ନୂଆଦିଲ୍ଳୀ: ବିଜେଡି ଦଳ ଛାଡ଼ିଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ମମତା ମହାନ୍ତ ବିଜେପିରେ ମିଶିବା ସହ ତାଙ୍କୁ ଦଳରେ ସମ୍ମାନ ମିଳୁନଥିବା କହିଛନ୍ତି । ସେ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ସୁଯୋଗ ଦିଆଯାଉନଥିଲା । ସେଥିପାଇଁ ସେ ବିଜେପିରେ ଯୋଗଦେଇଛନ୍ତି ।
ଦଳ ତାଙ୍କୁ ଯେଉଁ କାମ ଦେବ ସେ କରିବେ ବୋଲି କହିଛନ୍ତି । ମମତା ମହାନ୍ତ ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ସେ ୨୦୨୦ ମସିହାରେ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୬ ମସିହା ଏପ୍ରିଲ ମାସ ପର୍ୟ୍ୟନ୍ତ ତାଙ୍କ କାର୍ୟ୍ୟକାଳ ରହିଥିଲା। ତେବେ କାର୍ୟ୍ୟକାଳ ସରିବାର ୨୧ ମାସ ପୂର୍ବରୁ ମମତା ମହାନ୍ତ ଇସ୍ତଫା ଦେଇଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ଭିନ୍ନ ଭିନ୍ନ ଆଲୋଚନା ହେଉଥିଲା। ମମତା ମହାନ୍ତ ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ମମତା ମହାନ୍ତ ବିଜେପିରେ ଯୋଗ ଦେବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇଛି। ବିଜେପିରେ ମିଶିବା ପରେ ମମତା ମହାନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୋଦି ଏବଂବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଲୋକମାନେ ମୋର ସମ୍ପତ୍ତି, ଲୋକଙ୍କ ସେବା ହିଁ ମୋର ଏକମାତ୍ର ଲକ୍ଷ୍ୟ । ବିଜେଡିରେ ତାଙ୍କୁ କୈାଣସି ମିଟିଂକୁ ଡକାଯାଉନଥିଲା ଏବଂ ଅଣଦେଖା କରାଯାଉଥିଲା, ଲୋକଙ୍କ ସେବା କରିବାକୁ ସୁଯୋଗ ମିଳୁନଥିଲା। ଲୋକଙ୍କ ସେବା ଏବଂ କୁଡ଼ୁମୀ ସମାଜର ଉନ୍ନତି ପାଇଁ ବିଜେପିରେ ଯୋଗ ଦେଇଥିବା ମମତା କହିଛନ୍ତି। ଆଜି ଦିଲ୍ଳୀରେ ସାଧାରଣ ସମ୍ପାଦକ ଅରୁଣ ସିଂହ, ରାଜ୍ୟ ବିଜେପି ପ୍ରଭାରି ବିଜୟପାଲ ସିଂ ତୋମର, ରାଜ୍ୟ ଅବକାରୀ ଓ ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଓ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ତଥା ଦଳର ଅନ୍ୟ ସାଂସଦ ଏବଂ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ମମତା ମହାନ୍ତ।ପ୍ରଥମେ ମମତା ରାଜ୍ୟସଭା ସାଂସଦ ପଦ ସହ ଦଳରୁ ଇସ୍ତଫା ଦେଇଥିଲେ ।