କଲମ୍ବୋ: କାହିଁକି ହାରିଲା ଭାରତ । ବିଶ୍ବ ବିଜୟୀ ଟିମ୍ କାହିଁକି ବିଫଳ ହେଲା । ଶ୍ରୀଲଙ୍କାରେ କାହିଁକି ବିଫଳ ହେଲେ କୋହଲି ସହ ରୋହିତ ବାହିନୀ । ଏହି ପରାଜୟକୁ ସହଜରେ ନେଇନାହାଁନ୍ତି ଭାରତୀୟ ପ୍ରଶଂସକ । ସୋସିଆଲ ମିଡିଆରେ ଖେଳାଳିମାନଙ୍କୁ ଉପହାସ କରାଯାଉଛି । ଟ୍ରୋଲ ହେଉଛନ୍ତି ଗମ୍ଭୀର । କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଶେଷ ମ୍ୟାଚରେ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚରେ ପରାଜୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଭାରତୀୟ ପ୍ରଶଂସକ । ଶ୍ରୀଲଙ୍କା ଦୁଇଟି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ଜିତି ନେଇଛି। ୩ ଟିକିଆ ସିରିଜ୍ ମଧ୍ୟରେ ଶ୍ରୀଲଙ୍କା ୨ଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା।ଦୀର୍ଘ ୨୭ ବର୍ଷ ପରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଜିତିବାକୁ ସକ୍ଷମ ହୋଇଛି ଶ୍ରୀଲଙ୍କା। ସ୍ପିନରଙ୍କ ଦମରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ତୃତୀୟ ଦିନିକିଆରେ ୧୧୦ ରନରେ ହରାଇ ଦେଇଛି। ଏଥିସହ ୩ ଟିକିଆ ଦନିକିଆ ସିରିଜକୁ ଘରୋଇ ଟିମ ୨-୦ରେ ଜିତି ନେଇଛି। ଭାରତ ଦିନିକିଆ ବିଶ୍ୱକପର ରନର୍ସ ଅପ ହୋଇଥିବା ବେଳେ ନିକଟରେ ଟି-୨୦ ବିଶ୍ୱକପ ଜିତିଥିଲା।
ତୃତୀୟ ଦିନିକିଆରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ଓପନର ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ୯୬ ଓ କୁଶଲ ମେଣ୍ଡିସଙ୍କ ୫୯ ରନ ବଳରେ ଦଳ ୭ ୱିକେଟ ହରାଇ ୨୪୮ ରନ କରିଥିଲା। ୨୪୯ ରନର ଟାର୍ଗେକୁ ପିଛା କରୁଥିବା ଭାରତ ସ୍ପିନ ଜାଲରେ ଫସି କେବଳ ୨୬.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୮ ରନ ହିଁ କରିବାକୁ ସକ୍ଷମ ହୋଇଛି।
୨୪୯ ରନର ଟାର୍ଗେଟକୁ ହାସଲ କରିପାରିନଥିଲା ଭାରତ । ଭାରତକୁ ପୁଣିଥରେ ରୋହିତ ଶର୍ମା ଦ୍ରୁତ ଷ୍ଟାର୍ଟ ଦେଇଥିଲେ। କିନ୍ତୁ ଶୁବମନ ଗିଲ ୬ ରନ କରି ଫର୍ଣ୍ଣାଣ୍ଡୋଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ତିନୋଟି ମ୍ୟାଚରେ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ ମଧ୍ୟ ଅନ୍ୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିପାରିନଥିଲେ ।
ରୋହିତ ଶର୍ମା ୩୫ ରନ୍, ବିରାଟ କୋହଲି ୨୦ ରନ୍, ଶ୍ରେୟସ ଆୟର ୮ରନ୍ ଓ ଅକ୍ଷର ପଟେଲ ୨ ରନ୍ କରିଥିଲେ । ରିୟାନ ୧୫ ଓ ଦୁବେ ୯ ରନ କରିବାକୁ ସକ୍ଷମ ହୋଇଥିଲେ। ସୁନ୍ଦର ୩୦ ରନରେ ଆଉଟ ହେବା ପରେ ଭାରତ ୧୩୮ ରନରେ ୯ମ ୱିକେଟ ହରାଇଥିଲା। ୬ ରନ କରିଥିବା କୁଲଦୀପ ଆଉଟ ହେବା ପରେ ଭାରତ ପରାଜୟ ବରଣ କରିଥିଲା ।
ହାରିବାର କାରଣ ମଧ୍ୟରେ ପ୍ରଥମ ହେଉଛି ବ୍ୟାଟିଂରେ ବିଫଳତା । ଦ୍ବିତୀୟରେ ସ୍ପିନରଙ୍କୁ ଖେଳିନପାରିବା । ତିନୋଟି ମ୍ୟାଚରେ ସ୍ପିନରମାନେ ହିଁ 90 ପ୍ରତିଶତ ଉଇକେଟ ନେଇଛନ୍ତି । ପିଚ୍ ସ୍ପିନରଙ୍କୁ ସୁହାଉଥିବା ଜାଣି ମଧ୍ୟ ଭାରତୀୟ ବ୍ୟାଟରମାନେ ଭଲ ଖେଳିବାକୁ ପ୍ରୟାସ କରିନଥିଲେ । ସ୍ପିନରଙ୍କୁ ଧିମା ଖେଳିବାକୁ ଯାଇ ଆଉଟ ହୋଇଥିଲେ । ଦେଖିବାକୁ ଗଲେ ଗୌତମ ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଟିମ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜ ହାରିଛି । ଏହାକୁ ଖେଳପ୍ରେମୀମାନେ ଲଜ୍ଜାଜନକ କହିଛନ୍ତି । ଦଳ ତାଙ୍କ କୋଚିଂରେ ଶ୍ରୀଲଙ୍କାକୁ ଟି-୨୦ରେ ସିରିଜରେ ମୂଳପୋଛ କରି ଦେଇଥିଲା। ଦିନିକିଆ ସିରିଜରେ ଦଳ କାହିଁକି ହାରିଲା ତାକୁ ନେଇ ଅନେକ କଥା ପ୍ରଶଂସକଙ୍କଠାରୁ ଶୁଣିବାକୁ ମିଳୁଛି । ୧୯୯୭ରେ ଶେଷଥର ପାଇଁ ଶ୍ରୀଲଙ୍କା ୩-୦ରେ ଭାରତକୁ ଦିନିକିଆ ସିରିଜରେ ହରାଇଥିଲା। ଏହାପରେ ଖେଳା ଯାଇଥିବା ପ୍ରାୟ ୧୧ଟି ଦ୍ୱିପାକ୍ଷିକ ସିରିଜରେ ଭାରତ ସବୁବେଳେ ବିଜୟୀ ହୋଇ ଆସୁଥିଲା। କିନ୍ତୁ ଏଥର ଶ୍ରୀଲଙ୍କା ମାଟିରେ ଭାରତ ସିରିଜ ପରାଜୟର ଲଜ୍ଜା ମୁଣ୍ଡାଇଛି। ତେବେ ରୋହିତ କହିଛନ୍ତି ସମୟ ସଦାବେଳେ ବ୍ୟାଟରଙ୍କ ପାଇଁ ଭଲ ନଥାଏ । ଏଠାରେ ସ୍ପିନରଙ୍କ ପାଇଁ ସମୟ ଭଲ ଥିଲା । ଶ୍ରୀଲଙ୍କା ଭଲ ଖେଳିଛି । ଆମେ ଆମର ତ୍ରୁଟି ସୁଧାରିବୁ । ଆଗକୁ କିପରି ଭଲ ହେବ ତାହା ଉପରେ ଫୋକସ ରଖିବାକୁ ସେ କହିଥିଲେ । ସେପଟେ ଚରିତ ଅସଲଙ୍କା ଶ୍ରୀଲଙ୍କାର ନୂଆ କ୍ୟାପ୍ଟେନ ଭାବେ ଦିନିକିଆ ସିରିଜର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପ୍ରଥମ ସିରିଜ ଖେଳିବା ସହ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।