ହିଂସାଗ୍ରସ୍ତ ବାଂଲାଦେଶରେ ଆଜି ନୂଆ ସରକାର ଗଠନ ହୋଇଛି। କିଛି ଦିନ ପରେ ନୂଆ ଆଶା ସଂଚାର ହୋଇଛି । ନୋବେଲ ବିଜେତା ମହମ୍ମଦ ୟୁନୁସ ଏହି ଅନ୍ତରୀଣ ସରକାରର ନୂ୍ଆ ମୁଖ୍ୟ ହୋଇଛନ୍ତି। ଏହା ପରେ ବାଂଲାଦେଶ ରାଜନୀତି କେଉଁଆଡ଼କୁ ଯାଉଛି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଶପଥ ନେଇଛନ୍ତି। ୟୁନୁସଙ୍କ ସହ ଅନ୍ୟ ୭ ଜଣ ନେତା ମଧ୍ୟ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ସଂଖ୍ୟାଲଘୁମାନଙ୍କ ସୁରକ୍ଷା ନେଇ ସେ ଆଶାପ୍ରକଟ କରିଛନ୍ତି । ବାଂଲାଦେଶରେ ଶାନ୍ତି ଓ ପ୍ରଗତି ଫେରି ଆସିବା ନେଇ ମିଳିତ ଭାବେ କାମ କରିବାକୁ ଆଶ୍ବସ୍ତ କରିଛନ୍ତି ମୋଦି । ତେବେ ମୋଦିଙ୍କ ଅଭିନନ୍ଦନ ବାର୍ତାକୁ ନେଇ କିଛି ବିରୋଧୀ ନେତା ଏବଂ କର୍ମୀ ତାଙ୍କୁ ଟ୍ରୋଲ କରୁଛନ୍ତି । ବାଂଲାଦେଶରେ ଯେଉଁଭଳି ଅରାଜକତାର ପରିବେଶ ପରିସ୍ଥିତି ସୃଷ୍ଟି ହେଲା ଏଠି ବି ସେମିତି ହେବ ବୋଲି କହୁଛନ୍ତି । ସୋସିଆଲ ମିଡିଆରେ ମୋଦି ବିରୋଧୀମାନେ ଏନେଇ ଚର୍ଚା ଆରମ୍ଭ କରିଛନ୍ତି । ତାଙ୍କ ମତରେ ଭାରତରେ ମଧ୍ୟ ବାଂଲାଦେଶ ପରିସ୍ଥିତି ଆସିବ । ସେତେବେଳେ ମୋଦି କେଉଁ ଦେଶକୁ ଯିବେ ବୋଲି ବିରୋଧୀ ନେତାମାନେ କଟାକ୍ଷ କରୁଛନ୍ତି । ତେବେ ଭାରତରେ ଯେ ବାଲାଂଦେଶ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ଏହି ନିନ୍ଦୁକମାନେ ତାହା ଜାଣନ୍ତି ନାହିଁ । ସେମାନେ କିଛି କହିବା ପୂର୍ବରୁ ସମାଜରେ କଣ ବାତାବରଣ ସୃଷ୍ଟି ହେବ ତାହା ଉପରେ ଭାବନ୍ତି ନାହିଁ । ଆମ ଭାରତ ଏକ ଶାନ୍ତି ପ୍ରିୟ ଦେଶ ଏଠାରେ ଅଶାନ୍ତି, ଅରାଜକତାକୁ କେବେ ବି ସେନା କି ବିରୋଧୀ ଗ୍ରହଣ କରିନଥାନ୍ତି । ଆମର ବ୍ୟବସ୍ଥା ସେପରି ନୁହେଁ ।
ବାଂଲାଦେଶର ବ୍ୟବସ୍ଥା ଭିନ୍ନ । ସେଠାକାର ବିରୋଧୀ, ସାମାଜିକ ସ୍ଥିତି ଭିନ୍ନ । ପ୍ରଧାନମନ୍ତ୍ରୀ ଥିବା ଶେଖ ହସିନାଙ୍କୁ କଣ ପାଇଁ ଦେଶ ଛାଡିବାକୁ ପଡିଲା ତାହାକୁ କେହି ତର୍ଜମା କରୁନାହାଁନ୍ତି । ରାଜନୀତିରେ ସରକାର ଗଠନ ପାଇଁ ବାଂଲାଦେଶରେ ଯାହା ଚାଲିଛି ତାହା ଭାରତରେ ହେବ ସେପରି ଅନୁମାନ କରିବା ବଡ଼ ଭୁଲ । ବାଂଲାଦେଶ ସେନା ମୁଖ୍ୟ ୱାକର-ଉଜ-ଜମାନ ଙ୍କ ନିର୍ଦେଶ ପରେ ସେଠାରେ ଏକ ନୂତନ ମଧ୍ୟବର୍ତ୍ତୀ ସରକାର ଗଠନ ହୋଇଛି । ଗତ ନିର୍ବାଚନରେ ଶେଖ ହସିନାଙ୍କ ‘ଆୱାମି ଲିଗ୍’ ବିଜୟୀ ହୋଇ ସରକାର ଗଠନ କରିଥିଲା । ସେହି ସରକାର ଏବେ ନାହିଁ । ବାଂଲାଦେଶରେ ନୂଆ ସରକାର ଗଠନ ପରେ ପୁଣି ନିର୍ବାଚନ ହେବ । ନିର୍ବାଚନରେ ହସିନା ଅଂଶଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯଦି ହସିନା ନିର୍ବାଚନରେ ସାମିଲ ହୁଅନ୍ତି ତାଙ୍କୁ ଦେଶବାସୀ ପୁଣି ସରକାର ଗଠନ କରିବାକୁ ସୁଯୋଗ ଦିଅନ୍ତି ତେବେ କଣ ହେବ । ତେବେ ଭାରତ କଥା ବିଚାର କରାଯାଉ । ଭାରତରେ ସଂରକ୍ଷଣକୁ ନେଇ ବର୍ଷ ବର୍ଷ ଧରି ଆଲୋଚନା ହେଉଛି । ସଂରକ୍ଷଣ ମୋଦି ସରକାର ଉଠେଇ ଦେବେ କହି ବିରୋଧୀମାନେ ଭ୍ରମ ସୃଷ୍ଟି କରି ଏଥର ଅଧିକ ଆସନ ହାତେଇଛନ୍ତି । କାରଣ ସଂରକ୍ଷଣ ଲାଭ ପାଉଥିବା ଲୋକେ ସଂରକ୍ଷଣ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ସେପଟେ ବାଂଲାଦେଶରେ କିନ୍ତୁ ସଂରକ୍ଷଣ ଲାଭ ପାଉଥିବା ବ୍ୟକ୍ତି ଲାଭ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଆଉ ଲାଭ ପାଉନଥିବା ବ୍ୟକ୍ତି ସଂରକ୍ଷଣଙ୍କୁ ବିରୋଧ କରୁଛନ୍ତି । ଏହାରି ଭିତରେ ଯାହା ଅଭିଯୋଗ ହେଉଛି ବିରୋଧୀ ଦଳ ଷଡ଼ଯନ୍ତ୍ର କରି ହସିନାକୁ କ୍ଷମତାଚ୍ୟୁତ କରିବା ପାଇଁ ଏପରି ହିଂସାକୁ ଗ୍ରହଣ କରିଛନ୍ତି ।
ବାଂଲାଦେଶରେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହୋଇଛି? ଏହାକୁ ଅନୁଧ୍ୟାନ କଲ ସଂରକ୍ଷଣ ହିଁ ମୂଳ ବିଭ୍ରାଟ । ଭାରତ କଥା ଦେଖିବାକୁ ଗଲେ 1990 ଦଶକ ଆରମ୍ଭରେ ପ୍ରଧାନମନ୍ତ୍ରୀ ଥିବା ଭିପି ସିଂ ଓବିସି ସମ୍ପ୍ରଦାୟ ପାଇଁ 27% ସଂରକ୍ଷଣ ନିଷ୍ପତ୍ତି ଆଣିଥିଲେ, ସେହି ଦିନଠାରୁ ଭାରତରେ ମଧ୍ୟ ସଂରକ୍ଷଣ ଉପରେ ବିବାଦ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁପ୍ରିମକୋର୍ଟ ଏସସି / ଏସଟି ସମାଜରେ ଉପ-ବର୍ଗୀକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ସଂରକ୍ଷଣ ପାଇଥିବା ଲୋକ ପୁଣି ସଂରକ୍ଷଣ ପାଇଁ ଧନୀ ହେଉଥିବା ବେଳେ ସଂରକ୍ଷଣର ଲାଭ ପାଇନଥିବା ବ୍ୟକ୍ତି ଗରିବରୁ ଗରିବ ହୋଇଯାଉଛି । ଯାହାଫଳରେ ଯେଉଁମାନେ ଅବଶିଷ୍ଟ ରହିଛନ୍ତି ସେମାନେ ମଧ୍ୟ ଲାଭ ପାଇବେ। ଭୋଟ ବ୍ୟାଙ୍କ ହାତେଇବା ପାଇଁ ଭାରତରେ ମଧ୍ୟ କଂଗ୍ରେସ ଏବଂ ଆଞ୍ଚଳିକ ଦଳମାନେ ଆଜିକାଲି କଂଗ୍ରେସ ଦଳର ସମ୍ପୂର୍ଣ୍ଣ ରାଜନୀତି ସଂରକ୍ଷଣ ଏବଂ ଜାତି ଉପରେ ମତକୁ ସମର୍ଥନ କରୁଛନ୍ତି । ସଂସଦରେ ହେଉ କି ଅନ୍ୟ କେଉଁଠି ଜାତି ଜନଗଣନା କରିବା ବିଷୟରେ ରାହୁଲ ଗାନ୍ଧୀ ମତ ରଖୁଛନ୍ତି । ବିହାରରେ ଏହା କରାଯାଇଛି, କିନ୍ତୁ ଏଥିରୁ କ’ଣ ଲାଭ ହୋଇଛି ତାହା କେହି କହୁ ନାହାଁନ୍ତି। ରାମ ମନ୍ଦିର ଉପରେ ଏକତ୍ରିତ ହିନ୍ଦୁମାନଙ୍କୁ ଜାତିରେ ବିଭକ୍ତ କରିବା ପାଇଁ ଭାରତରେ ବି ବେଳେ ବେଳେ ଆନ୍ଦୋଳନ ହେଉଛି । କିନ୍ତୁ ଭାରତର ଜନସାଧାରଣ ହିଂସାକୁ ଘୃଣା କରୁଥିବାରୁ ଏଠାରେ ସେପରି ପଡ଼ୋଶୀ ରାଜ୍ୟରେ ଯାହା ଘଟୁଛି ଏଠି ସେପରି ଘଟୁନାହିଁ ।
ସବୁଠୁ ବଡ଼ କଥା ହେଲା ବାଂଲାଦେଶରେ ସଂରକ୍ଷଣକୁ ନେଇ ବିବାଦ ଜାତି ସହ ନୁହେଁ ବରଂ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିବା ପରିବାର ସହ ଜଡିତ ଥିଲା। ଏଥିସହ ମହିଳା, କେତେକ ଅଞ୍ଚଳ ଏବଂ ପାକିସ୍ତାନ ଦ୍ୱାରା ନିର୍ଯାତିତ କେତେକ ଆଦିବାସୀଙ୍କୁ ପ୍ରାଥମିକତା ଦିଆଯାଇଥିଲା। ଏହି ନିଷ୍ପତ୍ତି ଶେଖ ମୁଜିବୁର ରହମାନ ନିଜେ କରିଥିଲେ।
ବାଂଲାଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ‘ଲିବରେସନ୍ ୱାରିୟର୍ସ’ କୁହାଯାଏ। ତର୍କଟି ଥିଲା ଯେ ଏହି ‘ମୁକ୍ତି ଯୋଦ୍ଧା’ ସେତେବେଳେ ଯୁବକ ଥିଲେ, ସ୍ବାଧୀନତା ପରେ ସେମାନେ ଚାକିରି ଖୋଜୁଥିବାରୁ ସେମାନଙ୍କୁ ସଂରକ୍ଷଣ ଦେବା ଅର୍ଥ ହେଲା ନିଯୁକ୍ତି ଦେବା । | ଅବଶ୍ୟ, ପରେ ଏହି ସଂରକ୍ଷଣ ସେମାନଙ୍କ ପୁଅ, ଝିଅମାନେ ମଧ୍ୟ ପାଇଲେ । ପରେ ନାତି,ନାତୁଣୀଙ୍କ ପାଇଁ ବିସ୍ତାର ହେଲା । ହସିନାଙ୍କ ଆୱାମୀ ଲିଗ୍ କର୍ମଚାରୀମାନେ ଏହାର ଫାଇଦା ନେଉଛନ୍ତି ବୋଲି ବିରୋଧୀମାନେ କହିଲେ । 