ଭୁବନେଶ୍ବର: ବିଜେପିରେ ଯୋଗଦେବା ପରେ ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ଅନେକ ଚର୍ଚା ହେଉଛି । କୁହାଯାଉଛି ମମତାଙ୍କ ଉପରେ ବିଜେଡି ପକ୍ଷରୁ ଚାପ ପକାଯାଉଥିଲା । ବିଶେଷ କରି ସାଂସଦ ପାଣ୍ଠିକୁ ନେଇ ବିଜେଡିର ବରିଷ୍ଠ ନେତାମାନେ ତାଙ୍କ ଉପରେ ଚାପ ପକାଉଥିବା ମମତା ନିଜେ ଗଣମାଧ୍ୟମକୁ କହିଛନ୍ତି । କୁହାଯାଏ ରାଜନୀତିରେ ଯାହା ଦେଖାଯାଏ କିନ୍ତୁ ତାହା ଭିତରେ ଅନେକ କିଛି ଖେଳ ହୁଏ । ଆଉ ଏଠି ମଧ୍ୟ ଅନେକ ରହସ୍ୟର ପରଦା ଫିଟୁଛି । ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ମମତା ମହାନ୍ତ କାହିଁକି ଅଚାନକ ଇସ୍ତଫା ଦେଲେ, ସେ ନେଇ ଚର୍ଚ୍ଚା ପୁଣି ହେଉଛି । ସାଂସଦ ପାଣ୍ଠିକୁ ନେଇ ବିଜେଡିର ବରିଷ୍ଠ ନେତା ବବି ଦାସଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିବା କୁହାଯାଉଛି । ସେ ମୟୂରଭଂଜର ନେତ୍ରୀ ହୋଇଥିବା ବେଳେ ବବି ଚାହୁଁଥିଲେ ଯାଜପୁରରେ ତାଙ୍କ ପାଣ୍ଠି ଟଙ୍କା ଖର୍ଚ ହେଉ । ଯାହାକୁ ମମତା ବାରଣ କରିଥିଲେ ।
ବବିଙ୍କ ସହ ବିବାଦ କାରଣରୁ ସେ ଇସ୍ତଫା ଦେଇଥିବା ନିଜେ ମମତା ଏବେ ସୂଚନା ଦେଇଛନ୍ତି । ମମତା ମହାନ୍ତଙ୍କ ସାଂସଦ ପାଣ୍ଠିକୁ ଯାଜପୁର ଜିଲ୍ଲାର କେତେକ ପ୍ରକଳ୍ପରେ ବିନିଯୋଗ କରିବା ପାଇଁ ନିଜେ ବବି ଚାପ ପକାଉଥିଲେ । ଏଥିପାଇଁ କିଛି ଲେଟର ମଧ୍ୟ ଏବେ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଏ ସମ୍ପର୍କରେ ଯାଜପୁର ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ଜିଲ୍ଲା ପ୍ଲାନିଂ ଆଣ୍ଡ୍ ମନିଟରିଂ ୟୁନିଟ୍ (ଡିପିଏମ୍ୟୁ)ର ମତାମତ ଲୋଡ଼ିଥିଲା। ମୟୂରଭଞ୍ଜ ଡିପିଏମ୍ୟୁର ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ)ଙ୍କ ପକ୍ଷରୁ ଯାଜପୁର ଜିଲ୍ଲା ପ୍ରଶାସନକୁ ଲେଖାଯାଇଥିବା ପତ୍ର(ନମ୍ବର୭୮/୦୯/୦୧/୨୪)ରେ ସ୍ପଷ୍ଟ ହୋଇଛି । ଏହି ପତ୍ରକୁ ଦେଖିଲେ ବବି ମମତାଙ୍କ ପାଣ୍ଠି ଟଙ୍କା ଯାଜପୁରରେ ଖର୍ଚ କରିବାକୁ ଚାହୁଁଥିବା ଚର୍ଚା ହେଉଛି । ମମତା ମହାନ୍ତ ଏହାକୁ ମାନିନଥିଲେ । ସେ କହିଥିଲେ ଏଭଳି ଅନୁମୋଦିତ ପ୍ରକଳ୍ପକୁ ଯେତେବେଳେ ସେ ବାତିଲ କରିବାକୁ ନିଷ୍ପତ୍ତି ନେଲେ ସେତେବେଳେ ତାଙ୍କ ଉପରେ ଚାପ ପକାଗଲା ।
