ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି ମିଳିଛି। ଆଡଭୋକେଟ୍ ଜେନେରାଲ ଭାବେ ଶ୍ରୀ ଆଚାର୍ଯ୍ୟଙ୍କୁ ରାଜ୍ୟପାଳ ନିଯୁକ୍ତି ପ୍ରଦାନ କରିଛନ୍ତି। ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଗଜରାଜପୁର ଗ୍ରାମରେ ସ୍ବର୍ଗତ ପଣ୍ଡିତ କୈଳାସ ଚନ୍ଦ୍ର ଆଚାର୍ଯ୍ୟ ଓ ସ୍ବର୍ଗତା ସ୍ବର୍ଣ୍ଣଲତା ଆଚାର୍ଯ୍ୟଙ୍କ ସାନ ପୁଅ ପୀତାମ୍ବର ଆଚାର୍ଯ୍ୟ ୧୯୬୫, ଜାନୁଆରି ୧୫ରେ ଜନ୍ମ ଗ୍ରହଣ କରିଥିଲେ। ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଆଚାର୍ଯ୍ୟ ଅଲଣାହାଟ ହାଇସ୍କୁଲରୁ ୧୯୮୧ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍ କରିଥିଲେ। ସେ ବିଜେବି କଲେଜରୁ ୧୯୮୫ରେ ରାଜନୀତି ବିଜ୍ଞାନ(ସମ୍ମାନ) ରଖି ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ପାସ କରିଥିଲେ। ୧୯୯୦ରେ ସେ ଭୁବନେଶ୍ବରସ୍ଥିତ ୟୁନିଭରସିଟି ଲ’ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ। ପୂର୍ବତନ ଆଡଭୋକେଟ୍ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଗଙ୍ଗାଧର ରଥଙ୍କ ସହଯୋଗୀ ଭାବେ ୧୯୯୧ରେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ଦେୱାନୀ, ଫୌଜଦାରୀ, କର୍ପୋରେଟ୍, ସମବାୟ, ଶିକ୍ଷା, ଆର୍ବିଟ୍ରେସନ୍, କମ୍ପାନି, ବ୍ୟାଙ୍କିଂ ଓ ଅନ୍ୟାନ୍ୟ ଆଇନ ସଂପର୍କିତ ୧୦ ହଜାରରୁ ଅଧିକ ଗୁରୁତ୍ବପୂର୍ଣ୍ଣ ମାମଲାର ସଫଳ ପରିଚାଳନା କରି ଶ୍ରୀ ଆଚାର୍ଯ୍ୟ ସୁନାମ ଅର୍ଜନ କରିଥିଲେ।