ଭୁବନେଶ୍ବର: ରାଜ୍ୟରେ ଆଳୁ ସଂକଟ ନୂଆ ନୁହେଁ । ପ୍ରତି ବର୍ଷ ପଶ୍ଚିମବଂଗରୁ ଆଳୁ ଆସିବା ପାଇଁ ଏପରି ସମସ୍ୟା ହୁଏ । ଆଳୁ ରେଟ ବଢ଼େ । ଏହା ଏମିତି ଚାଲିଥାଏ । ଲୋକେ ହନ୍ତ ସନ୍ତ ହୁଅନ୍ତୁ । ଆଳୁ 60ରୁ 80 ଟଙ୍କାରେ କିଣିଥାନ୍ତି । ବ୍ୟବସାୟୀ ମାଲେମାଲ ହୋଇଥାନ୍ତି । ବର୍ଷାଦିନେ ତାଙ୍କ ପକେଟ ଗରମ ହୁଏ । ଆଳୁ ସଂକଟକୁ ନେଇ ମନ୍ତ୍ରୀ କହୁଛନ୍ତି ଦୁଇ ଦିନ ମଧ୍ୟରେ ଆଳୁ ସ୍ଥିତି ସ୍ବାଭାବିକ ହୋଇଯିବ । ଲୋକେ ସହଜରେ ଆଳୁ ପାଇବେ । ଆଳୁର ଅଭାବ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଆଳୁ ଆସିବା ପରେ ଲୋକେ ସହଜରେ ଆଳୁ ପାଇପାରିବେ । ଏନେଇ କଥାବାର୍ତ୍ତା ଚାଲିଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହୁଥିଲେ ମଧ୍ୟ ଲୋକେ କିନ୍ତୁ ଏଥିରୁ ମୁକ୍ତି ପାଇପାରୁନାହାଁନ୍ତି । ସବୁ ଆଡୁ ଆଳୁ ଆସିବ କୁହାଯାଉଛି କିନ୍ତୁ ଆଳୁ ଆସିପାରୁନାହିଁ । ରାଜ୍ୟର ଗୋଦାମରେ ଆଳୁ ଥିବା ସରକାର କହୁଛନ୍ତି ବେପାରୀ ବି କହୁଛନ୍ତି କିନ୍ତୁ ଲୋକଙ୍କୁ ଚଢ଼ା ଦରରେ କିଣିବାକୁ ପଡ଼ୁଛି । ଆଳୁ ଅଭାବ ସମସ୍ୟାର ସମାଧାନ ହେବ କିନ୍ତୁ କେତେ ଦିନ ଲାଗିବ ତାହା କେହି କହିପାରୁନାହାଁନ୍ତି । ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ କିଛି ଟ୍ରକ୍ ଆଳୁ ଆସୁଛି ତାହା କିନ୍ତୁ ରାଜ୍ୟ ପାଇଁ ନିଅଣ୍ଟ ହେଉଛି । ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିଲେ ଆଳୁ ଦର ପୁଣି କମିବାର ସମ୍ଭାବନା ରହିଛି ବୋଲି ସରକାର କହୁଛନ୍ତି । ରାଜ୍ୟରେ ଗତ କିଛି ଦିନ ଧରି ଆଳୁ ଦର ଉପରମୁହାଁ ରହିଛି । ପଶ୍ଚିମବଙ୍ଗରୁ ଠିକ୍ ସମୟରେ ଆଳୁ ଟ୍ରକ୍ ନ ଆସିବାରୁ ଚାହିଦା ଅନୁସାରେ ଆଳୁ ନ ଥିବାରୁ ଦର ବଢ଼ିବାରେ ଲାଗିଛି । ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦-୬୦ ଟଙ୍କାରେ ପୁଣି ପହଞ୍ଚିଛି। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ନ ଆସିବାରୁ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ । ହେଲେ ଉତ୍ତରପ୍ରଦେଶରୁ ମଧ୍ୟ ଟ୍ରକ୍ ଆସି ନ ଥିଲା। ଫଳରେ ଦର ବଢିଚାଲିଛି । ଆଳୁ ଏବେ ପୁଣି 70 ଟଙ୍କା ପାଖାପାଖି ବିକ୍ରି ହେଉଛି । କଥା ହେଉଛି ନୂଆ ସରକାର ଆଳୁ ସଂକଟର ସମାଧାନ ପାଇଁ କିଛି ଯୋଜନା କରିବା ଆବଶ୍ୟକ । ଆଳୁ ଉତ୍ପାଦନ ବଢ଼ିଲେ ରାଜ୍ୟବାସୀ ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ଏତେ ନିର୍ଭର ହୁଅନ୍ତେ ନାହିଁ । ସୂଚନାଯୋଗ୍ୟ ଯେ ରାଜ୍ୟରେ ଆଳୁ ସଙ୍କଟକୁ ଦୃଷ୍ଟିରେ ରଖି ପୂର୍ବ ସରକାର ୨୦୧୫-୧୬ ରେ ଆଳୁ ମିଶନ ଆରମ୍ଭ କରିଥିଲେ। ଏନେଇ ପ୍ରଚାର ପ୍ରସାର ହୋଇଥିଲା । ରାଜ୍ୟରେ ବ୍ୟାପକ ଭାବେ ଆଳୁଚାଷ କରିବାକୁ ସରକାର ପ୍ରୋତ୍ସାହନ ଦେବେ ବୋଲି ଘୋଷଣା କରିଥିଲେ । ଆଳୁକୁ ଦୀର୍ଘଦିନ ଧରି ସଂରକ୍ଷିତ କରି ରଖିବାକୁ ରାଜ୍ୟବ୍ୟାପୀ ଅଧିକରୁ ଅଧିକ ଶୀତଳ ଭଣ୍ଡାର ଖୋଲିବାକୁ ପ୍ରୟାସ ମଧ୍ୟ କରିଥିଲେ। ତେବେ ଯାହା ଦେଖାଗଲା ସରକାରୀ ପ୍ରୋତ୍ସାହନ ସତ୍ତ୍ୱେ ଆଳୁ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ନାହିଁ । ଆମ ରାଜ୍ୟରେ ଆଳୁ ମୁଖ୍ୟତଃ ଅକ୍ଟୋବର ଏବଂ ନଭେମ୍ବର ମାସରେ ଚାଷ କରାଯାଇ ଜାନୁଆରୀ- ଫେବୃଆରୀରେ ଅମଳ କରାଯାଇଥାଏ। ହେଲେ ବିଳମ୍ବିତ ଖରିଫ ଧାନ ଅମଳ ଯୋଗୁ ରାଜ୍ୟରେ ଚାଷ ବିଳମ୍ବିତ ହେଉଛି। ଫଳରେ ଆଳୁ ଉତ୍ପାଦନ ହ୍ରାସ ପାଉଛି। ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହୁନାହିଁ। ତେଣୁ କଣ କଲେ ଲୋକେ ଧାନ ଚାଷ ସହ ଆଳୁ ଚାଷ କରିବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ବର୍ତମାନ କଥା ଦେଖିଲେ ବାହାର ରାଜ୍ୟରୁ ଆଳୁ ଆସିବା କେବେ ସ୍ୱାଭାବିକ ହେବ ଏବଂ ଉଚ୍ଚା ଦରରେ ଲଗାମ ଲାଗିବ ତାହାକୁ ରାଜ୍ୟବାସୀଙ୍କ ଅପେକ୍ଷା ରହିଛି ।