2018 ରେ ମଧ୍ୟ ଏହାକୁ ବିରୋଧ କରାଯାଇଥିଲା, ଯେତେବେଳେ ହାଇକୋର୍ଟ ସଂରକ୍ଷଣ ସମାପ୍ତ କରିବାକୁ ଦାବି ପ୍ରତ୍ୟାଖ୍ୟାନ କରିଥିଲେ। ତା’ପରେ ଶେଖ ହସିନା ସମସ୍ତ ସଂରକ୍ଷଣ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହାକୁ ମଧ୍ୟ ଛାତ୍ର ସଂଗଠନ ବିରୋଧ କରିଥିଲେ । କାରଣ ଛାତ୍ରମାନେ ଏହାକୁ ରଦ୍ଦ କରିବା ପରିବର୍ତ୍ତେ ସଂସ୍କାର ଦାବି କରୁଥିଲେ।
‘ମୁକ୍ତି ଯୋଦ୍ଧା’ ଏବଂ ସେମାନଙ୍କ ବଂଶଧରମାନଙ୍କ ପାଇଁ ସରକାରୀ ଚାକିରିରେ30% ସଂରକ୍ଷଣର ବ୍ୟବସ୍ଥା ଥିଲା | ‘ମୁକ୍ତି ଯୋଦ୍ଧା’ର ପରିବାର ସୁପ୍ରିମକୋର୍ଟରେ ପହଞ୍ଚି ସୁପ୍ରିମକୋର୍ଟ ସଂରକ୍ଷଣ ବ୍ୟବସ୍ଥାକୁ ପୁଣି 56% କରିଥିଲା । ପରେ ଆନ୍ଦୋଳନ ହେବାରୁ ସୁପ୍ରିମକୋର୍ଟ 93-7 ବ୍ୟବସ୍ଥା, ଅର୍ଥାତ୍ ଯୋଗ୍ୟତା ଆଧାରରେ 93% ଏବଂ ସଂରକ୍ଷଣ ଆଧାରରେ 7% ଚାକିରି ପାଇଁ ମତ ଦେଇଥିଲା। ଏହା ପରେ ଛାତ୍ରମାନେ ସରକାରଙ୍କ ସହ ଅଣ-ସହଯୋଗର ଆନ୍ଦୋଳନ ଆରମ୍ଭ କରିଥିଲେ। ଶେଖ ହସିନା ବିକ୍ଷୋଭକାରୀଙ୍କୁ ‘ରଜାକର’ (ପାକିସ୍ତାନୀ ଅତ୍ୟାଚାରୀ) ବୋଲି କହି ସେମାନଙ୍କୁ ଦମନ କରିବାକୁ ଚେଷ୍ଟା କରିଥିଲେ। ଫଳ ହିଂସାଆଡ଼କୁ ଯାଇଥିଲା । ବାଂଲାଦେଶର ଘଟଣାକୁ ନେଇ ଭାରତରେ କିଛି ମୋଦି ବିରୋଧୀ ସାମ୍ବାଦିକ ଅନେକ କଥା କହିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏପରି ଘଟିଲେ ସେ ଦିଲ୍ଲୀ ଛାଡି କେଉଁ ଦେଶରେ ଅବତରଣ କରିବେ ବୋଲି ଟ୍ରୋଲ କରାଯାଇଥିଲା ?
ଗତକାଲି ପର୍ଯ୍ୟନ୍ତ କିଛି ଲୋକ ବାଂଲାଦେଶର ଅର୍ଥନୀତିକୁ ନେଇ ପ୍ରଶଂସା କରୁଥିଲେ । ଏବେ ସେମାନେ ବାଂଲାଦେଶରେ ଅରାଜକତାକୁ ‘ଏକଛତ୍ରବାଦୀ ଶାସନର ସମାପ୍ତି’ ବୋଲି କହୁଛନ୍ତି। ପରିସ୍ଥିତି ଏପରି ଯେ ସରକାରୀ ଅଟ୍ଟାଳିକା ପୋଡି ଦିଆଯାଉଛି, ଜଗନ୍ନାଥ ମନ୍ଦିର ଏବଂ ମା କାଳୀ ମନ୍ଦିର ପୋଡି ପାଉଁଶ ହୋଇଛି। ହିନ୍ଦୁ ନେତା ଓ ସାମ୍ବାଦିକମାନଙ୍କୁ ହତ୍ୟା କରାଯାଇଛି। ଜନତା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରି ସବୁ ଜିତିଷ ଚୋରାଇ ନେଇଛନ୍ତି । ସେଠାରୁ ମହିଳାଙ୍କ ବ୍ୟକ୍ତିଗତ ପୋଷାକ ଲୁଟ୍ ହୋଇ ପ୍ରଦର୍ଶନ କରାଯାଉଛି । କିଛି ଗୋଷ୍ଠୀ ଏପରି ହିନ୍ଦୁ ବିରୋଧୀ ଘଟଣାକୁ ମିଥ୍ୟା ଭାବେ ପ୍ରଚାରିତ କରି ଅନ୍ୟମାନଙ୍କ ଉପରେ ଆକ୍ରମଣ କରି ଜୀବନ ନେଉଛନ୍ତି । ପୂର୍ବରୁ ଭୟଭୀତ ଥିବା ସେହି ହିନ୍ଦୁମାନଙ୍କ ପାଇଁ ମୋଦୀ ସରକାରଙ୍କ ହସ୍ତକ୍ଷେପ ଦାବି କରାଯାଉଛି।
ହିଂସାକୁ ଘୃଣା କରିବା ପରିବର୍ତ୍ତେ କିଛି ଲୋକ ଏସବୁକୁ ଅଣଦେଖା କରି ବାଂଲାଦେଶର ଅରାଜକତାବାଦୀ ଜନତାଙ୍କୁ ପ୍ରଶଂସା କରିବା କେତେଦୂର ଠିକ୍ । ଭାରତ ଅନେକ ବର୍ଷ ଧରି ହିଂସାକୁ ପ୍ରଶୟ ଦେଉନାହିଁ । ଏଠାକାର ଲୋକ ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ପରାଜିତ କରିବାରେ ସାହାଯ୍ୟ କରିଛନ୍ତି । ଏପରିକି ଏକଛତ୍ରବାଦୀ ଶାସନ 1975 ମସିହାରେ ଇନ୍ଦିରା ଗାନ୍ଧୀ କରୁଥିଲେ । ‘ଜରୁରୀକାଳୀନ ପରିସ୍ଥିତି’ ଲଗାଇ ବିରୋଧୀ ଦଳର ନେତାଙ୍କୁ ଗିରଫ କରିଥିଲେ । ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ସେମାନଙ୍କ ମଧ୍ୟରୁ ଅନେକଙ୍କୁ କଷ୍ଟ ନିର୍ଯ୍ୟାତନା ଦେଇଥିଲେ । ପରିଶେଷରେ ତାଙ୍କୁ ନିର୍ବାଚନ ପରାଜୟର ସାମ୍ନା କରିବାକୁ ପଡିଲା |
ଭାରତର ଗଣତନ୍ତ୍ରକୁ ଲୋକ ଭଲ ପାଆନ୍ତି ତେଣୁ ଏହା ବହୁତ ଶକ୍ତିଶାଳୀ ମନେ ହୁଏ । ଏଠାରେ ନିର୍ବାଚନର ଅର୍ଥ ହେଉଛି ଲୋକମାନେ ଅଂଶଗ୍ରହଣ କରନ୍ତି । ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହେବ, ସେମାନେ ଦେଖିବା ଉଚିତ୍ ଯେ ଏଠି ଲୋକ ଯାହାକୁ ପସନ୍ତ କରନ୍ତି ନାହିଁ ତାଙ୍କୁ ଭୋଟ ଦିଅନ୍ତି ନାହିଁ । ସେ ବିଧାନସଭା କି ଲୋକସଭାକୁ ଯାଇପାରନ୍ତି ନାହିଁ । ନିର୍ବାଚନରେ ଏଠାକାର ଲୋକମାନେ ସେମାନଙ୍କର ସାମୂହିକ କ୍ରୋଧର ଜବାବ ଦେଇଥାନ୍ତି। ଲୋକସଭା ନିର୍ବାଚନ ପାଇଁ ଜଣଙ୍କୁ 5 ବର୍ଷ ଅପେକ୍ଷା କରିବାକୁ ପଡୁଥିଲେ ମଧ୍ୟ ବିଭିନ୍ନ ରାଜ୍ୟରେ ନିର୍ବାଚନ ଅଛି ଏବଂ ଏହାର ଜବାବ ଦେବାକୁ ଜନସାଧାରଣଙ୍କର ଅନେକ ସୁଯୋଗ ରହିଛି। ଯଦି ରାଜ୍ୟ ନିର୍ବାଚନରେ ଶାସକ ଦଳ ହାରିଯାଏ, ତେବେ ଏହା ଜନତାଙ୍କ ମତକୁ ନେି ସେହି