ସେହିପରି ଯାଜପୁର ଡିପିଏମ୍ୟୁ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ପଠାଯାଇଥିବା ଆଉ ଏକ ପତ୍ରରେ ମଧ୍ୟ ମମତା ସହମତ ହୋଇନଥିଲେ । ମହାନ୍ତଙ୍କ ସାଂସଦ ପାଣ୍ଠି ବାବଦ ଟଙ୍କାକୁ ପଠାଇବାକୁ ଯେତେବେଳେ ଚିଠି ହେଲା ତାହାକୁ ସେ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ବବି ଦାସ ଏବଂ ମମତାଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଁଚିଥିଲା । ବବି ଦାସ ସାଂସଦ ପାଣ୍ଠିକୁ ନିଜ ମନମୁତାବକ ଖର୍ଚ୍ଚ କରିବାକୁ ଜିଦ୍ ଧରିଥିଲେ ବୋଲି ନିଜେ ମମତା ଗଣମାଧ୍ୟମକୁ କହିଛନ୍ତି। ଏଥିପାଇଁ ବାରମ୍ବାର ଚାପ ପକାଉଥିଲେ ଏବଂ ଧମକ ମଧ୍ୟ ଦେଉଥିଲେ ବବି ।
ମମତାଙ୍କ କହିବା କଥା ତାଙ୍କୁ ରାଜ୍ୟସଭାରୁ ଫେରାଇ ଆଣିବାକୁ ବବି କୁଆଡେ ଧମକ ଦେଇଥିଲେ । ନିର୍ବାଚନ ପରେ ସବୁ କଥା ବିଚାର ହେବ ବୋଲି ସାଂସଦଙ୍କୁ କୁଆଡ଼େ ଚେତାବନୀ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ରାଜ୍ୟସଭା ସାଂସଦ ତଥା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମମତା ଇସ୍ତଫା ଦେଇଥିବା ସେ ନିଜେ କହିଛନ୍ତି । ମମତା ସାଂଘାତିକ ଅଭିଯୋଗ ଆଣିଛନ୍ତି ସାଂସଦ ପାଣ୍ଠି ଖର୍ଚ୍ଚ କରିବାରେ ତାଙ୍କର କୌଣସି ଭୂମିକା ରହୁନଥିଲା। ତାଙ୍କୁ ଯେଉଁଠି ଦସ୍ତଖତ କରିବାକୁ କୁହାଯାଉଥିଲା ସେଥିରେ ସେ ଦସ୍ତଖତ କରିଦେଉଥିଲେ । ଚାପ ଆଗରେ ମମତା ମୁଣ୍ଡ ନ ନୁଆଁଇ ସ୍ବାଭିମାନ ରକ୍ଷା କରିବାକୁ ଦଳରୁ ଇସ୍ତଫା ଦେଇଥିଲେ ବୋଲି ମମତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାକୁ ନେଇ ମୟୂରଭଂଜ ରାଜନୀତି ସରଗରମ ହୋଇଛି । ବିଜେଡି ଏବଂ ବିଜେପି ନେତାମାନେ ବୟାନବାଜି କରୁଛନ୍ତି । ତେବେ ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ବିଜେପି କାହାକୁ ରାଜ୍ୟସଭାକୁ ପଠାଉଛି ତାହା ଦେଖିବାକୁ ବାକି ରହିଲା ।