ପୋଡ଼ାଜଳା, କର୍କଟ, ଲିମ୍ଫେଡେମା ଏବଂ ପ୍ରସାଧନ ପ୍ରଣାଳୀ ସମେତ ବିଭିନ୍ନ ଅବସ୍ଥାର ଜୀବନ ପରିବର୍ତ୍ତନକାରୀ ସମାଧାନ ପ୍ରଦାନ ଭଳି ସ୍ୱାସ୍ଥ୍ୟସେବାରେ ପ୍ଲାଷ୍ଟିକ୍ ସର୍ଜରୀ ଏକ ଗୁରୁତ୍ୱପୂର୍ଣ୍ଣ କାରକ ଭାବରେ ଉଭା ହୋଇଛି। ଏହା ରୋଗୀଙ୍କୁ ଉଭୟ ଶାରିରୀକ କାର୍ଯ୍ୟକ୍ଷମତା ସହିତ ସୌନ୍ଦର୍ଯ୍ୟଗତ ଆବଶ୍ୟକତାକୁ ପୂରଣ କରିବାରେ ଅଶେଷ ସହାୟକ ହେଉଛି। ଏମ୍ସ ଭୁବନେଶ୍ୱରରେ ଥିବା ଦେଶର ଅନନ୍ୟ ବର୍ଣ୍ଣ୍ସ ୟୁନିଟ୍ ଗୁଣବତ୍ତାପୂର୍ଣ୍ଣ ପ୍ଲାଷ୍ଟିକ୍ ସର୍ଜରୀ ସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଏହି କ୍ଷେତ୍ରରେ କିନ୍ତୁ ଅଧିକ ଗବେଷଣା ଏବଂ ଜନସଚେତନତା ସମୟର ବିରାଟ ଆହ୍ବାନ ବୋଲି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ପାଳନ ଅବସରରେ ଏମ୍ସ ଭୁବନେଶ୍ୱର ବର୍ଣ୍ଣ୍ସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଆସୋସିଏସନ୍ ଅଫ୍ ପ୍ଲାଷ୍ଟିକ୍ ସର୍ଜନ ଅଫ୍ ଇଣ୍ଡିଆ (ଏପିଏସ୍ଇ) ଅଧୀନରେ ଚଳିତ ବର୍ଷ ପ୍ଲାଷ୍ଟିକ୍ ଏଣ୍ଡ୍ ରିକନଷ୍ଟ୍ରକ୍ଟିଭ୍ ସର୍ଜରୀ ସପ୍ତାହ ଆରମ୍ଭ କରାଯାଇଛି। ସପ୍ତାହ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାଧିକ ପ୍ଲାଷ୍ଟିକ୍ ସର୍ଜରୀ ଅସ୍ତ୍ରୋପଚାର କରାଯାଇଥିଲା। ଏଥିସହିତ ବିଭିନ୍ନ ଜଟିଳ ରୋଗର ମାଗଣା ଚିକିତ୍ସାସେବା ପ୍ରଦାନ କରାଯାଇଥିଲା। ବିଭାଗ ପକ୍ଷରୁ ବିଭିନ୍ନ ଅସ୍ତ୍ରୋପଚାର, ସଚେତନତା କାର୍ଯ୍ୟକ୍ରମ, ପୋଡ଼ାଜଳା ଏବଂ କର୍କଟ ରୋଗରେ ପୀଡ଼ିତଙ୍କୁ ଚିକିତ୍ସାସେବା ପ୍ରଦାନ କରାଯାଇଥିଲା।