ଅନୁଯାୟୀ କାର୍ଯ୍ୟ କରିଥାଏ। ଯଦିଓ ବିଜେପି କେନ୍ଦ୍ରରେ 10 ବର୍ଷ କ୍ଷମତାରେ ଅଛି, ଏହା ମଧ୍ୟରେ ବିହାର ଏବଂ ହିମାଚଳ ପ୍ରଦେଶ ସମେତ ଅନେକ ନିର୍ବାଚନରେ ହାରିଛି। ସେଠାରେ ବିରୋଧୀମାନେ ସରକାର ଗଠନ କରିଛନ୍ତି । ପଶ୍ଚିବବଂଗ, କେରଳ, ପଂଜାମ, ତାମିଲନାଡୁ, କର୍ଣ୍ଣାଟକ ଭଳି ବଡ଼ ରାଜ୍ୟରେ କଂଗ୍ରେସ ଏବଂ ତାଙ୍କ ସମର୍ଥିତ ଦଳ ଶାସନ କରୁଛନ୍ତି । ଏଥିରେ କିଛି ହିଂସା ହେଉନାହିଁ । ମୋଦି ସରକାର ସମୟରେ ଭାରତରେ ବିକାଶ କାର୍ଯ୍ୟ ଅତି ଦ୍ରୁତ ଗତିରେ ଘଟୁଛି । ଭାରତର ଅର୍ଥବ୍ୟବସ୍ଥା ବଢ଼ିଛି । ରାସ୍ତା ନିର୍ମାଣ କ୍ଷେତ୍ରରେ ଦେଶ ରେକର୍ଡ ସୃଷ୍ଟି କରୁଛି, ରେଳ ନେଟୱାର୍କର ଉନ୍ନତି ହେଉଛି, ବର୍ତ୍ତମାନ ମହିଳାମାନେ ମାଟି ଚୁଲିରେ ଖାଦ୍ୟ ରାନ୍ଧୁ ନାହାଁନ୍ତି, ‘ଉଜୱାଲା’ ଅଧୀନରେ ସେମାନେ ଗ୍ୟାସ୍ ସିଲିଣ୍ଡର ପାଆନ୍ତି, ଗ୍ରାମରେ ଶତପ୍ରତିଶତ ବିଦ୍ୟୁତ୍ ପହଞ୍ଚୁଛି । ଗରିବ ଲୋକଙ୍କ ପାଇଁ କୋଟି କୋଟି ଘର ନିର୍ମାଣ କରାଯାଉଛି, ବ୍ୟବସାୟ କରିବା ପାଇଁ ଋଣ ଦିଆଯାଉଛି । 80 କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବଂଟନ କରାଯାଉଛି ।
|
ତେଣୁ ଦେଖିବାକୁ ଗଲେ ବାଂଲାଦେଶରେ ଏସବୁ ନଥିଲା । ଭାରତର ଅଧାରୁ ଅଧିକ କୃଷି ଉପରେ ନିର୍ଭର କରନ୍ତି, କିନ୍ତୁ ଏଠାରେ ଥିବା ଉର୍ବର ଜମି ଏବଂ କୃଷକମାନଙ୍କୁ ଦିଆଯାଇଥିବା ସରକାରୀ ସୁବିଧା ଚାଷୀଙ୍କ ଜୀବନକୁ ସହଜ କରିଦେଇଛି । ତେଣୁ ସେମାନେ ସରକାରଙ୍କୁ ପ୍ରଶଂସା କରୁଛନ୍ତି । ମୋଦିଙ୍କ ଲୋକପ୍ରିୟତା ଦେଶ ବିଦେଶରେ ବଢ଼ି ବଢ଼ି ଚାଲିଛି । | ଆଇଟି କ୍ଷେତ୍ରରେ ଭାରତ ବିଶ୍ବରେ ଏକ ହବ୍ ଅଟେ | ଏନସିଆର, ପୁଣେ, ହାଇଦ୍ରାବାଦ ଏବଂ ଚେନ୍ନାଇ ପରି ଅନେକ ସହର ସଫ୍ଟୱେର୍ କମ୍ପାନୀଗୁଡିକର ପସନ୍ଦ ପାଲଟିଛି |
ବାଂଲାଦେଶ ଏବଂ ଭାରତର ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଅଛି | ବାଂଲାଦେଶ ଏକ ଇସଲାମିକ ଦେଶ । ଏଠାରେ ଶିକ୍ଷା କମ ରହିଛି । ଭାରତ ହେଉଛି ଏକ ଧର୍ମନିରପେକ୍ଷ ଦେଶ ଯେଉଁଠାରେ ହିନ୍ଦୁମାନେ ବହୁ ସଂଖ୍ୟାରେ ଅଛନ୍ତି କିନ୍ତୁ ପ୍ରତ୍ୟେକ ଧର୍ମର ଲୋକମାନେ ଏଠାରେ ଖୋଲାଖୋଲି ଭାବରେ ବାସ କରନ୍ତି ଏବଂ ସେମାନଙ୍କର ପରମ୍ପରାକୁ ଅନୁସରଣ କରନ୍ତି। ଭାରତ ହେଉଛି ଅନେକ ଭାଷା, ସଂସ୍କୃତିର ଦେଶ ।
