ପ୍ୟାରିସ୍ : ପ୍ୟାରିସ ଅଲମ୍ପିକ୍ସରେ ଦମଦାର ବିଜୟ ହାସଲ କରିଛି ଭାରତ
। ପୁରୁଷ ହକିରେ ଦଳ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରି ଅନେକ ଦିନର
ପରାଜୟକୁ ଟକ୍କର ଦେଇଛି । ଦୀର୍ଘ ୫୨ ବର୍ଷ ପରେ କୌଣସି ଅଲମ୍ପିକ୍ସରେ ଭାରତ ଅଷ୍ଟ୍ରେଲିଆକୁ
ହରାଇପାରିଛି । ୧୯୭୨ରେ ହୋଇଥିବା ମ୍ୟୁନିକ ଅଲମ୍ପିକ୍ସରେ ଶେଷଥର ପାଇଁ ଭାରତ ଅଷ୍ଟ୍ରେଲିଆକୁ
ହରାଇଥିଲା । ସେହି ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୩-୧ରେ ପରାସ୍ତ କରିଥିଲା । ସେହି
ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା ।
ଆଜିର ବିଜୟ ପାଇଁ
ଟିମ୍ ଇଣ୍ଡିଆ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଗୋଲ୍ ଦେଇଥିଲାବେଳେ ଅଭିଷେକ ଗୋଟିଏ ଗୋଲ ସ୍କୋର କରିଥିଲେ। ପ୍ରଥମ
କ୍ୱାର୍ଟରରେ ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଥିଲା। ଏହାପରେ ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ୱାର୍ଟରରେ
ଗୋଟିଏ ଗୋଲ ସ୍କୋର କରିଥିଲା। ତୃତୀୟ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ଗୋଲ ଦେଇ ମ୍ୟାଚକୁ ୩-୧ରେ
ପହଞ୍ଚାଇଥିଲା। ଆଜିର ଖେଳ ବେଶ ରୋମାଂଚକର ଥିଲା । ପରେ ଅଷ୍ଟ୍ରେଲିଆ ଶେଷ କ୍ୱାର୍ଟରରେ ଆଉ ଏକ
ଗୋଲ ସ୍କୋର କରିଥିଲା। ଫଳରେ ଭାରତ ୩-୨ ଗୋଲରେ ମ୍ୟାଚ୍ ଜିତିନେଇଥିଲା।