ଢାକା: ବାଂଲାଦେଶରେ ନିଆଁ ଜଳୁଛି । ଭୟଭୀତ ଅଛନ୍ତି ସାଧାରଣ ଜନତା । ରାତି ହେଲେ କାହାରା କଣ ହେବ ତାହା କହିବା ମୁସ୍କିଲ । ଛାତ୍ର ଆନ୍ଦୋଳନ ଦୁଇ ଦଳ ମଧ୍ୟରେ ହିଂସା ଆନ୍ଦୋଳନରେ ପରିଣତ ହୋଇଛି । ସଂଖ୍ୟାଲଘୁମାନଙ୍କୁ ହତ୍ୟା କରାଯାଉଛି । ଲୁଟ ପାଟ ନିତିଦିନିଆ ଘଟଣା ହୋଇଛି । ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ବିଦ୍ରୋହର ରୂପ ନେଇଥିବାରୁ ଅକାରଣରେ ହଜାର ହଜାର ଲୋକଙ୍କ ଧନ ଜୀବନ ନଷ୍ଟ ହୋଇଛି। ଦଙ୍ଗାକାରୀମାନେ ହିନ୍ଦୁ, ଖ୍ରୀଷ୍ଟିୟାନ, ଆୱାମୀ ଲିଗ୍ର ନେତା ଓ କର୍ମୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନରେ ଲୁଟପାଟ ଚଳାଇଛନ୍ତି। ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା । ବାଂଲାଦେଶରେ ଚାଲିଥିବା ହିଂସାରେ ମହିଳା ଶିଶୁ ଅଧିକ କଷ୍ଟ ପାଉଛନ୍ତି । ଖାଇବାକୁ ମିଳୁନଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଘର ଉଜୁଡି ଯାଇଛି । ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରାଯାଉଥିବାରୁ ସେମାନେ ଅଧିକ କ୍ଷତିଗ୍ରସ୍ତ ଅଛନ୍ତି ।
ଏହାରି ଭିତରେ ଅଶାନ୍ତ ବାଂଲାଦେଶରେ ଗଠନ ହେବାକୁ ଯାଉଛି ଗୋଟିଏ ଅନ୍ତରୀଣ ସରକାର। ଏହି ସରକାରର ମୁଖିଆ ଭାବେ ଆସନ୍ତାକାଲି ଶପଥ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ। ତାଙ୍କ ନେତୃତ୍ୱାଧୀନ ୧୫ ଜଣିଆ ପରାମର୍ଶଦାତା କମିଟିର ସଦସ୍ୟମାନେ ମଧ୍ୟ ଶପଥ ନେବେ ବୋଲି ଆଜି ବାଂଲାଦେଶର ସେନା ମୁଖ୍ୟ ଜେନେରାଲ ୱାକେର ଉଜ ଜମାନ ସୂଚନା ଦେଇଛନ୍ତି। ଶପଥ ପାଠ ସମାରୋହ ରାତି ୮ଟାରେ ଅନୁଷ୍ଠିତ ହେବ। ସେନା ମୁଖ୍ୟ ଜମାନ କହିଛନ୍ତି, ୟୁନୁସଙ୍କ ନେତୃତ୍ୱରେ ପରାମର୍ଶଦାତା ପରିଷଦରେ ୧୫ ଜଣ ସଦସ୍ୟ ରହିବେ। ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ମଙ୍ଗଳବାର ୮୪ ବର୍ଷୀୟ ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖିଆ ଭାବେ ନିଯୁକ୍ତ କରିଥିଲେ। ୟୁନୁସ ଗୋଟିଏ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଗକୁ ନେବେ ବୋଲି ଜେନେରାଲ ଜମାନ ଆଶା ରଖିଛନ୍ତି। ତେବେ ଆଗକୁ ବାଂଲାଦେଶର ରାଜନୀତି କେଉଁ ଆଡ଼କୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।