ଏଠି ଛୋଟରୁ ବଡ଼ ସମସ୍ତେ ବିବିଧତାକୁ ସମ୍ମାନ ଦିଅନ୍ତି । କାରଣ, ସେ ଜାଣନ୍ତି ଯେ କଠିନ ସମୟ ଅଧିକ ସମୟ ରହେ ନାହିଁ | ଏହି କାରଣରୁ ଭାରତରେ ନିଷ୍ଠୁର ଶାସକମାନଙ୍କୁ ସର୍ବଦା କ୍ଷମତାରୁ ଭାରତୀୟ ଲୋକେ ହିଁ ବହିଷ୍କାର କରିଛନ୍ତି ।
ଭାରତର ଗଣତାନ୍ତ୍ରିକ ବେଶ ମଜବୁତ । ଏଠାରେ ଅନୁଷ୍ଠାନଗୁଡ଼ିକ ସ୍ୱୟଂଶାସିତ | ସର୍ବପ୍ରଥମେ, ଏଠାରେ ନ୍ୟାୟପାଳିକା ମଧ୍ୟ କଠୋର ନିଷ୍ପତ୍ତି ନେଇଥାଏ । ଇଡି, ସିବିଆଇ ଏବଂ ଆଇଟି ପରି ଅନୁଷ୍ଠାନ ଥିଲେ ମଧ୍ୟ ସେମାନେ ନିରପେକ୍ଷ ଭାବେ କାମ କରନ୍ତି । ଯେତେବେଳେ ବିରୋଧ ହୁଏ ରାଜନୀତିରେ ବିରୋଧ ହୁଏ । ସମାଜରେ ସମସ୍ତେ ମିଳିମିଶି ଚଳିଥାନ୍ତି । କୋର୍ଟ ଏଠି ସବୁଠୁ ଶକ୍ତିଶାଳୀ । ନ୍ୟାୟାଳର ନିଷ୍ପତ୍ତି ସମସ୍ତେ ମାନିଥାନ୍ତି । ପାକିସ୍ତାନ ଭଳି ଏଠାରେ ସେନା କେବେ କ୍ଷମତା ଦଖଲ କରିନାହିଁ । ନିର୍ବାଚିତ ସରକାରକୁ ନେଇ ଅନୁଷ୍ଠାନମାନ କେବେ କ୍ଷତି ପହଁଚାଇଲା ଭଳି କାର୍ଯ୍ୟ କରନ୍ତି ନାହିଁ । ପ୍ରଶାସନିକ ଅଧିକାରୀମାନେ ସେମାନଙ୍କର ପ୍ରଶିକ୍ଷଣକୁ ନେଇ ସଚେତନ ଥାଆନ୍ତି । ସମସ୍ତେ ଏଠି ଜାତୀୟ ସ୍ୱାର୍ଥରେ କାର୍ଯ୍ୟ କରନ୍ତି । ଭାରତରେ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସମସ୍ତେ ମାନିଥାନ୍ତି । ଏଠାରେ, ଗାଁର ୱାର୍ଡରୁ ରାଜଧାନୀରେ ରାଷ୍ଟ୍ରପତି ପର୍ଯ୍ୟନ୍ତ ନିର୍ବାଚନ ଅତ୍ୟନ୍ତ ସ୍ୱଚ୍ଛ ହେଉଛି । ବାଲାଂଦେଶରେ ଏଥର ସ୍ଥାନୀୟ ନିର୍ବାଚନରେ 35% ଭୋଟର ସାମିଲ ହୋଇଥିଲେ । ମୁଖ୍ୟ ବିରୋଧୀଦଳ ଭୋଟ ବର୍ଜନ କରିଥିଲା । ସମବାୟ ସମିତିଠାରୁ ଆରମ୍ଭ କରି ଓକିଲ ସଂଘ ପର୍ଯ୍ୟନ୍ତ ଭାରତର ସବୁ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେଉଛି । ରାଜ୍ୟରେ ମଧ୍ୟ କ୍ଷମତା ହସ୍ତାନ୍ତର ହେଉଛି । ହିଂସାକୁ ଏଠି କେଉଁ ଦଳ କି କର୍ମୀ ଗ୍ରହଣ କରନ୍ତି ନାହିଁ ।
