ରତ୍ନଭଣ୍ଡାରରୁ ସବୁ ଅଳଙ୍କାର
ସ୍ଥାନାନ୍ତରଣ ହୋଇସାରିଛି । ଏହାପରେ ପ୍ରଥମେ ରତ୍ନଭଣ୍ଡାରର ଅନୁଧ୍ୟାନ କରିବ ଏଏସଆଇ ଟିମ୍ ।
ଦିନେ ଦୁଇ ଦିନ ମଧ୍ୟରେ ଟିମ୍ ଅନୁଧ୍ୟାନ ଆରମ୍ଭ କରିବ ।ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ
ହରିଚନ୍ଦନ ସୂଚନା ଦେଇଛନ୍ତି।ଭଣ୍ଡାର ଭିତରର ସ୍ଥିତି ଦେଖିବା ପରେ
ମରାମତି ପାଇଁ କେତେ ଦିନ ଲାଗିବ କେବେଠୁ ଆରମ୍ଭ ହେବ ସେନେଇ ଆଲୋଚନା ହେବ । ସମୟ ନିର୍ଘଣ୍ଟ
କରାଯାଇ ସରକାରଙ୍କ ପକ୍ଷରୁ ଅନୁମତି ଆସିଲେ ମରାମତି କାମ ଆରମ୍ଭ ହେବ । ତେବେ ଅନୁଧ୍ୟାନ ପରେ
ରତ୍ନ ଭଣ୍ଡାର ମରାମତି ନେଇ ସମୟ ଧାର୍ଯ୍ୟ କରାଯିବ’ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
ଏଣେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି
ଅତ୍ୟାବଶ୍ୟକ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ଭିତର
ରତ୍ନଭଣ୍ଡାର ଖୋଲିବା ବେଳେ ଗଜପତି ମହାରାଜା ପ୍ରତ୍ୟକ୍ଷ ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର
ସ୍ଥାନାନ୍ତର ପ୍ରକ୍ରିୟା ଦେଖିଥିଲେ। ରତ୍ନଭଣ୍ଡାର ଅଳଙ୍କାର କେଉଁଠୁ ଆସୁଛି ଓ କେଉଁଠି
ରଖାଯାଉଛି, ଏହା ସୁରକ୍ଷିତ ନା ନାହିଁ, ସବୁ ଟିକିନିଖି ଦେଖିଥିଲେ। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର
ସଂପୂର୍ଣ୍ଣ ଭାବେ ଖାଲି ହୋଇସାରିବା ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳସଂପନ୍ନ ସ୍କାନର
ଜରିଆରେ ସବୁ ନିରୀକ୍ଷଣ କରାଯିବ। ଯେତେବେଳେ ପ୍ରଶାସନ ସ୍ଥିର ନିଷ୍ପତ୍ତି ନେବ, ଅନ୍ୟ କୌଣସି ଅଳଙ୍କାର ସେଠାରେ ନାହିଁ, ତା’ ପରେ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ
ବାହାର ଓ ଭିତର ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ। ନିଶ୍ଚିତ ଭାବେ ଦୁଇ ରତ୍ନଭଣ୍ଡାରର ମରାମତି
ଆବଶ୍ୟକତା ରହିଛି। ଆମେ ଜାଣିନୁ ଭଣ୍ଡାର ଘର କେବେ ମରାମତି ହୋଇଥିଲା। ଏଏସ୍ଆଇ ୧୯୭୧ରୁ
ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାଠାରୁ ମରାମତି ହୋଇନି।