ବିମାନଟି ୪,୧୦୦ ଫୁଟ୍ ଉଚ୍ଚରେ ଉଡୁଥିବା ସମୟରେ ଯୋଗାଯୋଗ ହୋଇଥିଲା।