ଭୁବନେଶ୍ବର:ରାଜ୍ୟରେ ଆଳୁ ସଂକଟର ସମାଧାନ ବାଟ ବାହାରିଛି ।
ପଶ୍ଚିମବଂଗ ମନାକରିବା ପରେ ଏବେ ଆଳୁ ବିବାଦର
ସମାଧାନର ବାଟ ବାହାର କରିଛନ୍ତି ରାଜ୍ୟ ସରକାର । ଉତ୍ତରପ୍ରଦେଶରୁ ଆଳୁ ଆସି ପହଞ୍ଚିଛି ଓଡ଼ିଶାରେ । ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏଣିକି
ପଶ୍ଚିମବଙ୍ଗ ନୁହେଁ, ଉତ୍ତରପ୍ରଦେଶରୁ
ଓଡ଼ିଶାକୁ ଆଣିବେ ଆଳୁ। ଉତ୍ତରପ୍ରଦେଶରୁ କିଛି ଟ୍ରକ ଆଳୁ ଆସି ରାଜ୍ୟରେ ପହଞ୍ଚିଛି। ଆଗାମୀ
ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ
ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ମନ୍ତ୍ରୀ ଉତ୍ତର
ପ୍ରଦେଶର ଆଳୁ ବେପାରୀଙ୍କ ସହ କଥା ହେବେ ବୋଲି କହିଛନ୍ତି । ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି
କରିବା ମନମୁଖୀ କାର୍ଯ୍ୟ କରୁଛନ୍ତି। ଏ ଦୃଷ୍ଟିରୁ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବାର
ନିଷ୍ପତ୍ତି ନିଆଯାଇଛି। ଫଳରେ ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁର ନିର୍ଭରଶୀଳତା ହ୍ରାସ ପାଇବ
ବୋଲି କହିଛନ୍ତି ମନ୍ତ୍ରୀ। ଉତ୍ତରପ୍ରଦେଶ ସରକାର ଏଥିପାଇଁ ସମସ୍ତ ସହଯୋଗ ଯୋଗାଇଦେବେ। ରାଜ୍ୟର
ଏକ ପ୍ରତିନିଧି ମଣ୍ଡଳୀ ଖୁବଶୀଘ୍ର ଉତ୍ତରପ୍ରଦେଶ ଗସ୍ତ କରିବ ବୋଲି ମନ୍ତ୍ରୀ କହିଛନ୍ତି । ସେ
କହିଛନ୍ତି ଓଡ଼ିଶାର ଅସ୍ମିତା ରକ୍ଷା ସହ ପଡ଼ୋଶୀ ରାଜ୍ୟ ଉପରେ ଆଳୁ ନିର୍ଭରଶୀଳତା ହ୍ରାସ କରିବା
ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଆଳୁ ସହ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ ନିମନ୍ତେ
ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ବ୍ୟବସାୟୀ ଓ ବିଭିନ୍ନ ସଂଘର ଅନୁରୋଧକୁ ରକ୍ଷା କରି
ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେଇଥିବା ସେ କହିଛନ୍ତି। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ପଠାଇବାକୁ ଅଲିଖିତ
ବାରଣ କରିଛନ୍ତି । ଓଡ଼ିଶା ସୀମାରୁ ଶହ ଶହ ଟ୍ରକ୍
ଅନୁମତି ନ ପାଇବାରୁ ଫେରି ଯାଇଥିଲେ। ଯାହାଫଳରେ ଓଡ଼ିଶାରେ ଆଳୁ ଅଭାବ ସହ ଦର ବଢ଼ିଯାଇଥଲା ।