ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ଶ୍ରୀ ରଘୁବର ଦାସ ଅଭିଭାଷଣରେ ନୂଆ ସରକାରର ୫ବର୍ଷର ନୀଳନକ୍ସା (ବ୍ଲୁପ୍ରିଣ୍ଟ୍) ଦେଖାଇଛନ୍ତି। ପରିବର୍ତ୍ତନ, ବିକାଶ, ସୁଶାସନ ଓ ଅସ୍ମିତାର ଆହ୍ବାନକୁ ଜନସାଧାରଣ ଭୋଟ୍ ଦେଇଥିବାରୁ ରାଜ୍ୟର ପ୍ରତି ବର୍ଗକୁ ନଜରରେ ରଖି କିପରି ଯୋଜନା ପ୍ରସ୍ତୁତ ହେବ, ପ୍ରତ୍ୟେକ ବର୍ଗ ରାଜ୍ୟର ବିକାଶ ପ୍ରକ୍ରିୟାରେ ସମାନ ଭାବେ ଅଂଶଗ୍ରହଣ କରିବେ ସେସଂପର୍କରେ ରାଜ୍ୟପାଳ ଉଲ୍ଳେଖ କରିଛନ୍ତି। ଆସନ୍ତା ୨୫ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଆସିବାକୁ ଥିବା ବେଳେ ଏଥିରେ ରାଜ୍ୟ ସରକାର କେଉଁ କ୍ଷେତ୍ରକୁ ଅଗ୍ରାଧିକାର ଦେବେ ତା’ର ଆଭାସ ମଧ୍ୟ ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ସୁସ୍ଥ ଓଡ଼ିଶା ଗଠନ ପାଇଁ ଓଡ଼ିଶାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଥମିକତା ଦିଆଯିବ। ଓଡ଼ିଶାରେ ‘ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା’ କାର୍ଯ୍ୟକାରୀ କରାଯିବ। ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ଜିଲ୍ଲାସ୍ତରରେ ନର୍ସିଂ କଲେଜ, ଭେଷଜ ମହାବିଦ୍ୟାଳୟ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁଲଭ ସ୍ବାସ୍ଥ୍ୟସେବା ଯୋଗାଇବାକୁ କାର୍ଯ୍ୟ କରାଯିବ । ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ, କ୍ରୀଡ଼ା, ନିଯୁକ୍ତି, ଗମନାଗମନ, ପୁଞ୍ଜିନିବେଶ, ପର୍ଯ୍ୟଟନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବେ। ୨୦୩୬ରେ ଓଡ଼ିଶା ଏପରି ଏକ ରାଜ୍ୟ ହେବ ଯେଉଁଠାରେ କୃଷକଙ୍କ ଉନ୍ନତି ହେବ, ଯୁବକଯୁବତୀମାନେ ରୋଜଗାର ପାଇବେ ଏବଂ ମହିଳାମାନେ ସଶକ୍ତ ହେବେ।