ତେଣୁ କହିବାକୁ ଗଲେ ଆମ ଭାରତ କେବେ ବି ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା କିମ୍ବା ମିଆଁମାର ପରି ହୋଇପାରିବ ନାହିଁ। ଭାରତର ସଂସଦରେ ବିଲ ପାସ ହେବା ପାଇଁ ଘଣ୍ଟା ଘଣ୍ଟା ଚର୍ଚା ହେଉଛି । ଲୋକମାନେ କଣ ହେଉଛି ଲାଇଭ ଦେଖୁଛନ୍ତି । ସରକାରଙ୍କୁ ସାଧାରଣ ଜନତା ସୋସିଆଲ ଗଣମାଧ୍ୟମରେ ପ୍ରଶ୍ନ କରିଥାନ୍ତି । ଏଠାରେ ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକରେ ସବୁ ଦଳର ନେତା କର୍ମୀ ମତ ରଖିଥାନ୍ତି । ଭାରତରେ ଖବରକାଗଜ ଠାରୁ ଆରମ୍ଭ କରି ଟିଭି ବିତର୍କ ଏବଂ ସୋସିଆଲ ମିଡିଆ ଟ୍ୱିଟ୍ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ନିଜର ମତ ପ୍ରକାଶ କରନ୍ତି। କିଏ ସରକାରକୁ ବିରୋଧ କରି ଲେଖିଲେ ଜେଲ ହୁଏନାହିଁ କି ସାମ୍ବାଦିକମାନଙ୍କ ଚ୍ୟାନେଲ ବନ୍ଦ କରାଯାଏନାହିର୍ । ଆଇନ ଭିତରେ ସମସ୍ତେ କାର୍ଯ୍ୟ କରିଥାନ୍ତି । ଭାରତରେ ଯେତେବେଳେ ସଂକଟ ଆସିଛି ସମସ୍ତେ ମିଳିମିଶି ତାହାକୁ ସାମନା କରିଛନ୍ତି । ଏହି କାରଣରୁ ଦେଖିଲେ ଭାରତର ପରିସ୍ଥିତି ବାଂଲାଦେଶ ଭଳି ହେବନାହିଁ ତାହା ସମସ୍ତେ ଜାଣନ୍ତି । 1980 ଦଶକରେ ପଞ୍ଜାବରେ ଖାଲିସ୍ତାନୀ ଆତଙ୍କବାଦୀ ହୁଅନ୍ତୁ କିମ୍ବା ଜାମ୍ମୁ କାଶ୍ମୀରରେ ଇସଲାମିକ ଆତଙ୍କବାଦ ହେଉ, ଆମର ସୁରକ୍ଷା ବାହିନୀ, ରାଜନେତା, ଜନସାଧାରଣ ମିଳିମିଶୁ ତାହାକୁ ମୁକାବିଲା ଏବଂ ସମାଧାନ କରିଛନ୍ତି । ଆପଣ ଦେଖିଥିବେ କେବେ ବି ଏଠି ଭାରତରେ ଶ୍ରୀଲଙ୍କା କିମ୍ବା ପାକିସ୍ତାନ ପରିସ୍ଥିତି ଆସିନାହିଁ । ମିଆଁମାର ପରି, ଏଠାରେ ସେନା ନିର୍ବାଚିତ ସରକାରଙ୍କୁ ବରଖାସ୍ତ କରୁନାହିଁ । ଭାରତରେ ଯେତେବେଳେ ବାହ୍ୟ ଶକ୍ତି ହସ୍ତକ୍ଷେପ କରୁଛି ସେତେବେଳେ ସମସ୍ତେ ମିଶି ତାହାର ମୁକାବିଲା କରୁଥିବାରୁ ଆମ ଦେଶ ବାଂଲାଦେଶ କି ପାକିସ୍ତାନ ଭଳି ପରିସ୍ଥିତି ସାମନା କରୁନାହିଁ । ଭାରତ ବାଂଲାଦେଶ ନୁହେଁ। ଏହା ପାକିସ୍ତାନ ନୁହେଁ, ଆରବ ନୁହେଁ, ମିଆଁମାର ନୁହେଁ, ପାକିସ୍ତାନ ନୁହେଁ ଏହା ସବୁବେଳେ ପ୍ରମାଣିତ ହୋଇ ଆସିଛି ।