ଓଡ଼ିଶା ଭଳି ରାଜ୍ୟରେ ଅଧିକାଂଶ
ଗ୍ରାମାଞ୍ଚଳର ଲୋକ ପକ୍କା ଘର ଟିଏ ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି । କିନ୍ତୁ
ବିଧାନସଭାରେ ଦିଆଯାଇଥିବା ଉତ୍ତର ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ମାଗଣା ଘର ପାଇଁ ଅପେକ୍ଷା କରି
କରି ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । ସେପଟେ ଘର କିନ୍ତୁ ଫେରିଯାଇଥିବା ମନ୍ତ୍ରୀ କହିଛନ୍ତି
। ରାଜ୍ୟର ପ୍ରାୟ ୪୧ ପ୍ରତିଶତ ପରିବାର ପାଖରେ
ଏବେ କଚ୍ଚା ଘର ଅଛି ମାନେ ପକ୍କାଘର ନାହିଁ ।
ଏହା ଆମେ କହୁନୁ ଚଳିତମାସରେ ପ୍ରକାଶିତ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି
। ବିଜେଡି ସରକାରର ତ୍ରୁଟି ଯୋଗୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଆବଂଟିତ ପ୍ରାୟ
୬.୫୭ଲକ୍ଷ ଘରକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଥିବା ଏବେ ମନ୍ତ୍ରୀ କହିଛନ୍ତି । କାରଣ ଜାଣିଲେ
ତାହା ଆପଣଙ୍କୁ ମଧ୍ୟ ବାଧିବ । ବଡ଼ କଥା ହେଉଛି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେବାରେ ଓଡ଼ିଶା
ସରକାର ବିଫଳ ହୋଇଥିବାରୁ ଏହି ଘର ଫେରିଯାଇଥିବା ଜଣାପଡ଼ିଛି । ଏବେ ବି ରାଜ୍ୟର ପ୍ରାୟ ୪୧
ପ୍ରତିଶତ ପରିବାର ପାଖରେ ପକ୍କାଘର ନାହିଁ । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏସବୁ କୁହାଯାଇଛି ।
ରାଜ୍ୟ ପଂଚାୟତିରାଜ
ମନ୍ତ୍ରୀ ରବିନାରାୟଣ ନାଏକ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ୨୦୧୬-୧୭ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦ୍ର ସରକାର
ଓଡ଼ିଶାକୁ ପ୍ରଦାନ କରିଥିବା ଧାର୍ଯ୍ୟଲକ୍ଷ୍ୟ ମଧ୍ୟରୁ ୬ଲକ୍ଷ ୫୬ହଜାର ୯୪୫ଟି ଗୃହକୁ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ସ୍ଥାୟୀ ପ୍ରତୀକ୍ଷା ତାଲିକାରେ ଯୋଗ୍ୟ ହିତାଧିକାରୀ
ନଥିବା କାରଣରୁ ପ୍ରତ୍ୟାହାର କରିନେଇଥିଲେ । ତେବେ ହିତାଧିକାରୀ ତାଲିକା ଭୁଲ କିଏ କଲା ତାହା
ପ୍ରକାଶ କରାଯାଇନାହିଁ । ଏଭଳି ଭୁଲ କରୁଥିବା ଅଧିକାରୀଙ୍କ ଉପରେ କିଛି ପଦକ୍ଷେପ ନିଆଯାଉନାହିଁ
କାହିଁକି ତାହା ବଡ଼ ପ୍ରଶ୍ନ ।
କେନ୍ଦ୍ର ଓ ରାଜ୍ୟ
ସରକାରଙ୍କ ସହାୟତାରେ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅଧୀନରେ ୨୦୧୪-୧୫ ଆର୍ଥିକ
ବର୍ଷରୁ ଆଜିସୁଦ୍ଧା ୩୪,୭୨.୦୦୦ ଗୃହ ମଞ୍ଜୁର ହୋଇଛି ଓ ୨୦୧୪ ମସିହା ପୂର୍ବରୁ ମଞ୍ଜୁର ହୋଇଥିବା ୭ଲକ୍ଷ ୪୬ହଜାର
୩୬୪ଟି ଗୃହ ଅସମ୍ପୂର୍ଣ୍ଣ ରହିଛି । ଏପରି ମୋଟ ୪୨ଲକ୍ଷ ୧୮ହଜାର ୩୬୪ ମଞ୍ଜୁର ହୋଇଥିବା ଗୃହ ମଧ୍ୟରୁ ୨୦୧୪-୧୫ ମସିହା ପର୍ଯ୍ୟନ୍ତ ୩୬,୫୭,୮୪୭ ଗୃହର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏଥି ମଧ୍ୟରୁ ୫ଲକ୍ଷ ୨୭ହଜାର ୬୦୪ ଗୃହ
ନିର୍ମାଣଧୀନ ଅଛି ଓ ୩୨,୯୧୩ଗୃହର କାର୍ଯ୍ୟାରମ୍ଭ ହୋଇନାର୍ହି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ସ୍ଥାୟୀ
କ୍ରମିକ ତାଲିକାରେ ସାମିଲ ହୋଇଥିବା ୧,୨୬,୭୧୯ ପରିବାର ଏବେବି ଗୃହ ମଞ୍ଜୁରୀ ଅପେକ୍ଷାରେ ରହିଛନ୍ତି । କେନ୍ଦ୍ର ସରକାରଙ୍କଠାରୁ
ଧାର୍ଯ୍ୟ ଲକ୍ଷ୍ୟପ୍ରାପ୍ତି ପରେ ସେମାନଙ୍କୁ ଗୃହ ମଞ୍ଜୁର କରାଯିବ । ପ୍ରଧାନମନ୍ତ୍ରୀ ଆବାସ
ଯୋଜନା(ଗ୍ରାମୀଣ)ର ସ୍ଥାୟୀ କ୍ରମିକ ତାଲିକାରେ ସାମିଲ ହୋଇନଥିବା ଯୋଗ୍ୟ ହିତାଧିକାରୀ ଚିହ୍ନଟ
ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟଠାରୁ ଅନୁମତି ମିଳିବା ପରେ
ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।